ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର: ପୋଲିସ ଗୁଳିରେ ଅର୍ଜୁନ ପ୍ରଧାନ ଆହତ

Oct 23, 2026 - 08:42
ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର: ପୋଲିସ ଗୁଳିରେ ଅର୍ଜୁନ ପ୍ରଧାନ ଆହତ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ୨୦ରୁ ଅଧିକ ସଙ୍ଗୀନ ଅପରାଧରେ ଜଡିତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ନନ୍ଦିପଦା ପୋଲିସ ଏନକାଉଣ୍ଟର କରିଛି। ପୋଲିସର ପାଲଟା ଗୁଳିରେ ଅଭିଯୁକ୍ତ ଅର୍ଜୁନ ପ୍ରଧାନ ଆହତ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଛେନାପଦୀ ନିକଟ ଅସିଆ ଗାଁ ପାଖରେ ଅପରାଧୀ ଜଣକ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ଅର୍ଜୁନର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ତେବେ ଗୁଳି ମାଡ଼ରେ ଆହତ ହେବା ପରେ ତୁରନ୍ତ ତାକୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଓ ଆଶୁ ଚିକିତ୍ସା କରାଯିବା ପରେ ତାର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୭ ତାରିଖରେ ସୋସୋ ଥାନା ଅନ୍ତର୍ଗତ ବନ୍ତଳା ଗାଁରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ବନ୍ଧୁକ ଦେଖାଇ ଗୁଳି ଫୁଟାଇ ଭୟଭୀତ କରିବା ସହ ଲୁଟ୍ କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ଏହି ଅର୍ଜୁନ ପ୍ରଧାନ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଅର୍ଜୁନ ପ୍ରଧାନ ଯାଜପୁର ଜିଲ୍ଲା ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗାଁର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।