କାରଖାନାର ବର୍ଯ୍ୟ ଜଳ ମାଡ଼ି ଟସର ଚାଷ ନଷ୍ଟ
ଯାଜପୁର : କାରଖାନାର ବର୍ଯ୍ୟ ଜଳ ମାଡ଼ି ଟସର ଚାଷ ନଷ୍ଟ। ଶହଶହ ଚାଷୀ କ୍ଷତିଗ୍ରସ୍ତ l କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ମଙ୍ଗଳପୁରରେ ରହିଛି ଏସିଆ ମହାଦେଶର ସର୍ବବୃହତ ଟସର ଫାର୍ମ l ଏହି ଫାର୍ମରେ ଆଖପାଖ ଅଞ୍ଚଳର ଶହ ଶହ ଚାଷୀ ଟସର ଚାଷ କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି l ଏହି ଫାର୍ମକୁ ଲାଗି ରହିଛି ଓଡ଼ିଶା ୱେଷ୍ଟ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ ପ୍ଲାଣ୍ଟ। ତେବେ ପ୍ଲାଣ୍ଟରୁ ଛଡ଼ାଯାଇଥିବା ବିଷାକ୍ତ ବର୍ଜ୍ୟଜଳ ଟସର ଫାର୍ମରେ ମାଡ଼ିବାରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଅସନ ଓ ଅର୍ଜୁନ ଗଛ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।
ବର୍ଷ ବର୍ଷ ଧରି ଟସର ଚାଷ କରି ପରିବାର ଚଳାଉଥିଲେ ଚାଷୀ । ଟସର କୋଷାଗୁଡ଼ିକୁ ସମିତିକୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲେ। ହେଲେ ପ୍ଲାଣ୍ଟର ବିଷାକ୍ତ କେମିକାଲ ପାଣି ମାଡ଼ି ଟସର ଚାଷ ନଷ୍ଟ ହେବା ସହ ଜମିର ମାଟି ମଧ୍ୟ ବିଷାକ୍ତ ହୋଇପଡ଼ିଥିବା ଆଶଙ୍କା କରିଛନ୍ତି ଚାଷୀ। ସେହିପରି କେମିକାଲ ପାଣି ସଂସ୍ପର୍ଶରେ ଆସି ଅନେକ ଲୋକ ରୋଗାକ୍ରାନ୍ତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। କ୍ଷତିପୂରଣ ସହ ଅଲଗା ସ୍ଥାନରେ ଟସର ଫାର୍ମ ଯୋଗାଇଦେବା ଦାବିରେ ପ୍ଲାଣ୍ଟ ସମ୍ମୁଖରେ ଧାରଣାରେ ବସିଛନ୍ତି ଶହ ଶହ ଚାଷୀ। ଅନ୍ୟପଟେ ୧୦ ହଜାରରୁ ଉର୍ଦ୍ଧ୍ବ ଗଛ ନଷ୍ଟ ହୋଇଥିବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅବଗତ କରାଇଛନ୍ତି ଟସର ଫାର୍ମ କତ୍ତୃପକ୍ଷ। ଅଭିଯୋଗ ପରେ ଫାର୍ମକୁ ଯାଇ ଘଟଣାର ତଦନ୍ତ କରିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ।
କାରଖାନାର ବର୍ଜ୍ୟଜଳ ନିଷ୍କାସନ ଯୋଗୁଁ ଏବେ ସଙ୍କଟରେ ଶହ ଶହ ଚାଷୀଙ୍କ ଜୀବନ-ଜୀବିକା । ପ୍ରକୃତ ଦୋଷୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି? କେବେ ଚାଷୀଙ୍କୁ ମିଳୁଛି ଉଚିତ୍ କ୍ଷତିପୂରଣ? ତାହା ଦେଖିବାକୁ ବାକି ରହିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।