ରାଜଧାନୀରେ ନିଶାସକ୍ତ ଚାଳକଙ୍କ ନାରକୀୟ କାଣ୍ଡ, ୫ ଆହତ

Oct 12, 2026 - 19:04
ରାଜଧାନୀରେ ନିଶାସକ୍ତ ଚାଳକଙ୍କ ନାରକୀୟ କାଣ୍ଡ, ୫ ଆହତ

ଭୁବନେଶ୍ୱର: ଶାସ୍ତ୍ରୀ ନଗର ପରେ ଏବେ ପୁରୀ ବାଇପାସ । କ୍ୟାରେକ୍ଟର ସମାନ, କେବଳ ଲୋକେସନ ଅଲଗା । ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ରାସ୍ତାରେ ଭିଆଇଛନ୍ତି ନାରକୀୟ କାଣ୍ଡ । ଗାଡ଼ି ଚଳାଉଥିବା ଯୁବକ ଜଣଙ୍କ ହେଉଛନ୍ତି ଜୟଦେବ ବିହାର ଅଞ୍ଚଳର ସୌମ୍ୟ ରଞ୍ଜନ ରଥ ।

ସକାଳ ପ୍ରାୟ ୭ଟା ୫ ମିନିଟ୍‌ରେ ଟଙ୍କପାଣି ରୋଡରୁ କେଶୁରା ଯିବା ବାଟରେ ସୌମ୍ୟ ରଞ୍ଜନ ନିଜ କାର୍‌ରେ ୫ ଜଣଙ୍କୁ ଧକ୍କା ଦେଇଥିଲେ । ରାସ୍ତା ଉପରେ ଜଣଙ୍କ ପରେ ଜଣଙ୍କୁ ପିଟି ପିଟି ଚାଲିଥିଲେ । ଦରମରା ଅବସ୍ଥାରେ ଜଣଙ୍କ ପରେ ଜଣେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ସୁଦ୍ଧା ଅଟକି ନଥିଲା ‘କିଲର୍ କାର୍’ ।

ଶେଷରେ ଘଟଣାସ୍ଥଳରେ ଉପସ୍ଥିତ ଉତ୍ତ୍ୟକ୍ତ ଲୋକମାନେ କାରକୁ ଘେରିଯିବା ସହ ଢେଲା ମାଡ଼ କରିବାରୁ ଗାଡ଼ିରେ ବ୍ରେକ ଲାଗିଥିଲା । ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ପହଞ୍ଚି ମଦ୍ୟପ ଡ୍ରାଇଭରକୁ କାବୁ କରିଥିଲା । ଡାକ୍ତରୀ ମାଇନା ପରେ ସୌମ୍ୟଙ୍କୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଯୁବକ ଜଣଙ୍କ ଗତ ଜୁଲାଇ ୧୪ ତାରିଖରେ ମଧ୍ୟ ରାଜଧାନୀ ରାଜରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇଥିଲେ । ଶାସ୍ତ୍ରୀ ନଗରରେ ଅତ୍ୟନ୍ତ ଦ୍ରୁତ ଗତିରେ ମର୍ସିଡିଜ୍ କାର୍ ଚଳାଇ ଜଣଙ୍କ ଜୀବନ ନେଇଥିଲେ । ସେତେବେଳେ ସେ ଗିରଫ ହୋଇ ଜେଲ୍‌ ମଧ୍ୟ ଯାଇଥିଲେ, ହେଲେ ତାଙ୍କର ବେପରୁଆ ଗାଡ଼ି ଚଳାଇବାର ନିଶା ଛାଡ଼ିନଥିଲା ।

ତେବେ ଦୁର୍ଘଟଣା ପରେ ପରିବହନ ବିଭାଗର ଟିମ୍ ଥାନା ଓ କ୍ରାଇମ ସ୍ପଟରେ ପହଞ୍ଚି ‘କ୍ରାସ୍ ଇନଭେଷ୍ଟିଗେସନ୍’  ଆରମ୍ଭ କରିଛି । ଅତ୍ୟଧିକ ମଦ୍ୟପାନ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ତଦନ୍ତ ବେଳେ ଅଫିସରମାନେ ଜାଣିବାକୁ ପାଇଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡ଼ିର ପଞ୍ଜିକରଣ ରଦ୍ଦ କରିବା ସହ ଡ୍ରାଇଭିଂ ଲାଇସେନ୍ସ (DL) ସସପେଣ୍ଡ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ଏଭଳି ପେଶାଦାର ଅପରାଧୀଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ରାଜଧାନୀ ରାସ୍ତାରେ ନିରୀହ ଲୋକଙ୍କ ଜୀବନ ପାଣି ଫୋଟକା ଭଳି ଚାଲିଯିବ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।