Elderly Woman Ration Struggle: ମିଳୁନି ଭତ୍ତା କି ମୁଠାଏ ଚାଉଳ, ଗୋଟିଏ ପାଦରେ ସଂଘର୍ଷ କରୁଛନ୍ତି ୮୦ ବର୍ଷୀୟା ବୃଦ୍ଧା
ପେଟରେ ଭୋକର ଦାଉ, ୮୦ ବର୍ଷର କ୍ଷୀଣ ଶରୀର ।
ନିଜର ବୋଲି ଏ ଦୁନିଆରେ ତାଙ୍କର କେହି ନାହିଁ ।
ହେଲେ ବାର୍ଦ୍ଧକ୍ୟର ଯନ୍ତ୍ରଣାଠୁ ଅଧିକ ନିଷ୍ଠୁର ସାଜିଛି ଏ ସରକାରୀ ବ୍ୟବସ୍ଥା ।
ଚାଉଳ ଗଣ୍ଡାଏ ପାଇଁ ଗୋଟିଏ ପାଦରେ ୬ କିଲୋମିଟର ଚାଲି ଚାଲି ଯିବାକୁ ବାଧ୍ୟ ହେଉଛନ୍ତି ଅସହାୟ ବୃଦ୍ଧା ଜଣକ ।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ଲାଭଟା ପଞ୍ଚାୟତ ବଡ଼କୁମୁଡ଼ାବାଲି ଗାଁର ୮୦ ବର୍ଷୀୟା ସୁନ୍ଦରୀ ବାଗ ।
ସେ ନିଃସହାୟ ଭାବେ ଦୁଃଖକଷ୍ଟରେ ଦିନ କାଟୁଥିବା ବେଳେ ଆଧାର ଲିଙ୍କ୍ ହୋଇନଥିବାରୁ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବି ମିଳୁନି ।
ଶରୀରରେ ବଳ ନାହିଁ, ଗୋଟିଏ ପାଦ ବି ନାହିଁ ।
ହେଲେ ପେଟର ଭୋକ ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା ।
ଗୋଟିଏ ପାଦରେ ଆଶାବାଡ଼ି ଧରି ସରକାରୀ ଚାଉଳ ଗଣ୍ଡାକ ପାଇଁ ତାଙ୍କୁ ପ୍ରାୟ ୬ କିଲୋମିଟର ବାଟ ଯାତାୟାତ କରିବାକୁ ପଡ଼ୁଛି ।
ଅଟୋ ଭଡ଼ା ଦେବାକୁ ପାଖରେ ସମ୍ବଳ ନାହିଁ ।
ତା' ଉପରେ ପୁଣି ଦାଉ ସାଧିଛି ସରକାରୀ ନିୟମ ।
ଆଧାର ଲିଙ୍କ୍ ହୋଇନଥିବା ଦର୍ଶାଇ ତାଙ୍କୁ ମାସକର ଭତ୍ତା ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି ।
ସରକାରୀ ନିୟମ କହୁଛି, ଏଭଳି ସ୍ଥିତିରେ ନୋମିନି ମାଧ୍ୟମରେ ଚାଉଳ ପହଞ୍ଚାଇବା କଥା ।
ହେଲେ ପ୍ରଶ୍ନ ଉଠୁଛି, କାଗଜପତ୍ରର ଏହି ନିୟମ ସୁନ୍ଦରୀ ବାଗ୍ଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ କାହିଁକି ଫେଲ୍ ମାରିଛି ?
ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ପାଇଁ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ସାମାଜିକ ସୁରକ୍ଷା ଯୋଜନା କେବେ ସୁଗମ ହେବ ଓ ପ୍ରଶାସନ କେବେ ତାଙ୍କ ଦୁଆରେ ସହାୟତା ପହଞ୍ଚାଇବ, ତାହା ଏବେ ବଡ଼ ପ୍ରଶ୍ନବାଚୀ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।