ଦୁଇ ଗାଁର ନିଆରା ବନ୍ଧୁତା…

Oct 16, 2026 - 18:29
ଦୁଇ ଗାଁର ନିଆରା ବନ୍ଧୁତା…

ନନ୍ଦିଘୋଷ ବ୍ୟୁରୋ: ଯେଉଁଠି ରକ୍ତ ସଂପର୍କ ଫିକା ପଡେ। ସେଠି ଗାଁ ପାଲଟିଛି ବିପଦ ବେଳର ସାଥୀ। ଆମେ କହୁଛୁ ୨ଟି ଗାଁର କଥା । ଯାହା ବନ୍ଧୁ ଗାଁ ନାମରେ ପରିଚିତ। କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଆଙ୍କୁଲା ଗାଁ ଓ ନବରଙ୍ଗପୁର ଜିଲ୍ଲା ଦୁଗଲାହାଣ୍ଡି ଗାଁ କାହାଣୀ । ବନ୍ୟା ଦ୍ୱାରା ସମାନ ଭାବେ ପ୍ରଭାବିତ ହୋଇଥିଲେ ଦୁଇ ଗାଁ। ବିପଦ ଉଭୟଙ୍କ ପାଇଁ ବି ସମାନ ଥିଲା । କିନ୍ତୁ  ନିଜେ ବିପଦରେ ରହି ମଧ୍ୟ ନିଜ ବନ୍ଧୁକୁ ଭୁଲି ନଥିଲେ ଉଭୟ ଗ୍ରାମବାସୀ। ବାଧକ ସାଜିଥିବା ଉଛଳା ନଦୀ ପାର କରି ବନ୍ଧୁ ଗାଁର ବିପଦରେ ଛିଡା ହୋଇ ସହଯୋଗର ହାତ ବଢ଼ାଇଥିଲେ । ଚାଉଳ, ଡାଲି, ପରିବା, ଚୁଡ଼ା, କଦଳୀ, ବିସ୍କୁଟ୍, ମିକ୍ସର, ପାଣି ବୋତଲ ଓ କମ୍ବଳ ଧରି ପହଞ୍ଚିଥିଲେ ଆଙ୍କୁଲା ଗ୍ରାମବାସୀ । ସେମାନଙ୍କ ଗୋଡ଼ ଧୋଇ, ମଥାରେ ଚନ୍ଦନ ଲଗାଇ ସ୍ବାଗତ କରିଥିଲେ ଦୁଗଲାହାଣ୍ଡି ଗ୍ରାମବାସୀ । ବଡ଼ମାନଙ୍କ ପାଦ ଛୁଇଁ ଛୋଟମାନେ ଜୁହାର ହୋଇଥିଲେ। କିଛି ସମୟ ପାଇଁ ସୃଷ୍ଟି ହୋଇଥିଲା ଭାବବିହ୍ବଳ ପରିବେଶ ।

ଆଜିକାଲିର ଡିଜିଟାଲ୍ ଯୁଗରେ କିଏ କାହାକୁ ଛୋଟିଆ ସାହାଯ୍ୟଟିଏ କଲେ, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଛାଇ ଯାଉଛି। ହେଲେ ଏଠିକାର ଚିତ୍ର ସଂପୂର୍ଣ୍ଣ ଅଲଗା। ପୂର୍ବ ପୁରୁଷ ଅମଳରୁ ୨ ଗାଁ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ଯାନିଯାତ୍ରା ସୁଖ ଦୁଃଖରେ ସାମିଲ ହେଉଥିଲେ ଉଭୟ ଗ୍ରାମବାସୀ । ଯେଉଁ ପରମ୍ପରାକୁ ଆଜି ମଧ୍ୟ ବଜାୟ ରଖିଛନ୍ତି ଗ୍ରାମବାସୀ। ଦୁଇ ଗାଁରେ ହେଉଥିବା ଯାନିଯାତ୍ରା ସୁଖ ଦୁଖରେ ପରସ୍ପର ସାମିଲ ହେଉଛନ୍ତି । ଯାହା ସେମାନଙ୍କ ସଂପର୍କକୁ ଆହୁରି ନିବିଡ଼ କରିଛି।  ଯେଉଁଠି ପରିବାର ମଧ୍ୟରେ ତିକ୍ତତା  ଓ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି। ସେଇଠି ଏହି ଦୁଇ ଗାଁ ମଧ୍ୟରେ ଥିବା ବନ୍ଧୁତ୍ବ ପରମ୍ପରା ଅନ୍ୟଙ୍କ ପାଇଁ ଉଦାହରଣ ନିଶ୍ଚିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।