ଆମ୍ବୁଲାନ୍ସ ଜଳିବା ପଛର ସତ…
ନନ୍ଦିଘୋଷ ବ୍ୟୁରୋ: ଜଣାପଡିଲା ସେଦିନ କାହିଁକି ଜଳିଥିଲା ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ । କେମିତି ଲାଗିଥିଲା ନିଆଁ ? ଆଉ ଅଳ୍ପକେ ମରଣ ମୁହଁରୁ ଫେରିଆସିଲେ ରୋଗୀ । ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଏବେ ସାମ୍ନାକୁ ଆସିଛି । ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଛନ୍ତି ଘଟଣାର ଗୋଟି ଗୋଟି କରି ସବୁ ସତ। ଏମଭିଆଇଙ୍କ ଆଗରେ ସେଦିନ ଘଟିଥିବା ଘଟଣାର ପ୍ରକୃତ ସତ୍ୟ କହିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ବିକାଶ ପ୍ରଧାନ। ତାଙ୍କ କହିନୁସାରେ, ରୋଗୀଙ୍କୁ ଆମ୍ବୁଲାନ୍ସ ରେ ଭର୍ତ୍ତି କରିବା ପରେ ଅକ୍ସିଜେନ ଚାଲିଥିଲା। ଏହି ସମୟରେ ସମ୍ପର୍କୀୟ ଅକ୍ସିମିଟର ମାଗିଥିଲେ । ଆଉ ଡ୍ରାଇଭର ବିକାଶ ପ୍ରଧାନ ଅକ୍ସିମିଟର ଦେଇଥିବା ବେଳେ ଅଚାନକ ଆମ୍ବୁଲାନ୍ସ ଭିତରେ ଥିବା ବେସିନ ତଳୁ ଏକ ତାରରୁ ନିଆଁ ବାହାରିଥିଲା। ଆଖି ପିଛୁଳାକେ ନିଆଁ ଅକ୍ସିଜେନ ପାଇପରେ ଲାଗିଯାଇଥିଲା, ଯାହା ଫଳରେ ଅକ୍ସିଜେନ ଲିକ ହୋଇଥିଲା। ଆଉ ଏହା ପରେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା। କେହି କିଛି ବୁଝିବା ଆଗରୁ ନିଆଁ ବ୍ୟାପି ଯାଇଥିଲା । ଏହି ସମୟ ଭିତରେ ଜୀବନକୁ ବାଜି ଲଗାଇ ନିଆଁ ଭିତରୁ ଷ୍ଟ୍ରେଚର ଜରିଆରେ ରୋଗୀ ଙ୍କୁ ବାହାରକୁ ନେଇଥିଲେ । ଫଳରେ ରୋଗୀଙ୍କ ଜୀବନ ବଞ୍ଚି ଯାଇଥିଲା । ଆଉ ଅଗ୍ନିଶ୍ରମ ବାହୀନି ଆସିବା ପୂର୍ବରୁ ହିଁ ପ୍ରାୟ ୨୦ ମିନିଟ ଭିତରେ ସମ୍ପୂର୍ଣ୍ଣ ଆମ୍ବୁଲାନ୍ସଟି ଜଳି ପୋଡି ପାଉଁଶ ହୋଇଯାଇଥିଲା।
ସୁଚନା ମୁତାବକ, ସର୍ଟସର୍କିଟ ଯୋଗୁଁ ଆମ୍ବୁଲାନ୍ସ ଭିତରେ ଥିବା ୪ ଗୋଟି ଟାଙ୍କି ମଧ୍ୟରୁ ଦୁଇ ଗୋଟି ଫାଙ୍କା ଟାଙ୍କି ଥିବା ବେଳେ ଗୋଟିଏ ଟାଙ୍କିରୁ ହିଁ ନିଆଁ ଲାଗିଥିଲା, ଯେଉଁ ଟାଙ୍କି ନିଆଁ ଲାଗିଥିଲା ତାହା ହିଁ ପରବର୍ତ୍ତୀ ସମୟରେ ବ୍ଲାଷ୍ଟ ହୋଇଥିଲା । ଯାହାଫଳରେ ପୂରା ଆମ୍ବୁଲାନ୍ସକୁ ନିଆଁ ଗ୍ରାସ କରିନେଇଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଜ ଜୀବନ ସହ ରୋଗୀଙ୍କ ଜୀବନ ମଧ୍ୟ ବଞ୍ଚାଇ ପାରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।