ସୁନା ତସ୍କରିର ସେଫ୍ ରୁଟ୍ ଜାତୀୟ ରାଜପଥ, ୯ କୋଟିର ସୁନା ଜବତ

Oct 13, 2026 - 18:55
ସୁନା ତସ୍କରିର ସେଫ୍ ରୁଟ୍ ଜାତୀୟ ରାଜପଥ, ୯ କୋଟିର ସୁନା ଜବତ

ନନ୍ଦିଘୋଷ ବ୍ୟୁରୋ: ସୁନା, ସ୍ମଗଲର୍ ଓ ସିଣ୍ଡିକେଟ , ବାଏ ରୋଡ଼ରେ କୋଟି କୋଟିର କାରବାର । ଜାତୀୟ ରାଜପଥ ପାଲଟିଛି ସୁନା ତସ୍କରିର ସେଫ ପ୍ଲେସ୍ । ଆପଣ ଅଧିକାଂଶ ସମୟରେ ବିମାନ ବନ୍ଦରରୁ ଚୋରା ସୁନା ଚାଲାଣ ବେଳେ ସ୍ମଗଲର୍ ଧରାପଡୁଥିବା ଦେଖିଥିବେ । ମେଟାଲ ଡିଟେକ୍ଟରରେ ସ୍କାନ ବେଳେ ଭିନ୍ନ ଭିନ୍ନ ତାରିକାରେ ସୁନା ତସ୍କରି କଥା ଶୁଣୁଥିବେ । କଷ୍ଟମ ବିଭାଗ ଆକାଶ ପଥ ଉପରେ ନଜର ରଖିଥିବା ବେଳେ ମାଫିଆ ଏବେ ସ୍ଥଳପଥରେ ଆରମ୍ଭ କରିଛନ୍ତି କାରବାର । ଦୁଇଦିନ ତଳେ ପଶ୍ଚିମବଙ୍ଗରୁ ଭାୟା ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ ଭୁବନେଶ୍ୱର ଦେଇ ହାଇଦ୍ରାବାଦକୁ କାର୍ ଯୋଗେ ବିପୁଳ ସୁନା ନିଆଯାଉଥିବା ବେଳେ ମାଡି ବସିଥିଲା DRI ବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଟିମ । ବିଶାଖାପାଟନମ ନିକଟରେ କାରକୁ ଧରିବା ବେଳେ ଭିତରୁ ମିଳିଥିଲା ୫ କେଜି ୮ ଶହ ଗ୍ରାମ ର ୨୪ କ୍ୟାରେଟ ଯୁକ୍ତ ସୁନା ବିସ୍କୁଟ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା। ବାଂଲାଦେଶ ବର୍ଡରକୁ ଏସବୁ ଚାଲାଣ କରାଯାଉଥିବା ବେଳେ ୨ ଜଣଙ୍କୁ ଗିରଫ କରିଥିଲା DRI ।

ତଥ୍ୟ ଅନୁସାରେ, ୩୬% ସୁନା ଆକାଶପଥରେ, ୫୫% ସଡ଼କପଥରେ ଏବଂ ୯% ଜଳପଥରେ ଚାଲାଣ ହେଉଛି। ଗତ କିଛି ମାସ ମଧ୍ୟରେ DRI ପ୍ରାୟ ୪୦ କେଜି ସୁନା ଜବତ କରିବା ସହ ୧୫ ଜଣ ତସ୍କରଙ୍କୁ ଗିରଫ କରିଛି। ବିଶେଷଜ୍ଞଙ୍କ ମତରେ, ଟିକସ ଫାଙ୍କିବା ପାଇଁ ଏଭଳି ଚୋରା ଚାଲାଣ କରାଯାଉଛି। ଏହାକୁ ରୋକିବା ପାଇଁ ଜାତୀୟ ରାଜପଥରେ ପାଟ୍ରୋଲିଂ ବଢ଼ାଇବା ସହ ତସ୍କରଙ୍କ ଉପରେ କଡ଼ା ନଜର ରଖିବା ଆବଶ୍ୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।