ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କୁ ପିଣ୍ତଦାନ
ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ମହାଳୟା। ଏହି ମହାଳୟା ତିଥି ପିତୃପକ୍ଷର ଶେଷ ଦିନ ହୋଇଥିବାରୁ ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ବିଶେଷକରି, ମହାଳୟାରେ ପିଣ୍ଡଦାନ କଲେ ପିତୃପୁରଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଆଜିର ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ରରେ ମହୋଦଧି ସହ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିତୃପୁରୁଷଙ୍କୁ ପିଣ୍ତ ଦାନ କରାଯାଇଥାଏ । ତେବେ ବିଧି ପରମ୍ପରା ଅନୁଯାୟୀ ମହାଳୟା ତିଥିରେ ଅଟାଗୁଳାର ପିଣ୍ତ ତିଆରି କରି ଦାନ କରିବା ସହ ବ୍ରାହ୍ମଣଙ୍କୁ ମହାପ୍ରସାଦ ଭୋଜନ କରାଇଲେ ପିତୃପୁରୁଷ ମୋକ୍ଷ ହୋଇଥାଆନ୍ତି ବୋଲି ବିଶ୍ବାସ ରହିଛି । ଯେଉଁମାନେ ତିଥି ଅନୁସାରେ ପିଣ୍ଡଦାନ କରି ନପାରନ୍ତି ସେମାନେ ମହାଳୟାରେ ପିଣ୍ଡଦାନ କରିଥାନ୍ତି ।
ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠରେ ଥିବା ପ୍ରସିଦ୍ଧ ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଦୁରଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ କରୁଛନ୍ତି। ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।