ସ୍ମାର୍ଟଫୋନ୍ କିଣୁଥିବା ଗ୍ରାହକଙ୍କୁ ଝଟକା! ଆଗକୁ ଆହୁରି ମହଙ୍ଗା ହେବା ଆଶଙ୍କା….

Sep 30, 2026 - 12:05
ସ୍ମାର୍ଟଫୋନ୍ କିଣୁଥିବା ଗ୍ରାହକଙ୍କୁ ଝଟକା!  ଆଗକୁ ଆହୁରି ମହଙ୍ଗା ହେବା ଆଶଙ୍କା….

ନନ୍ଦିଘୋଷ ବ୍ୟୁରୋ : ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଝଟକା। ଆହୁରି ବଢିପାରେ ସ୍ମାର୍ଟଫୋନ୍ ଦାମ୍ । ଭାରତୀୟ ବଜାରରେ ୨୦୨୬ର ପ୍ରଥମାର୍ଦ୍ଧରେ ସ୍ମାର୍ଟଫୋନ୍‌ର ହାରାହାରି ଦାମ ପ୍ରାୟ ୧୬ ପ୍ରତିଶତ ବଢ଼ିଛି। ମେମୋରୀ ଚିପ୍‌ର ମୂଲ୍ୟ ବୃଦ୍ଧି ଏବଂ ଟଙ୍କାର ମୂଲ୍ୟ ହ୍ରାସ ଏହାର ପ୍ରମୁଖ କାରଣ ବୋଲି Counterpoint Research ପକ୍ଷରୁ କୁହାଯାଇଛି। ରିପୋର୍ଟ ଅନୁସାରେ, AI ଡାଟା ସେଣ୍ଟରଗୁଡ଼ିକରେ DRAM ଓ NAND ମେମୋରୀର ଚାହିଦା ବଢ଼ିବାରୁ ମେମୋରୀ ଯୋଗାଣ ଉପରେ ଚାପ ବଢ଼ିଛି। ଫଳରେ ସ୍ମାର୍ଟଫୋନ୍ ନିର୍ମାଣ ଖର୍ଚ୍ଚ ମଧ୍ୟ ବଢ଼ିଛି। ଏହା ସହିତ ଟଙ୍କା ଦୁର୍ବଳ ହେବାରୁ ଆମଦାନି ହେଉଥିବା ମୋବାଇଲ୍ ଉପାଦାନର ଖର୍ଚ୍ଚ ମଧ୍ୟ ବଢ଼ିଛି।

ବଜେଟ୍ ଫୋନ୍‌ରେ ସବୁଠାରୁ ଅଧିକ ପ୍ରଭାବ

ମୂଲ୍ୟ ବୃଦ୍ଧିର ସବୁଠାରୁ ଅଧିକ ପ୍ରଭାବ କମ୍ ଦାମର ଫୋନ୍‌ ଉପରେ ପଡ଼ିଛି। ୧୦,୦୦୦ରୁ କମ୍ ମୂଲ୍ୟର ସ୍ମାର୍ଟଫୋନ୍‌ର ଦାମ ପ୍ରାୟ ୩୨ ପ୍ରତିଶତ ବଢ଼ିଛି। ଫଳରେ ୨୦୨୬ର ପ୍ରଥମାର୍ଦ୍ଧରେ ଏହି ସେଗମେଣ୍ଟରେ ସିପମେଣ୍ଟରେ ପ୍ରାୟ ୬୫ ପ୍ରତିଶତ ହ୍ରାସ ପାଇଛି । ସେହିପରି ୧୦,୦୦୦ରୁ ୧୫,୦୦୦ ମୂଲ୍ୟ ସେଗମେଣ୍ଟରେ ମଧ୍ୟ ସିପମେଣ୍ଟ ପ୍ରାୟ ୨୦ ପ୍ରତିଶତ କମିଛି। ଅନ୍ୟପଟେ ୨୦,୦୦୦ରୁ ଅଧିକ ଦାମର ଫୋନ୍‌ର ଚାହିଦା ତୁଳନାମୂଳକ ଭାବେ ବଢ଼ିଛି। ଟ୍ରେଡ୍-ଇନ୍ ଅଫର, ନୋ-କଷ୍ଟ EMI ଓ ବିଭିନ୍ନ ଅଫର ଯୋଗୁଁ ଦାମୀ ଫୋନ୍ କିଣିବା ଗ୍ରାହକଙ୍କ ପାଇଁ ସହଜ ହୋଇଛି।

ଅନ୍ୟ ବ୍ରାଣ୍ଡ ତୁଳନାରେ OnePlus ଫୋନ୍‌ର ଦାମ ବୃଦ୍ଧି କମ୍ ରହିଛି। Counterpoint Research ଅନୁସାରେ, ୨୦୨୬ର ପ୍ରଥମାର୍ଦ୍ଧରେ OnePlusର ହାରାହାରି ମୂଲ୍ୟ ପ୍ରାୟ ୮ ପ୍ରତିଶତ ବଢ଼ିଛି। କମ୍ପାନୀ ବର୍ଷ ଆରମ୍ଭରୁ ମେମୋରୀ ଓ ଅନ୍ୟାନ୍ୟ ଉପାଦାନ ଷ୍ଟକ୍ କରି ରଖିଥିବାରୁ ମୂଲ୍ୟ ବୃଦ୍ଧିର ପ୍ରଭାବ କମ୍ ରହିଥିବା ରିପୋର୍ଟରେ କୁହାଯାଇଛି। ୨୦୨୬ର ଦ୍ୱିତୀୟ ତ୍ରୈମାସିକରେ ୨୦,୦୦୦ରୁ ଅଧିକ ଦାମର ଅନଲାଇନ୍ ସ୍ମାର୍ଟଫୋନ୍ ବଜାରର ଶୀର୍ଷ ୫ଟି ବ୍ରାଣ୍ଡ ମଧ୍ୟରେ OnePlusର ସିପମେଣ୍ଟ ପ୍ରାୟ ୫ ପ୍ରତିଶତ ବଢ଼ିବାର ଆକଳନ କରାଯାଇଛି।

ଆଗକୁ ଆହୁରି ବଢ଼ିପାରେ ଦାମ

Counterpoint Researchର ଆକଳନ ଅନୁସାରେ, ୨୦୨୮ ପୂର୍ବରୁ ମେମୋରୀ ମୂଲ୍ୟରେ ବଡ଼ ହ୍ରାସ ହେବାର ସମ୍ଭାବନା କମ୍। ତେଣୁ ଆଗାମୀ ଦିନରେ ମଧ୍ୟ ସ୍ମାର୍ଟଫୋନ୍‌ର ଦାମ ଉପରେ ଚାପ ଜାରି ରହିପାରେ। ଅର୍ଥାତ୍, ବଜେଟ୍ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ଆଗକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।