ବଢିଲା ବାତ୍ୟା ଆଶଙ୍କା !

Oct 11, 2026 - 08:25
ବଢିଲା ବାତ୍ୟା ଆଶଙ୍କା !

ନନ୍ଦିଘୋଷ ବ୍ୟୁରୋ: ଆଜି ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ଥାଇଲାଣ୍ଡ ଉପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଯାହା ସମୁଦ୍ରପତ୍ତନ ଠାରୁ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି । ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ଏହା ଅବପାତ ରୂପ ନେବା ନେଇ ବଢୁଛି ଆଶଙ୍କା ।  ଆଉ ଅବପାତରେ ପରିଣତ ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ; ତାହା ମଧ୍ୟ ଅସ୍ପଷ୍ଟ ରହିଛି । ପାଣିପାଗ ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ପରିସ୍ଥିତି ବିଶେଷ ଅନୁକୂଳ ନାହିଁ । ଲଘୁଚାପର ପରବର୍ତ୍ତୀ ଗତିବିଧି ଉପରେ ନଜର ରଖାଯାଇଛି । ଲଘୁଚାପ ସୃଷ୍ଟି ହେବା ପରେ ହିଁ ବାତ୍ୟା ହେବ କି ନାହିଁ, ତାହା ସ୍ପଷ୍ଟ ହାେଇପାରିବ ।

ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଗତ ଦୁଇ ତିନି ଦିନ ହେବ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି । ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ୨୧ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ତେବେ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,  ଆଗାମୀ ୭ ଦିନ ମଧ୍ୟରେ ଦିନ ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଅନ୍ୟପକ୍ଷରେ, ରାଜ୍ୟରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଲଘୁଚାପ ହେଲେ ଦୁର୍ଗା ପୂଜା ଫିକା ପଡିପାରେ ବୋଲି ଲୋକଙ୍କ ଭିତରେ ଆଶଙ୍କା ବଢିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।