କାରଖାନା ଆମର, ଚାକିରି କାହାର? ତାତିଲେ ଲାଠିକଟା ଗ୍ରାମବାସୀ
ନନ୍ଦିଘୋଷ ବ୍ୟୁରୋ : ଧୂଳି ଧୂଆଁ ଖାଉଛନ୍ତି । କଳକାରଖାନା ପାଇଁ ଜମିରୁ ବିସ୍ଥାପିତ ହେଉଛନ୍ତି । ଯାତାୟତ ବେଳେ ଖାଲଖମା ରାସ୍ତା ପାଇଁ ବିପଦରେ ବି ପଡୁଛନ୍ତି । ହେଲେ ନିଜ ଅଞ୍ଚଳର କମ୍ପାନୀରେ ମିଳୁନି ଚାକିରି । ନିଯୁକ୍ତି ପ୍ରଦାନ ବେଳେ ଅନ୍ୟ ରାଜ୍ୟର ଯୁବକ ଯୁବତୀଙ୍କୁ ଦିଆଯାଉଛି ଅଗ୍ରାଧିକାର । କମ୍ପାନୀ ମାନଙ୍କ ଏଭଳି ମନୋଭାବକୁ ନେଇ ଏବେ ତାତିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲର ଟାଇଁସର ଗ୍ରାମବାସୀ । ମେସର୍ସ ଜୟ ବାଲାଜୀ ଜ୍ୟୋତି ଷ୍ଠିଲପ୍ଲାଣ୍ଟ ଯୋଗୁ ସ୍ଥାନୀୟ ବାସିନ୍ଦାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଛି । ଏତେସବୁ ସମସ୍ୟା ଭେଗୁଥିବା ଲୋକେ କିନ୍ତୁ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଦାବି କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଥିବା ସ୍ପଞ୍ଜ ଆଇରନ୍ କାରଖାନା ସହ ବିଭିନ୍ନ କାରଖାନା ଯୋଗୁ ସ୍ଥାନୀୟ ଗ୍ରାମରେ ପରିବେଶ ପ୍ରଦ୍ୟୁଷଣ ହେଉଥିବା, ଚାଷ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ଏହି ସମସ୍ୟା ଭୋଗୁଥିବା ଗ୍ରାମବାସୀଙ୍କୁ ଆବଶ୍ୟକ ନିଯୁକ୍ତି ମିଳୁନଥିବା ମଧ୍ୟ ଅଭିଯୋଗ ହେଉଛି । ସେପଟେ ପ୍ରଦ୍ୟୁଷଣ ରୋକିବା ସହ ସ୍ଥାନୀୟ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଥିବା କାରଖାନା କର୍ତ୍ତୃପକ୍ଷ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।