ଉପକୂଳ ମୁହାଁ ବାତ୍ୟା ଅର୍ଣ୍ଣବ
ନନ୍ଦିଘୋଷ ବ୍ୟୁରୋ: ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି ବାତ୍ୟା ଅର୍ଣ୍ଣବ । ଆଜି ସକାଳେ ଘନୀଭୂତ ହୋଇ ବାତ୍ୟା ଅର୍ଣ୍ଣବରେ ପରିଣତ ହୋଇଛି ଗଭୀର ଅବପାତ । ଏହା ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟା ଏବଂ ୨୮ ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପ ନେବା ସମ୍ଭାବନା । କାକିନାଡ଼ାଠାରୁ ପ୍ରାୟ ୬୮୫ କିମି ଦୂରରେ ରହିଛି ବାତ୍ୟା । ବାତ୍ୟାର କେନ୍ଦ୍ର ଚାରିପଟେ ପବନର ବେଗ ଘଣ୍ଟାକୁ ୬୫ କିଲୋମିଟର ଓ ଝଟକା ପବନ ୮୩ କିଲୋମିଟର ରହିଛି । ଏହାର ପ୍ରଭାବରେ ସମୁଦ୍ରରେ ଢେଉର ଉଚ୍ଚତା ପ୍ରାୟ ୩.୭ ମିଟର ରହିଛି । ଗତ ୬ ଘଣ୍ଟାରେ ଘଣ୍ଟାକୁ ପ୍ରାୟ ୯ କିମି ବେଗରେ ପଶ୍ଚିମ ଦିଗକୁ ଗତି କରିଛି । ଆଜି ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟାକୁ ୯୩ କିମି ଓ ଝଟକା ପବନ ୧୨୦ କିମି ହୋଇପାରେ । ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ଆସନ୍ତାକାଲି ସକାଳେ ପବନର ବେଗ ବଢ଼ି ଘଣ୍ଟାକୁ ୧୧୧ କିମି ଓ ଝଟକା ପବନ ୧୩୯ କିମି ହୋଇପାରେ । ସନ୍ଧ୍ୟା ୫ଟା ୩୦ ମିନିଟ୍ ବେଳକୁ ବାତ୍ୟା ସବୁଠାରୁ ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା ରହିଛି । ସେତେବେଳେ ପବନର ବେଗ ଘଣ୍ଟାକୁ ୧୨୦ କିମି ଓ ଝଟକା ପବନ ୧୪୮ କିମି ହୋଇପାରେ । ତେବେ ୨୮ ତାରିଖରେ ଉପକୂଳ ନିକଟରେ ପହଞ୍ଚିବା ବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହେବା ସମ୍ଭାବନା ରହିଛି । ଏହା ଭୀଷଣ ବାତ୍ୟା ଭାବେ ୨୮ ତାରିଖ ଦିନ ଭୋର ସମୟରେ ଆନ୍ଧ୍ରପ୍ରଦେଶ ଆନ୍ଧ୍ରପ୍ରଦେଶର ୟାନାମ୍–କାକିନାଡ଼ା ଉପକୂଳ ଅତିକ୍ରମ କରିପାରେ । ସେତେବେଳେ ପବନର ବେଗ ଘଣ୍ଟାକୁ ୧୦୦–୧୧୦ କିମି ଓ ଝଟକା ପବନ ୧୨୫–୧୪୦ କିମି ହୋଇପାରେ । ଭୋର ୨ଟାରୁ ୫ଟା ମଧ୍ୟରେ ଉପକୂଳ ଅତିକ୍ରମ ଆରମ୍ଭ ହୋଇପାରେ । ସକାଳ ୫ଟାରୁ ୯ଟା ଭିତରେ ବାତ୍ୟାର କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗକୁ ପ୍ରବେଶ କରିପାରେ । ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ବାତ୍ୟା ଉତ୍ତର ଦିଗକୁ ଗତି କରି ଦକ୍ଷିଣ ଛତିଶଗଡ଼ ଆଡ଼କୁ ଯିବ । ୨୯ ଅକ୍ଟୋବର ସକାଳ ୫ଟା ୩୦ ମିନିଟ୍ ସୁଦ୍ଧା ଏହାର କେନ୍ଦ୍ର ଓଡ଼ିଶା ସୀମାର ପଶ୍ଚିମରେ ଥିବା ସୁକମା–ବସ୍ତର ଅଞ୍ଚଳରେ ପହଞ୍ଚିପାରେ । ସେତେବେଳେ ପବନର ବେଗ ଘଣ୍ଟାକୁ ପ୍ରାୟ ୫୬ କିମି ଓ ଝଟକା ପବନ ୭୪ କିମି ହୋଇପାରେ । ବାତ୍ୟା ପ୍ରଭାବରେ ଗଞ୍ଜାମ, ଗଜପତି ଓ ମାଲକାନଗିରି: ଘଣ୍ଟାକୁ ୩୦–୪୫ କିମି, ରାୟଗଡ଼ା ଓ କୋରାପୁଟରେ ଘଣ୍ଟାକୁ ୨୫–୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡଃ ସୁରେନ୍ଦ୍ରନାଥ ପଶୁପାଳକ । ପାଚିଯାଇଥିବା ଧାନକୁ ସମ୍ଭବ ଓ ନିରାପଦ ହେଲେ ଶୀଘ୍ର କାଟି ନିଅନ୍ତୁ। କଟା ଧାନକୁ ବର୍ଷାରୁ ସୁରକ୍ଷିତ ରଖିବା ସହ ଧାନ ଓ ପନିପରିବା ଜମିରୁ ପାଣି ବାହାରିବା ପାଇଁ ନାଳ ସଫା କରିବାକୁ ପରାମର୍ଶ ଦିଆଯାଇଛି । ତେବେ ବାତ୍ୟାର ଗତିପଥ, ଉପକୂଳ ଅତିକ୍ରମ ସମୟ ଓ ଜିଲ୍ଲାୱାରୀ ପବନର ବେଗ ନୂଆ ପାଣିପାଗ ତଥ୍ୟ ଅନୁଯାୟୀ ବଦଳିପାରେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।