SC-STଙ୍କ ପାଇଁ ହଟିଲା ବର୍ଦ୍ଧିତ ସଂରକ୍ଷଣ !
ନନ୍ଦିଘୋଷ ବ୍ୟୁରୋ: ଅନସୂଚିତ ଜାତି ଏବଂ ଅନସୂଚିତ ଜନଜାତିଙ୍କ ପାଇଁ ଆସିଛି ଏକ ବଡ ଖବର । ରଦ୍ଦ ହେଲା ଏସସି-ଏସଟି ଙ୍କ ପାଇଁ ବର୍ଦ୍ଧିତ ସଂରକ୍ଷଣ । ବଡ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ । କର୍ଣ୍ଣାଟକ ହାଇକୋର୍ଟ ବର୍ତ୍ତମାନ ଏଭଳି ବଡ ନିଷ୍ପତ୍ତି ନେଇ ଅନସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ବର୍ଦ୍ଧିତ ସଂକ୍ଷଣକୁ ରଦ୍ଦ କରିଛନ୍ତି । ଏଭଳି ନିଷ୍ପତ୍ତି ପଛରେ କୋର୍ଟଙ୍କ କହିବା କଥା ଯେ, ରାଜ୍ୟର ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ, ଯେତେବେଳେ କି ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଦ୍ଧିତ ସଂରକ୍ଷଣ ସୀମା ସୁପ୍ରିମକୋର୍ଟ ଦ୍ବାରା ନିର୍ଦ୍ଧାରିତ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଉଲଂଘନ କରୁଛି । ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ବିଚାରପତି ବିଭୁ ବାଖୁର ଏବଂ ବିଚାରପତି କେ.ଏସ୍.ହେମଲେଖାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଖଣ୍ଡପୀଠ କହିଛି ଯେ, ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଏବଂ ସମ୍ବିଧାନର ଧାରା ୧୪ ଏବଂ ୧୫କୁ ଉଲଂଘନ କରୁଛି ।
ଉଲ୍ଲେଖଯୋଗ୍ୟ ଯେ, ତତ୍କାଳୀନ ବିଜେପି ସରକାର ୨୦୨୨ ମସିହାରେ ଏହି କୋଟା ବୃଦ୍ଧି କରିଥିଲେ । କର୍ଣ୍ଣାଟକ ସରକାର ରାଜ୍ୟର ଅନସୂଚିତ ଜାତି ଏବଂ ଅନସୂଚିତ ଜନଜାତିଙ୍କ ସଂରକ୍ଷଣ ଆଇନ ୨୦୨୨ ମାଧ୍ୟମରେ ଅନସୂଚିତ ଜାତିଙ୍କ କୋଟାକୁ ୧୫ ପ୍ରତିଶତରୁ ୧୭ ପ୍ରତିଶତି ଏବଂ ଅନସୂଚିତ ଜନଜାତିଙ୍କ କୋଟାକୁ ୩ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି କରିଥିଲେ । ଆଉ ସରକାରଙ୍କ ଏହି ନିଷ୍ପତ୍ତି ପରେ କର୍ଣ୍ଣାଟକରେ ମୋଟ୍ ସଂରକ୍ଷଣ ୫୬ ପ୍ରତିଶତକୁ ବୃଦ୍ଧି ପାଇଥିଲା ।
ତେବେ କର୍ଣ୍ଣାଟକ ହାଇକୋର୍ଟ ଆଇନର ଧାରା ୪କୁ ମଧ୍ୟ ଖାରଜ କରିଦେଇଛନ୍ତ । କୋର୍ଟ କହିଛନ୍ତି ଯେ, ଏହା ଧାରା ୧୪ ଏବଂ ୧୬କୁ ଉଲଂଘନ କରୁଛି । ଯାହା ଆଇନ ସମ୍ମୁଖରେ ସମାନତା ଏବଂ ସରକାରୀ ଚାକିରିରେ ସମାନ ସୁଯୋଗର ଗ୍ୟାରେଣ୍ଟି ଦେଇଥାଏ । ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ୫୦ ପ୍ରତିଶତ ସଂରକ୍ଷଣ ସୀମା ଅତିକ୍ରମ କରିବା ଦ୍ବାରା ସାମ୍ବିଧାନକି ଭାବରେ ନିଶ୍ଚିତ ସମାନତା ବ୍ୟବସ୍ଥାକୁ ଉଲଂଘନ କରିବ ।
ସେପଟେ କର୍ଣ୍ଣାଟକ ହାଇକୋର୍ଟର ନିଷ୍ପତ୍ତି ପରେ ରାଜ୍ୟ ସରକାର ଏବେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇପାରନ୍ତି । କଂଗ୍ରେସ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର ଏନେଇ ଇଙ୍ଗିତ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ସାମାଜିକ ନ୍ୟାୟ, ଶିକ୍ଷା ଏବଂ ନିଯୁକ୍ତିକୁ ପ୍ରଭାବିତ କରିପାରେ । ବର୍ତ୍ତମାନ ରାଜ୍ୟ ସରକାର ଏହି ବିଷୟରେ ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ କରୁଛନ୍ତି ଏବଂ ତା’ପରେ ହିଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।