ମହିଳା ସାମ୍ବାଦିକଙ୍କୁ ଆକ୍ରମଣ: ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ତାଗିଦ୍ !

Oct 13, 2026 - 16:25
ମହିଳା ସାମ୍ବାଦିକଙ୍କୁ ଆକ୍ରମଣ: ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ତାଗିଦ୍ !

ନନ୍ଦିଘୋଷ ବ୍ୟୁରୋ: କାହିଁକି ମହିଳା ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଲା ? ଦିଲ୍ଲୀ ପୋଲିସକୁ ତାଗିଦ୍ କଲେ ସର୍ବୋଚ୍ଚ ଅଦାଲତ  । କୋର୍ଟରେ ହାଜର ହୋଇ ଏହାର ଉତ୍ତର ରଖିବାକୁ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ । ଏକ ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସିଜେପି ଆନ୍ଦୋଳନ ବେଳେ ଦିଲ୍ଲୀ ପୋଲିସର ଦମନଲୀଳା ଓ ଆନ୍ଦୋଳନକାରୀଙ୍କ ଉପରେ ବାହାର ଦୁର୍ବୃତ୍ତଙ୍କ ଆକ୍ରମଣ ନେଇ ସୁପ୍ରିମକୋର୍ଟରେ ଆଜି ହୋଇଥିଲା ଶୁଣାଣି। ମହିଳା ସାମ୍ଵାଦିକଙ୍କ ଉପରେ ବି ସେହି ଦିନ ଆକ୍ରମଣ ହୋଇଥିଲା । ପୋଲିସ ବର୍ଦିରେ ନ ଥିବା କେତେକ ବ୍ୟକ୍ତି ବି ଆନ୍ଦୋଳନକାରୀଙ୍କୁ ନିସ୍ତୁକ ପିଟିଥିଲେ। ଏହି ଘଟଣା ଘଟିଥିଲା ଅକ୍ଟୋବର ୧୦ ଓ ୧୧ ତାରିଖରେ। ଆଉ ଆଜି ଏହି ମାମଲାର ଶୁଣାଣି ବେଳେ ହାଜର ହେବାକୁ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କେଉଁ ପରିସ୍ଥିତିରେ ମହିଳା ସାମ୍ବାଦିକଙ୍କ ଉପରେ ମାରପିଟ ହେଲା, ତାହାର ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନେଟୱର୍କ ଅଫ୍ ୱିମେନ ଇନ୍ ମିଡିଆ ତରଫରୁ ଏହି ମାମଲା ରୁଜୁ ହୋଇଛି। ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ବିଶେଷ କରି ମହିଳାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଏହି ସଂଗଠନ ଆବେଦନ କରିଛି। ଆସନ୍ତା ଗୁରୁବାର ଏହି ମାମଲାର ଶୁଣାଣି ହେବ। ଏହା ସହିତ ଏକ ଅଦାଲତ ଅବମାନନା ମାମଲା ବି ରୁଜୁ ହୋଇଛି ଦିଲ୍ଲୀ ପୋଲିସ ବିରୋଧରେ। କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ପୋଲିସ ଦମନଲୀଳା ଚଳାଇଥିଲା, ସାମ୍ବାଦିକଙ୍କୁ ମାଡ଼ ମାରିଥିଲା। ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ କୌଣସି ପ୍ରକାରରେ ହଇରାଣ ନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତା ସତ୍ତ୍ଵେ ସେମାନଙ୍କ ଉପରେ ଆକ୍ରମଣ ହୋଇଛି। ନିର୍ଦ୍ଦିଷ୍ଟ ସମୟ ଭିତରେ ନିରପେକ୍ଷ ଭାବେ ଏହାର ତଦନ୍ତ ପାଇଁ ଦାବି କରାଯାଇଛି। ତା ସହିତ ଖବର ସଂଗ୍ରହ ବେଳେ ସେମାନଙ୍କୁ ଯେମିତି ଠେଲାପେଲା କରାନଯାଏ, ଧମକ ଦିଆନଯାଏ, ଅଟକ ରଖାନଯାଏ କିମ୍ଵା ବଳପୂର୍ବକ ସେଠାରୁ ହଟାନଯାଏ, ତାହା ସୁନିଶ୍ଚିତ କରିବାକୁ ଦାବି କରାଯାଇଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।