ସିଇସିଙ୍କୁ ହଟାଇବା ଦାବି: କେନ୍ଦ୍ର ଓ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

Oct 05, 2026 - 21:35
ସିଇସିଙ୍କୁ ହଟାଇବା ଦାବି: କେନ୍ଦ୍ର ଓ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନନ୍ଦିଘୋଷ ବ୍ୟୁରୋ: ଭୋଟରଙ୍କ ନାମ ଯୋଡ଼ିବାକୁ ପରିବର୍ତ୍ତିତ ଫର୍ମ-୬କୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇନଥିଲେ। ଏହା କିପରି ହେଲା? ସାମ୍ବିଧାନିକ ସଂସ୍ଥାଗୁଡ଼ିକ ସମ୍ବିଧାନ ଅନୁଯାୟୀ କାର୍ଯ୍ୟକରିବା ଦରକାର। ଆଜି ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବିରେ ଏକାଧିକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାର, ମୁଖ୍ଯ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଦୁଇ ନିର୍ବାଚନ କମିଶନର ଡ. ସୁଖବିନ୍ଦର ସିଂ ସାନ୍ଧୁ, ଡ. ବିବେକ ଯୋଶୀ, ଉପନିର୍ବାଚନ କମିଶନର ମନୀଷ ଗର୍ଗ ଏବଂ ନିର୍ବାଚନ କମିଶନଙ୍କ ଆଇଟି ବିଭାଗ ଡିଜି ସୀମା ଖାନ୍ନାଙ୍କୁ ଜବାବ ରଖିବାକୁ ନୋଟିସ ଜାରି କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଗରେ ଯୁକ୍ତି ବାଢ଼ିଥିଲେ ଯେ ସିଇସି ଆଇନର ଧାରା ୧୮ ଅନୁଯାୟୀ ପ୍ରତେକ ନିଷ୍ପତ୍ତି ଉପରେ ସମସ୍ତ ନିର୍ବାଚନ କମିଶନଙ୍କ ସହମତି ଆଧାରରେ ହେବା ଦରକାର। କିନ୍ତୁ ୩୦ଟି ରାଯ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା SIR ନେଇ ଏକାକୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ନିଷ୍ପତ୍ତି ନେଇଥିଲେ। ଯାହା ଫଳରେ ଅଗଣତାନ୍ତ୍ରିକ ଭାବେ ୧୩ କୋଟି ଭୋଟର ବାଦ ପଡ଼ିଛନ୍ତି। ତେଣୁ ସିଇସି ଜ୍ଞାନେଶ କୁମାରଙ୍କୁ ଅବିଳମ୍ବେ ନିଲମ୍ବନ କରିବା ନେଇ ଆଦେଶ ଦେବାକୁ ସୁପ୍ରିମକୋର୍ଟଙ୍କୁ ଗୁହାରୀ କରିଥିଲେ ଆଇନଜୀବୀ।

ତେବେ ଏହାଶୁଣି କୋର୍ଟ କହିଥିଲେ, ହଠାତ ସିଇସିଙ୍କୁ ନିଲମ୍ବନ କରାଗଲେ ନିର୍ବାଚନ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଜଷ୍ଟିସ ଜୟମାଲା ବାଗଚି କହିଥିଲେ, ସିଇସି SIR ପ୍ରସଙ୍ଗରେ ଯେଭଳି ଏକପାଖିଆ ନିଷ୍ପତ୍ତି ନେଇଥିବା ନେଇ ଅଭିଯୋଗ ହେଉଛି, ସମାନ ଢଙ୍ଗରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏକପାଖିଆ କୌଣସି ଆଦେଶ ଦେଇପାରିବେ ନାହିଁ। ପକ୍ଷ ରଖିବାକୁ ନିର୍ବାଚନ କମିଶନଙ୍କୁ ସୁଯୋଗ ଦେବା ଆବଶ୍ୟକ ।

ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସମେତ ଅନ୍ୟ ନିର୍ବାଚନ କମିଶନର ଓ କେନ୍ଦ୍ର ସରକାରଙ୍କ ଜବାବ ଶୁଣିବା ପରେ ଯାଇ କୋର୍ଟ ଯଦି ଅନୁଭବ କରିବେ ଯେ, SIR ପ୍ରକ୍ରିୟା ସମ୍ପୂର୍ଣ୍ଣ ଏକପାଖିଆ ଓ ଆଇନସମ୍ମତ ନଥିଲା, ତାପରେ ଯାଇ କୋର୍ଟ ଏହି ମାମଲାରେ ରାୟ ଦେବେ।

SIR ପ୍ରକ୍ରିୟାରେ ଗଡ଼ବଡ଼ି ହେବା ସହ ବହୁ ଭୋଟର ବାଦ ପଡ଼ିଥିବା ନେଇ ଖୋଦ ନିର୍ବାଚନ କମିଶନ ସ୍ୱୀକାର କରିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ବୋଲି ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ। ଏହାଶୁଣି ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଥିଲେ, ଗଣମାଧ୍ୟମ ରିପୋର୍ଟ ଆଧାରରେ କୌଣସି ନିଷ୍ପତ୍ତି ନେଇପାରିବେନି ସର୍ବୋଚ୍ଚ ଅଦାଲତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।