ଏହି ଜାଗାରେ ଶୁଅନ୍ତି ଲକ୍ଷ ଲକ୍ଷ ସାପ… !

Oct 26, 2026 - 17:34
ଏହି ଜାଗାରେ ଶୁଅନ୍ତି ଲକ୍ଷ ଲକ୍ଷ ସାପ… !

ନନ୍ଦିଘୋଷ ବ୍ୟୁରୋ: ସାପ, ଯାହାର ନାଁ ଶୁଣିଲେ ହିଁ ଭୟରେ ସଭିଙ୍କ ଛାତି ଥରିଉଠେ । ଏହାର ଗୋଟିଏ ଚୋଟ ହିଁ ମଣିଷର ଜୀବନ ନେବା ପାଇଁ ଯଥେଷ୍ଟ ।  ଆମ ଆଖପାଖରେ ବେଳେବଳେ ଯଦି କିଛି ସ୍ଥାନରେ ଆମେ ସାପ ଦେଖିଦିଅନ୍ତି, ତାହାହେଲେ ଦ୍ବିତୀୟ ଥର ସେ ଜାଗାକୁ ଯିବାକୁ ଆମେ ଦଶ ଥର ଚିନ୍ତା କରିଥାଉ । ହେଲେ ଏ ପୃଥିବୀରେ ଏମିତି ବି ଜାଗା ରହିଛି ଯେଉଁଠିକି ଗଲେ ମଣିଷ ବଞ୍ଚିକି ଆସିବା ସମ୍ଭବ ନୁହେଁ । କାରଣ ସେଠି ଯୁଆଡେ ଚାହିଁବ ସିଆଡେ ଖାଲି ମାଳ ମାଳ ସାପ ।  ଆମେ କହୁଛୁ, କାନାଡାର ମାନିଟୋବାରେ ଥିବା ନାର୍ସିସ୍ ସାପ ଗୁମ୍ଫା କଥା । ଏହି ଗୁମ୍ଫା ଲକ୍ଷ ଲକ୍ଷ ‘‘ରେଡ୍-ସାଇଡେଡ ଗାର୍ଟର ସ୍ନେକ୍’’ ମାନଙ୍କର ଶୀତକାଳୀନ ଘର ।  ଯାହାକୁ ପୃଥିବୀରେ ସାପଙ୍କର ସବୁଠାରୁ ବଡ ବାସସ୍ଥାନ ବୋଲି କୁହାଯାଏ ।  ଶରୀରରେ ଲାଲ ଦାଗ ଏବଂ ହଳଦିଆ ପଟି ଥିବା ଏହି ସୁନ୍ଦର ସାପଗୁଡିକ ଉତ୍ତର ଆମେରିକା ଏବଂ ଦକ୍ଷିଣ କାନାଡାର ଏକ ବଡ ଅଞ୍ଚଳରେ ଦେଖାଯାଇଥାନ୍ତି ଏବଂ ଋତୁ ଅନୁସାରେ ସେମାନଙ୍କର ବାସସ୍ଥାନ ପରିବର୍ତ୍ତନ କରନ୍ତି । ଗରମ ଋତୁରେ ସେମାନେ କାଦୁଅ କିମ୍ବା ଜଳାଭୂମି ଅଞ୍ଚଳରେ ରୁହନ୍ତି ଏବଂ ସେଠାରେ ମୁଖ୍ୟତଃ ବେଙ୍ଗକୁ ଖାଇଥାନ୍ତି । ହେଲେ ଯେମତି ଯେମିତି ଶୀତ ଋତୁ ଆରମ୍ଭ ହୁଏ, ଆଉ ଥଣ୍ଡା ବଢିବାକୁ ଲାଗେ ଏହି ସାପମାନେ ଏମିତି ଜାଗା ଅନୁସନ୍ଧାନରେ ବାହାର ପଡନ୍ତି ଯେଉଁଠାରେ ସେମାନେ ଲୁଚି ରହି ହାଇବର୍ନେସନ୍ ରେ ଯାଇପାରିବେ । ହାଇବର୍ନେସନ୍ ବା ଶୀତନିଦ୍ରା ହେଉଛି ପ୍ରାଣୀମାନଙ୍କର ଦୀର୍ଘ ଗଭରୀ ନିଦ୍ରା । ଯେତେବେଳେ ଅତ୍ୟଧିକ ଥଣ୍ଡା ହୁଏ ଆଉ ଖାଦ୍ୟ ମିଳିବା କଷ୍ଟକର ହୋଇପଡେ, ସେତେବେଳେ କିଛି ପ୍ରାଣୀ ନିଜକୁ ସୁରକ୍ଷା ଦେବା ପାଇଁ ମାସ ମାସ ପର୍ଯ୍ୟନ୍ତ ଶୋଇଯାଆନ୍ତି ।

କାନାଡାରେ ଅବସ୍ଥିତ ଏହି ନାର୍ସିସ୍ ସାପ ଗୁମ୍ଫାଗୁଡିକ ଚୂନପଥର ପାହାଡ ଉପରେ ବିସ୍ତାରିତ ଘାସଭୂମି ଏବଂ ଜଙ୍ଗଲର ମିଶ୍ରଣ । ଲକ୍ଷ ଲକ୍ଷ ବର୍ଷ ଧରି ପାଣି ଛିଦ୍ରଯୁକ୍ତ ଚୂନପଥର ଭିତରକୁ ପ୍ରବେଶ କରି ଗଭୀର ଫାଟ ଏବଂ ଗୁମ୍ଫା ସୃଷ୍ଟି ହୋଇଛି । ଭୂମିର ଅନେକ ମିଟର ତଳେ ଥିବା ଏହି ଗାତଗୁଡିକ ଏତେ ଗଭୀର ହୋଇଥାଏ ଯେ, ଏଥିରେ ବରଫ ଜମେ ନାହିଁ କି ପାଣି ବି ଭରେ ନାହିଁ । ଶୀତ ଦିନେ ଯେତେବେଳେ ବାହାରର ତାପମାତ୍ରା ମାଇନସ୍ ୩୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିଯାଏ, ସେତେବେଳେ ବି ଏହି ଗାତ ଭିତରେ ତାପମାତ୍ରା କେବେବି ଶୂନ ଡିଗ୍ରୀ ସେଲସିୟସ ତଳକୁ ଖସିନଥାଏ । ତେଣୁ ଶୀତ ନିୟନ୍ତ୍ରଣ ଯୋଗୁଁ ‘‘ରେଡ୍-ସାଇଡେଡ ଗାର୍ଟର ସ୍ନେକ୍’’ ମାନଙ୍କ ଶୀତନିଦ୍ରା ପାଇଁ ଏହା ସବୁଠାଣୁ ଉତ୍କୃଷ୍ଟ ସ୍ଥାନ ହୋଇଥାଏ ।

ସୁଚନା ଅନୁସାରେ, ସେପ୍ଟେମ୍ବର ଶେଷ ବା ଅକ୍ଟୋବର ଆରମ୍ଭରୁ ଏହି ସାପଗୁଡିକ ଗାତ ଭିତରକୁ ଯିବା ଆରମ୍ଭ କରନ୍ତି ଏବଂ ସେଠାରେ ୫ ରୁ ୬ ମାସ ପର୍ଯ୍ୟନ୍ତ ରହିଥାନ୍ତି । ଆଉ ପାଖାପାଖି ଏହି ଗାତ ଭିତରେ ୧ ଲକ୍ଷରୁ ଅଧିକ ସାପ ଏକାଠି ହୋଇଥାନ୍ତି । ତେବେ ଏହି ସାପ ଅନ୍ୟ ସାପ ଭଳି ମରାତ୍ମକ ବା ଅତ୍ୟଧିକ ବିଷାକ୍ତ ହୋଇନଥାନ୍ତି । ଏମାନେ ସାଧାରଣ ଏବଂ ଶାନ୍ତ ସ୍ବଭାବର ହୋଇଥାନ୍ତି । ତେଣୁ ମଣିଷଙ୍କ ପାଇଁ ଏମାନଙ୍କୁ ବିଦପ ବୋଲି ବିବେଚନା କରାଯାଏ ନାହିଁ । ଏମାନଙ୍କର ବିଷ ବହୁତ କ୍ଷୀଣ ଥାଏ ଯାହା କେବଳ ବେଙ୍ଗ ଏବଂ କୀଟପତଙ୍ଗ ଭଳି ଛୋଟ ଶିକାର ପାଇଁ ସାହାର୍ଯ୍ୟ କରେ । ସାଧାରଣତଃ ଏହି ସାପୁଗୁଡିକ କାମୁଡି ନଥାନ୍ତି । ହେଲେ ଯଦି  ଏହି ସାପ ମଣିଷକୁ କାମୁଡି ଦିଏ, ତାହାହେଲେ କେବଳ ସାମାନ୍ୟ ଫୁଲା ଏବଂ କୁଣ୍ଡାଇ ହେବା ଭଳି  ଲକ୍ଷଣ ଦେଖାଯାଇଥାଏ , ଯେପରି ମହୁମାଛି ଦଂଶନରେ ହୋଇଥାଏ ।  ଏପରିକି ଆମେରିକା ଏବଂ କାନାଡା ଭଳି ଦେଶରେ ଏହି ସାପକୁ ଲୋକମାନେ ପୋଷା ମନାଇ ରଖନ୍ତି । ଯେହେତୁ ଏଗୁଡିକ ବିଷାକ୍ତ ହୋଇନଥାନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।