ଗଞ୍ଜାମ ବନ୍ୟାର ଅସନ୍ତୋଷ: ବିଧାୟକଙ୍କୁ ମାଡ଼, ପ୍ରଶାସନିକ ଅଧିକାରୀଙ୍କୁ ଗୋଡ଼ାଉଛନ୍ତି ଲୋକେ
ଗଞ୍ଜାମ ବନ୍ୟାର ଅସନ୍ତୋଷ: ବିଧାୟକଙ୍କୁ ମାଡ଼, ପ୍ରଶାସନିକ ଅଧିକାରୀଙ୍କୁ ଗୋଡ଼ାଉଛନ୍ତି ଲୋକେ
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମରେ ପ୍ରଳୟଙ୍କାରୀ ବନ୍ୟା ଲୋକଙ୍କ ଆଖିର ନିଦ ହଜାଇ ଦେଇଥିବା ବେଳେ ରାଜ୍ୟ ବିଜେପି ସରକାର ଓ ସ୍ଥାନୀୟ ପ୍ରଶାସନ ଉପରେ ଯେମିତି କିଛି ପ୍ରଭାବ ପକାଇନାହିଁ । ଲୋକେ ବନ୍ୟାରେ ସର୍ବସ୍ବ ହରାଇ ଦାଣ୍ଡକୁ ଚାଲି ଆସିଛନ୍ତି । ହେଲେ ଠିକ ସମୟରେ ନା ପ୍ରଶାସନ ନା ସରକାର ତାଙ୍କ ପାଖରେ ପହଞ୍ଚିଛି । ଆଉ ବନ୍ୟାର ତିନିଦିନ ପରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ହଟହଟା ହେଉଛନ୍ତି ପ୍ରଶାସନିକ ଅଧିକାରୀ ଏବଂ ବିଜେପି ଲୋକ ପ୍ରତିନିଧି । ଏପରିକି ବିଜେପି ବିଧାୟକଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ଉତ୍ତ୍ୟକ୍ତ ଲୋକେ ।
ବିଧାୟକଙ୍କୁ ମାଡ଼
ବନ୍ୟାର ତିନିଦିନ ପରେ ପୁରୁଷୋତ୍ତମପୁର ଅଞ୍ଚଳ ପରିଦର୍ଶନ କରିବାକୁ ଆସି ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଖଲ୍ଲିକୋଟର ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଘେରି ଯାଇ ନିଜର ଅସନ୍ତୋଷ ଜାହିର କରିଥିଲେ । ଏହାସହ ତାଙ୍କୁ ଘୋଷଡି ନେଇ ତଳେ ପକାଇ ଦେଇଥିଲେ । ଆକ୍ରମଣର ଶିକାର ହେବା ପରେ ବିଧାୟକ ନିଜ ଗାଡିରେ ବସି ପଡ଼ି ସେଠାରୁ ଫେରି ଯାଇଥିଲେ ।
ଶେରଗଡ଼ରେ ପ୍ରଶାସନକୁ ଘେରିଲେ
କେବଳ ପୁରୁଷୋତ୍ତମପୁର ନୁହେଁ, ଶେରଗଡ଼ରେ ମଧ୍ୟ ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ବନ୍ୟାଞ୍ଚଳ ପରିଦର୍ଶନରେ ଆସିଥିବା ଅତିରିକ୍ତ ଜିଲ୍ଲାପଳ ସଚିଦାନନ୍ଦ ନାୟକ ଏବଂ ଶେରଗଡ଼ ବିଡିଓ ତୃପ୍ତିମୟୀ ଜେନାଙ୍କ ଗାଡିକୁ ଶେରଗଡ଼ ମୁଖ୍ୟ ବଜାରରେ ଅଟକାଇଥିଲେ ଲୋକେ । ଏହାପରେ ସେଠାରେ ଏକାଠି ହୋଇଯାଇଥିଲେ ଶହ ଶହ ଉତ୍ତ୍ୟକ୍ତ ଲୋକେ । ଗୋ-ବ୍ୟାକ୍, ଗୋ-ବ୍ୟାକ୍ ଡାକରେ ପୂରା ଅଞ୍ଚଳ କମ୍ପିଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଦୁଇ ପ୍ରଶାସନିକ ଅଧିକାରୀ ଗାଡିରୁ ଓହ୍ଲାଇ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବାକୁ ସାହାସ ମଧ୍ୟ କରିପାରିଲେ ନାହିଁ । ଶେଷରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇ ସେଠାରୁ ଫେରି ଯିବାକୁ ବାଧ୍ୟ ହୋଇଥିଲେ ।
ବିଡିଓଙ୍କ ଗାଡି ଆଗରେ ଶୋଇଲେ
ସାନଖେମୁଣ୍ଡିରେ ମଧ୍ୟ ଦେଖିବାକୁ ମିଳିଛି ଅସନ୍ତୋଷ । ସାନଖେମୁଣ୍ଡି ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଏପରିକି ତାଙ୍କ କାର ସାମ୍ନାରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଶୋଇଯାଇଥିଲେ । ବନ୍ୟା ସତ୍ତ୍ବେ ପ୍ରଶାସନିକ ଅଧିକାରୀଙ୍କ ଦେଖା ନମିଳିବା ପ୍ରତିବାଦରେ ଏପରି କରିଥିଲେ ସରପଞ୍ଚଙ୍କ ପ୍ରତିନିଧି । ଅର୍ଣ୍ଣବ ବାତ୍ୟା ପରେ ପ୍ରବଳ ବର୍ଷା ଯୋଗୁଁ ସବୁଠି ଜଳ ପ୍ରଳୟ ଦେଖିବାକୁ ମିଳିଛି । ସମସ୍ତ କାର୍ଯ୍ୟାଳୟ ସହ ବିଦ୍ୟାଳୟ ବନ୍ଦ ରହିଛି । ପାଣି ଥିବାରୁ ଅନେକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇ ପାରିନି । ଲୋକଙ୍କ ବିପଦ ସମୟରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖାମିଳି ନଥିଲା । ଏମିତି ସ୍ଥିତିରେ ବିଡିଓଙ୍କ କାର ଆଗରେ ଶୋଇ ପ୍ରତିବାଦ ଜଣାଇଥିଲେ ସରପଞ୍ଚଙ୍କ ପ୍ରତିନିଧି ମିଥୁନ ସେଠୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।