ବନ୍ୟା ପନ୍ନଙ୍କ ଦୁଃଖରେ ସାମିଲ ନବୀନ, ଏଥର ପାଳିବେନି ଦୀପାବଳ
ନନ୍ଦିଘୋଷ ବ୍ୟୁରୋ : ଏଥର ଦୀପାବଳି ପାଳିବେନି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ବନ୍ୟା ବିଧ୍ବସ୍ତ ଗଞ୍ଜାମ, ଗଜପତି ଓ କନ୍ଧମାଳବାସୀଙ୍କୁ ଦୁଃଖରେ ସାମିଲ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ନବୀନ। ଲୋକଙ୍କ ଜୀବନରେ ଯେଉଁଠି ଏବେ ଦୁଃଖ ଓ ଯନ୍ତ୍ରଣାର କଳାବାଦଲ ଛାଇ ରହିଛି, ସେଠି ଆଲୋକର ପର୍ବ ଦୀପାବଳି ପାଳନ କରିବା ଉଚିତ୍ ନୁହେଁ ବୋଲି ନିଷ୍ପତ୍ତି ନେଇଛନ୍ତି ।
ନବୀନ ପଟ୍ଟନାୟକ କହିଛନ୍ତି, ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ପରିବାର ନିଜର ଘରଦ୍ୱାର, ଚାଷଜମି ଓ ଜୀବିକା ହରାଇ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବନ୍ୟା ପରେ ସୃଷ୍ଟି ହୋଇଥିବା ସ୍ଥିତି ଲୋକଙ୍କ ଜୀବନକୁ ଅଧିକ ଦୁର୍ବିଷହ କରିଦେଇଛି।
ସେହିପରି କନ୍ଧମାଳରେ ଭୂସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇ ନିଖୋଜ ଥିବା ଲୋକଙ୍କ ଉଦ୍ଧାର ନେଇ ମଧ୍ୟ ନବୀନ ଚିନ୍ତା ପ୍ରକଟ କରିଛନ୍ତି। ଅନେକ ପରିବାର ଏବେ ବି ନିଜ ଆତ୍ମୀୟଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ଏଭଳି ଦୁଃଖଦ ସମୟରେ ବିପନ୍ନଙ୍କ ସହ ଛିଡ଼ା ହେବା ହିଁ ତାଙ୍କର ପ୍ରାଥମିକତା ବୋଲି ଜଣାଇଛନ୍ତି ନବୀନ।
ଅନ୍ୟପଟେ ଆଜି ଗଞ୍ଜାମ ଗସ୍ତରେ ଯାଇ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ ନବୀନ। ପ୍ରଥମେ ଶେରଗଡ଼ରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଥିଲେ । ଏହାସହ ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ହିଞ୍ଜିଳିକାଟୁ, ଆସିକା ଓ ସୋରଡ଼ା ଅଞ୍ଚଳ ମଧ୍ୟ ଗସ୍ତ କରିଥିଲେ ନବୀନ ପଟ୍ଟନାୟକ ।
ତେବେ ଆଲୋକର ପର୍ବ ଦୀପାବଳିରେ ଯେତେବେଳେ ଚାରିଆଡ଼େ ଦୀପ ଜଳିବ, ସେତେବେଳେ ବିପନ୍ନ ପରିବାରଙ୍କ ଦୁଃଖକୁ ମନେ ପକାଇ ଉତ୍ସବଠାରୁ ଦୂରେଇ ରହିବେ ରାଜ୍ୟର ଏହି ପ୍ରମୁଖ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।