ବାପ-ପୁଅ ୪୨୦: ବିଶ୍ବାସ ଜିତି କରୁଥିଲେ ଚୋରି !
ନନ୍ଦିଘୋଷ ବ୍ୟୁରୋ: ଚୋର ସର୍ଦ୍ଦାର ବାପା ପୁଅ। ଗାଡି ଲୁଟିବାର ବାହାର କରିଥିଲେ ନୂଆ ଫର୍ମୁଲା । ଟାର୍ଗେଟରେ ଥିଲା ଟ୍ରକ୍ । ପ୍ରଥମେ ବିଶ୍ବାସ ଜିତୁଥିଲେ, ଆଉ ତା’ପରେ ଗାଡି ଧରି ଚମ୍ପଟ ମାରୁଥିଲେ । ଏଗ୍ରିମେଣ୍ଟ କରି ଟ୍ରକ୍ ନେଉଥିଲେ, ପରେ ରାଜ୍ୟ ବାହାରେ ବିକ୍ରି କରି ଦେଉଥିଲେ । ୨୦୧୯ରୁ ଚାଲିଥିଲା ଏହି ଆନ୍ତଃରାଜ୍ୟ ଟ୍ରକ୍ ଚୋରି ରାକେଟ୍। ପୁରା ପରିବାର ଏହି ରାକେଟ୍ ରେ ସାମିଲ ଥିଲେ । ଦୀର୍ଘ ୭ ବର୍ଷ ଧରି ଚାଲିଥିଲା ଏହି ଚୋରା କାରବାର । ହେଲେ କୁହନ୍ତି ନାଁ, ଚୋର ଘର ସୁବଦିନ ଅନ୍ଧାର ନୁହେଁ । ୩୦ରୁ ଅଧିକ ଟ୍ରକ୍ ଚୋରି ଅଭିଯୋଗ ହେବା ପରେ ମଞ୍ଚେଶ୍ୱର ଥାନା ପୋଲିସ ପଞ୍ଝାରେ ପଡିଥିଲେ ଦୁଇ ଅଭିଯୁକ୍ତ ବାପ-ପୁଅ । କେନ୍ଦୁଝର ଚମ୍ପୁଆରୁ ଧରାପଡ଼ିବା ପରେ ଏବେ ଖୋଲିବାରେ ଲାଗିଛି ଟ୍ରକ୍ ଚୋରିର ପୂରା ନେଟୱର୍କ।
ପ୍ରଥମେ ଟ୍ରକ୍ ଉପରେ ନଜର, ତା’ପରେ ବ୍ୟବସାୟର ବାହାନା। ଗାଡ଼ି ମାଲିକଙ୍କ ବିଶ୍ୱାସ ଜିତି ଏଗ୍ରିମେଣ୍ଟରେ ନେଉଥିଲେ ଟ୍ରକ୍। ଆଉ ତା’ପରେ ଗାଡ଼ି ଧରି ହୋଇଯାଉଥିଲେ ଗାଏବ । ଓଡ଼ିଶାରୁ ଟ୍ରକ୍ ନେଇ ରାଜ୍ୟ ବାହାରେ ବିକ୍ରି କରି ଦେଉଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ଏହି ରାକେଟ୍ରେ ବାପା ନିରଞ୍ଜନ ମହାପାତ୍ର ଗାଡ଼ି ବିକ୍ରିର ଡିଲ୍ କରୁଥିବା ବେଳେ, ବଡ଼ ପୁଅ ଅଶୋକ ମହାପାତ୍ର ଟ୍ରକ୍ ନେଇ ଫେରାର ହେଉଥିଲେ। ସାନ ପୁଅ ମନୋଜ ମହାପାତ୍ର ଗାଡ଼ି ମାଲିକଙ୍କ ବିଶ୍ୱାସ ଜିତିବାର ଦାୟିତ୍ୱ ନେଉଥିବା ଅଭିଯୋଗ ହୋଇଛି।
ତେବେ ଗୋଟିଏ କି ଦୁଇଟି ଟ୍ରକ୍ ନୁହେଁ, ବରଂ ୩୦ରୁ ଅଧିକ ଟ୍ରକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଟଙ୍କା କାରବାର ପାଇଁ ୧୫ରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ ବ୍ୟବହାର କରାଯାଉଥିଲା । ଭଞ୍ଜନଗର, ପିପିଲି, ବାଦାମବାଡ଼ି ଓ ବୌଦ୍ଧ ଭଳି ଅଞ୍ଚଳରେ ଏହି ଗ୍ୟାଙ୍ଗ୍ ବିରୋଧରେ ମାମଲା ଥିବା ସୂଚନା ମିଳିଛି। ଗତ ଅଗଷ୍ଟ ମାସରେ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଟ୍ରକ୍ ଚୋରି ହେବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ସିସିଟିଭି ଫୁଟେଜ୍ ଯାଞ୍ଚ ସହ ବିଭିନ୍ନ ତଥ୍ୟକୁ ଆଧାର କରି କେନ୍ଦୁଝର ଚମ୍ପୁଆରେ ପହଞ୍ଚିଥିଲା ପୋଲିସ। ଏହି ରାକେଟ୍ରେ ଆଉ କିଏ କିଏ ସାମିଲ ଅଛନ୍ତି, ଚୋରି ଟ୍ରକ୍ କେଉଁଠି ବିକ୍ରି ହୋଇଛି ଏବଂ ଟଙ୍କା କାରବାରର ପୂରା ହିସାବ କ’ଣ, ବର୍ତ୍ତମାନ ତାହାର ଖୋଳତାଡ଼ କରୁଛି ମଞ୍ଚେଶ୍ୱର ଥାନା ପୋଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।