ମହାଳୟାରେ ପିଣ୍ଡ ନଦେଲେ ରାଗିଯାନ୍ତି ପିତୃପୁରୁଷ !

Oct 10, 2026 - 19:15
ମହାଳୟାରେ ପିଣ୍ଡ ନଦେଲେ ରାଗିଯାନ୍ତି ପିତୃପୁରୁଷ !

ନନ୍ଦିଘୋଷ ବ୍ୟୁରୋ: ଆଜି ମହାଳୟା ଅମାବାସ୍ୟା । ଆଶ୍ଵିନ ପ୍ରତିପଦାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଅନ୍ତିମ ଦିନ । ସେଥିପାଇଁ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗର କୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା  । ଶ୍ରୀମନ୍ଦିର ଚାରିପଟେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା । ସକାଳୁ ସକାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହ ମହାପ୍ରସାଦ ସମର୍ପଣ କରିଥିଲେ ଦୂର ଦୂରାନ୍ତରୁ ଆସିଥିବା ଅନେକ ଶ୍ରଦ୍ଧାଳୁ । ତେବେ ଗତ କିଛିବର୍ଷ ହେଲା ବାଇଶି ପାହାଚରେ ଶ୍ରାଦ୍ଧ ଦେବା ବନ୍ଦ ରହିଥିବାରୁ ଶ୍ରୀମନ୍ଦିର ବାହାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଛନ୍ତି ଶ୍ରଦ୍ଧାଳୁ। ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହ, ମାତା, ମାତାମହ, ପ୍ରପିତାମୟି, ବୃଦ୍ଧ ପ୍ରମାତାମୟୀଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହ ମହାପ୍ରସାଦ ଅର୍ପଣ କରିଛନ୍ତି । ପିତୃପକ୍ଷରେ ଶ୍ରାଦ୍ଧ ଓ ତିଳତର୍ପଣ କଲେ ସପ୍ତପୁରୁଷ ଆତ୍ମତୃପ୍ତି ଲାଭ କରିଥାନ୍ତି ବୋଲି ବିଶ୍ବାସ ରହିଛି । ତେବେ ବର୍ଷା ସତ୍ତ୍ବେ ପିଣ୍ଡଦାନ କରି ମହାପ୍ରଭୁଙ୍କୁ ଦର୍ଶନ ଲାଭ କରି କୃତାର୍ଥ ହୋଇଛନ୍ତି ଶ୍ରଦ୍ଧାଳୁ ।

ଆଶ୍ଵିନ ପ୍ରତିପଦାରୁ ଆରମ୍ଭ ହୋଇଥିବା ଏହି ପିତୃପକ୍ଷର ୧୫ ଦିନ ଧରି ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରିବାର ବିଧି ରହିଛି । ତେଣୁ ଭୁବନେଶ୍ବର ବିନ୍ଦୁ ସାଗର କୂଳରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ସେମାନଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିବା ଦେଖିବାକୁ ମିଳିଛି । ବ୍ରାହ୍ମଣଙ୍କ ଦ୍ବାରା ତୀଳତର୍ପଣ କରି ପରିବାରର ମଙ୍ଗଳ କାମନା କରିବା ସହ ପିତୃପୁରୁଷ ମୋକ୍ଷ ପ୍ରାପ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।