ମୋଦୀଙ୍କ ପ୍ରତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ କଟୁ ମନ୍ତବ୍ୟ, ତେଜିଲା ରାଜନୈତିକ ବିବାଦ

Oct 26, 2026 - 17:13
ମୋଦୀଙ୍କ ପ୍ରତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ କଟୁ ମନ୍ତବ୍ୟ, ତେଜିଲା ରାଜନୈତିକ ବିବାଦ

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ କଟୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବିବାଦ । ଏହାର ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭ କରୁଛି ବିଜେପି। ଖଡ଼ଗେଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସକୁ ଘେରିଛି ବିଜେପି। ରାଜନୈତିକ ଶାଳୀନତା ଭୁଲି କଂଗ୍ରେସ ମୋଦୀ ଓ ତାଙ୍କ ପରିବାର ବିରୋଧରେ ବ୍ୟକ୍ତିଗତ ଆକ୍ରମଣ କରୁଥିବା ସେମାନେ ଅଭିଯୋଗ କରିଥିଲେ। ଖଡଗେଙ୍କ ବୟାନକୁ ନେଇ ରାଜନୀତିକ ବୟାନ ଯୁଦ୍ଧ ଆରମ୍ଭ ହୋଇଛି। ବିଜେପିର ପୂରା ଇକୋସିଷ୍ଟମ୍ ଏହି ଘଟଣାରେ କଂଗ୍ରେସ ଓ ଖଡଗେଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ଏପରି ବୟାନ ଦ୍ୱାରା ସବୁ ସୀମା ଟପି ଯାଇଛି ଓ ଖଡଗେ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ବିଜେପି ନେତା ମାନେ ଦାବି କରିଛନ୍ତି।

ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, “କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପାଟନାରେ ମୋଦିଜୀଙ୍କ ପିତାଙ୍କ ସମ୍ପର୍କରେ ଅଶୋଭନୀୟ ମନ୍ତବ୍ୟ ଦେଇ ଶାଳୀନତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ମୋଦି ଓ ତାଙ୍କ ପରିବାରକୁ ନେଇ କଂଗ୍ରେସ ଅତୀତରେ ମଧ୍ୟ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଶାହ ଅଭିଯୋଗ କରିଛନ୍ତି। ଗତ ୧୨ ବର୍ଷ ଧରି ନିର୍ବାଚନରେ କ୍ରମାଗତ ପରାଜୟ ଯୋଗୁଁ କଂଗ୍ରେସ ହତାଶ ହୋଇପଡ଼ିଥିବା ଶାହା କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ଖଡଗେଙ୍କ ମନ୍ତବ୍ୟକୁ ନିନ୍ଦା କରି ଏହାକୁ ଅଶୋଭନୀୟ ଓ ସଂସଦୀୟ ମର୍ଯ୍ୟାଦାର ବିରୋଧୀ ବୋଲି କହିଛନ୍ତି। କଂଗ୍ରେସ ରାଜନୀତିକ ଶାଳୀନତା ହରାଇଥିବା ସେ ଅଭିଯୋଗ କରିଛନ୍ତି।

ପ୍ରକାଶ ଥାଉ କି, ରବିବାର ବିହାର ପାଟନାର ଏକ କାର୍ଯ୍ୟକ୍ରମରେ ପ୍ରବଳ ରାଗିଯାଇଥିଲେ କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କଟୁ ମନ୍ତବ୍ୟ ଦେଲେ। ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଜଣେ ବ୍ୟକ୍ତି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଆଡ଼େ ଯିବେ ନାହିଁ। ଏହାର ଜବାବରେ ମୋଦୀଙ୍କ ଉଦ୍ଦେଶ୍ୟରେ ଖଡ଼ଗେ କଟୁ ମନ୍ତବ୍ୟ ଦେଇଥିଲେ। ଡକ୍ଟର ଶ୍ରୀକୃଷ୍ଣ ସିଂହଙ୍କ ୧୩୯ତମ ଜୟନ୍ତୀ ଉତ୍ସବ ଅବସରରେ ଏହି ଘଟଣା ଘଟିଥିଲା। ଏହା ପରେ ଖଡ଼ଗେ କଳାଧନ ଫେରାଇ ଆଣିବା ପ୍ରତିଶ୍ରୁତିକୁ ନେଇ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ -ଆରଏସଏସର ବିଚାରଧାରାକୁ ମଧ୍ୟ ସମାଲୋଚନା କରିଥିଲେ। ଏହି ବିଚାରଧାରା ଦେଶରେ ରହିଥିବା ପର୍ଯ୍ୟନ୍ତ ଶାନ୍ତି ସମ୍ଭବ ନୁହେଁ ବୋଲି ସେ କହିଥିଲେ। ଖଡ଼ଗେଙ୍କ ମନ୍ତବ୍ୟକୁ ନେଇ ବିଜେପି ନେତାମାନେ ତୀବ୍ର ନିନ୍ଦା କରିଛନ୍ତି।

ଖଡ଼ଗେ ମୋଦୀଙ୍କ ଉପରେ ବାରମ୍ବାର ମିଛ କହିବାର ଅଭିଯୋଗ ମଧ୍ୟ ଆଣିଥିଲେ। ସରକାରଙ୍କ ପ୍ରଥମ ୧୦୦ ଦିନ ମଧ୍ୟରେ କଳାଧନ ଫେରାଇ ଆଣିବା ପ୍ରତିଶ୍ରୁତିକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। ଖଡ଼ଗେ କହିଥିଲେ, “ପ୍ରଧାନମନ୍ତ୍ରୀ ମୋଦୀଙ୍କର ମିଛ କହିବାର ଅଭ୍ୟାସ ରହିଛି। ସେ କହିଥିଲେ ଯେ, ସରକାର ହେବାର ପ୍ରଥମ ୧୦୦ ଦିନ ମଧ୍ୟରେ କଳାଧନ ଫେରାଇ ଆଣିବେ। ମୁଁ ପଚାରିବାକୁ ଚାହୁଁଛି, ସେହି ଟଙ୍କା କୁଆଡ଼େ ଗଲା?”  ଏନେଇ ଖଡ଼ଗେଙ୍କୁ ବିଜେପି କଡ଼ା ସମାଲୋଚନା କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।