Think Twice Before Taking Painkillers: ବାରମ୍ବାର ପେନ୍‌କିଲର ଖାଉଛନ୍ତି କି? ସାବଧାନ! କିଡନୀ ପାଇଁ ବଢ଼ିପାରେ ବିପଦ

Sep 23, 2026 - 16:18
Think Twice Before Taking Painkillers: ବାରମ୍ବାର ପେନ୍‌କିଲର ଖାଉଛନ୍ତି କି? ସାବଧାନ! କିଡନୀ ପାଇଁ ବଢ଼ିପାରେ ବିପଦ

ମୁଣ୍ଡବଥା ହେଉ କି ପେଟବଥା, ଆଣ୍ଠୁ ଯନ୍ତ୍ରଣା ହେଉ କି ଗୋଡ଼ ଓ ଶରୀରରେ ଯନ୍ତ୍ରଣା—ସାମାନ୍ୟ ବ୍ୟଥା ହେଲେ ଅନେକ ଲୋକ ତୁରନ୍ତ ପେନ୍‌କିଲର ଖାଇଦେଉଛନ୍ତି। ଔଷଧ ଖାଇବାର କିଛି ସମୟ ପରେ ଯନ୍ତ୍ରଣା କମିଯାଉଥିବାରୁ ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହୋଇଯାଏ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା ବାରମ୍ବାର ପେନ୍‌କିଲର ସେବନ କିଡନୀ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିପାରେ।

ଔଷଧ ବ୍ୟବହାର ଉପରେ ନିୟନ୍ତ୍ରଣ ରଖୁଥିବା ସରକାରୀ ସଂସ୍ଥା ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍‌ (CDSCO) ମଧ୍ୟ ପେନ୍‌କିଲର ଓ ଆଣ୍ଟିବାୟୋଟିକ୍‌ର ଅନିୟନ୍ତ୍ରିତ ବ୍ୟବହାର ନେଇ ସତର୍କ କରିଛି। ବିଶେଷକରି NSAID ବର୍ଗର ପେନ୍‌କିଲର ଅଧିକ ଓ ବାରମ୍ବାର ସେବନ କିଡନୀକୁ ପ୍ରଭାବିତ କରିପାରେ।

ପେନ୍‌କିଲର କିଡନୀକୁ କିପରି ପ୍ରଭାବିତ କରେ?

ମେଦାନ୍ତା ହସ୍ପିଟାଲର ରିନାଲ୍ କେୟାର ବିଭାଗର ଆସୋସିଏଟ୍ କନସଲଟାଣ୍ଟ ଡା. ବରୁଣ ଜୈନଙ୍କ ମତରେ, କିଡନୀ ଶରୀରର ଏକ ପ୍ରମୁଖ ଫିଲ୍ଟର ଭାବେ କାମ କରେ। ରକ୍ତରୁ ବର୍ଜ୍ୟବସ୍ତୁକୁ ଛାଣି ପରିସ୍ରା ମାଧ୍ୟମରେ ବାହାର କରିବା ଏହାର ମୁଖ୍ୟ କାମ।

କିଡନୀରେ ଲକ୍ଷ ଲକ୍ଷ ସୂକ୍ଷ୍ମ ଫିଲ୍ଟର ଥାଏ, ଯାହାକୁ ‘ନେଫ୍ରନ୍’ କୁହାଯାଏ। ଏହି ନେଫ୍ରନ୍‌ ପର୍ଯ୍ୟନ୍ତ ଠିକ୍‌ ଭାବେ ରକ୍ତ ପହଞ୍ଚିବା ଅତ୍ୟନ୍ତ ଜରୁରୀ।

କିଡନୀରେ ‘ପ୍ରୋଷ୍ଟାଗ୍ଲାଣ୍ଡିନ୍’ ନାମକ ରାସାୟନିକ ପଦାର୍ଥ ରକ୍ତନଳୀକୁ ପ୍ରସାରିତ ରଖିବାରେ ସହାୟକ ହୋଇଥାଏ। NSAID ପେନ୍‌କିଲର ଏହି ପ୍ରୋଷ୍ଟାଗ୍ଲାଣ୍ଡିନ୍ ତିଆରି କରୁଥିବା COX-1 ଓ COX-2 ଏନ୍‌ଜାଇମ୍‌ର କାର୍ଯ୍ୟକୁ ବାଧା ଦିଏ। ଏଥିରୁ ଯନ୍ତ୍ରଣା ଓ ସୁଜନ କମିଥାଏ, କିନ୍ତୁ ସେହି ସମୟରେ କିଡନୀକୁ ରକ୍ତ ପ୍ରବାହ ମଧ୍ୟ କମିପାରେ।

ବାରମ୍ବାର ପେନ୍‌କିଲର ନେଲେ କ’ଣ ହୋଇପାରେ?

ଦୀର୍ଘ ଦିନ ଧରି ଅନିୟନ୍ତ୍ରିତ ଭାବେ ପେନ୍‌କିଲର ନେଲେ କିଡନୀର ଫିଲ୍ଟରିଂ କ୍ଷମତା ପ୍ରଭାବିତ ହୋଇପାରେ। ବିଶେଷଜ୍ଞଙ୍କ ମତରେ ଏହାର ପ୍ରଭାବ ଧୀରେ ଧୀରେ ଦେଖାଯାଇପାରେ।

  • କିଡନୀକୁ ରକ୍ତ ପ୍ରବାହ କମିପାରେ 
  • ନେଫ୍ରନ୍‌କୁ ପର୍ଯ୍ୟାପ୍ତ ଅକ୍ସିଜେନ୍ ନ ମିଳିପାରେ 
  • ପରିସ୍ରାର ପରିମାଣ କମିପାରେ 
  • ଶରୀରରେ ପାଣି ଓ ସୋଡିୟମ୍ ଜମିପାରେ 
  • ପାଦ ଓ ଗୋଡ଼ ଫୁଲିପାରେ 
  • ରକ୍ତଚାପ ବଢ଼ିପାରେ 
  • କେତେକ କ୍ଷେତ୍ରରେ ଅକ୍ୟୁଟ୍ କିଡନୀ ଇଞ୍ଜୁରି ମଧ୍ୟ ହୋଇପାରେ 

କାହା ପାଇଁ ବିପଦ ଅଧିକ?

ସମସ୍ତଙ୍କ ଉପରେ ପେନ୍‌କିଲରର ପ୍ରଭାବ ସମାନ ନୁହେଁ। କିନ୍ତୁ କିଛି ବ୍ୟକ୍ତିଙ୍କ ପାଇଁ ଏହାର ବିପଦ ଅଧିକ ରହିପାରେ।

ପୂର୍ବରୁ କିଡନୀ ସମସ୍ୟା ଥିଲେ: କିଡନୀର କାର୍ଯ୍ୟକ୍ଷମତା କମ୍ ଥିବା ବ୍ୟକ୍ତି ପେନ୍‌କିଲର ନେବା ପୂର୍ବରୁ ଡାକ୍ତରଙ୍କ ମତ ନେବା ଜରୁରୀ।

ଡାଇବେଟିସ୍ ଥିଲେ: ଦୀର୍ଘଦିନର ଡାଇବେଟିସ୍ କିଡନୀ ଉପରେ ପ୍ରଭାବ ପକାଇପାରେ। ଏପରି ସ୍ଥିତିରେ ଅନିୟନ୍ତ୍ରିତ ପେନ୍‌କିଲର ଅଧିକ କ୍ଷତିକାରକ ହୋଇପାରେ।

ହାଇ ବ୍ଲଡ୍ ପ୍ରେସର ଥିଲେ: ଉଚ୍ଚ ରକ୍ତଚାପ ଓ କିଡନୀ ସମସ୍ୟା ପରସ୍ପର ସହ ଜଡ଼ିତ। ତେଣୁ ଏପରି ରୋଗୀ ନିଜ ଇଚ୍ଛାରେ ପେନ୍‌କିଲର ଖାଇବା ଉଚିତ ନୁହେଁ।

କିଡନୀ ଟେଷ୍ଟରେ ପୂର୍ବରୁ ଗଡ଼ବଡ଼ ଥିଲେ: କ୍ରିଏଟିନିନ୍ କିମ୍ବା ଅନ୍ୟ କିଡନୀ ଟେଷ୍ଟରେ ଅସାମାନ୍ୟତା ଥିଲେ ବିଶେଷ ସତର୍କତା ଜରୁରୀ।

‘ଲୋକାଲ୍ ଡାକ୍ତର’ଙ୍କଠାରୁ ଇଞ୍ଜେକ୍ସନ୍ ନେବାରେ ମଧ୍ୟ ସତର୍କତା

ଡା. ଜୈନଙ୍କ କହିବାନୁସାରେ, ଅନେକ ସମୟରେ ଜ୍ୱର, ମୁଣ୍ଡବଥା କିମ୍ବା ଶରୀର ଯନ୍ତ୍ରଣା ପାଇଁ ଯୋଗ୍ୟ ଚିକିତ୍ସକଙ୍କ ପରାମର୍ଶ ବିନା NSAID ଟାବଲେଟ୍ କିମ୍ବା ଇଞ୍ଜେକ୍ସନ୍ ନିଆଯାଉଛି। ଯଦି ପୂର୍ବରୁ କିଡନୀ ଉପରେ ପ୍ରଭାବ ପଡ଼ିସାରିଛି, ତେବେ ଏଭଳି ଔଷଧ ଅବସ୍ଥାକୁ ଆହୁରି ଜଟିଳ କରିପାରେ।

କ’ଣ କରିବେ?

ସାମାନ୍ୟ ଯନ୍ତ୍ରଣା ପାଇଁ ମଧ୍ୟ ବାରମ୍ବାର ନିଜ ଇଚ୍ଛାରେ ପେନ୍‌କିଲର ଖାଇବା ଅଭ୍ୟାସରୁ ଦୂରେଇ ରହିବା ଭଲ। ଯନ୍ତ୍ରଣା ଲଗାତାର ରହିଲେ ତାହାର କାରଣ ଖୋଜିବା ଆବଶ୍ୟକ। ବିଶେଷକରି ଡାଇବେଟିସ୍, ବ୍ଲଡ୍ ପ୍ରେସର କିମ୍ବା କିଡନୀ ସମସ୍ୟା ଥିଲେ କୌଣସି ପେନ୍‌କିଲର ନେବା ପୂର୍ବରୁ ଯୋଗ୍ୟ ଡାକ୍ତରଙ୍କ ପରାମର୍ଶ ନେବା ସୁରକ୍ଷିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।