ତ୍ରୁଟିପୂର୍ଣ୍ଣ ଟ୍ରେନ୍ ପାର୍ଟସ ଯୋଗାଣ କଲେ କମ୍ପାନୀ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ !

Sep 30, 2026 - 12:48
ତ୍ରୁଟିପୂର୍ଣ୍ଣ ଟ୍ରେନ୍ ପାର୍ଟସ ଯୋଗାଣ କଲେ କମ୍ପାନୀ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ !

ନନ୍ଦିଘୋଷ ବ୍ୟୁରୋ : ଟ୍ରେନ୍‌ର ସୁରକ୍ଷା ଓ ଯାତ୍ରୀଙ୍କ ନିରାପତ୍ତାକୁ ନଜରରେ ରଖି ଭାରତୀୟ ରେଳବାଇ ଏବେ ଟ୍ରେନରେ ବ୍ୟବହୃତ ପାର୍ଟସକୁ ନେଇ ନିୟମ ଆହୁରି କଡ଼ା କରିଛି। ତ୍ରୁଟିପୂର୍ଣ୍ଣ କିମ୍ବା ନିମ୍ନମାନର ପାର୍ଟସ ଯୋଗାଣ କରୁଥିବା କମ୍ପାନୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ। ରେଳବାଇର ଯାଞ୍ଚ ସମୟରେ କିଛି ଟ୍ରେନ୍ ପାର୍ଟସରେ ନିର୍ମାତାଙ୍କ ନାମ, ବ୍ୟାଚ୍ ନମ୍ବର କିମ୍ବା ଅନ୍ୟ ଆବଶ୍ୟକୀୟ ତଥ୍ୟ ଠିକ୍ ଭାବେ ଚିହ୍ନିତ ନଥିବା ଦେଖାଯାଇଥିଲା। ଫଳରେ କୌଣସି ପାର୍ଟରେ ତ୍ରୁଟି ଦେଖାଦେଲେ ଏହା କେଉଁ କମ୍ପାନୀ ତିଆରି କରିଛି ଏବଂ କେଉଁ ବ୍ୟାଚ୍‌ରୁ ଆସିଛି, ତାହା ଚିହ୍ନଟ କରିବା କଷ୍ଟକର ହେଉଥିଲା।

ପ୍ରତ୍ୟେକ ପାର୍ଟରେ ରହିବ ନିର୍ମାତାଙ୍କ ସମ୍ପୂର୍ଣ୍ଣ ତଥ୍ୟ

ଏହି ସମସ୍ୟାକୁ ଦୂର କରିବା ପାଇଁ ରେଳ ଡିଜାଇନ୍ ଏବଂ ମାନକ ସଂଗଠନ (RDSO) ପକ୍ଷରୁ ନିୟମ କଡ଼ା କରାଯାଇଛି। ରେଳବାଇକୁ ଯୋଗାଣ ହେଉଥିବା ପାର୍ଟସରେ ଏଣିକି ନିର୍ମାତାଙ୍କ ନାମ, କୋଡ୍, ସିରିଏଲ୍ ନମ୍ବର, ବ୍ୟାଚ୍ ନମ୍ବର, ଉତ୍ପାଦନ ମାସ ଏବଂ ବର୍ଷ ଭଳି ତଥ୍ୟ ସ୍ପଷ୍ଟ ଭାବେ ରହିବା ଆବଶ୍ୟକ। କେବଳ ତଥ୍ୟ ଲେଖିଦେଲେ ହେବ ନାହିଁ। ଏହା ସ୍ପଷ୍ଟ, ସଠିକ୍ ଏବଂ ସହଜରେ ପଢ଼ିହେବା ଭଳି ହେବା ଦରକାର। ମାର୍କିଂର ସ୍ଥାନ, ଆକାର, ଗଭୀରତା ଓ ପଦ୍ଧତି ମଧ୍ୟ RDSOର ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁସାରେ ହେବ।

କେଉଁ ପାର୍ଟସ ଉପରେ ରହିବ ଅଧିକ ନଜର?

ରେଳବାଇର ଯାଞ୍ଚରେ କପଲର୍, ଡ୍ରାଫ୍ଟ ଗିଅର୍, ବ୍ରେକ୍ ବ୍ଲକ୍, କମ୍ପ୍ରେସଡ୍-ଏୟାର୍ ବ୍ରେକ୍ ଉପକରଣ, ସ୍ପ୍ରିଙ୍ଗ୍, ସାଇଡ୍ ବେୟରର୍, ଆଡାପ୍ଟର, ବ୍ରେକ୍ ବିମ୍, ବଗି ଓ ୱେର୍ ପ୍ଲେଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ପାର୍ଟସ ଉପରେ ବିଶେଷ ନଜର ରହିବ। ସାମଗ୍ରୀ ରେଳବାଇ ପାଖରେ ପହଞ୍ଚିବା ପରେ, ଟ୍ରେନ୍‌ରେ ଫିଟିଂ ସମୟରେ ଏବଂ କର୍ମଶାଳାରେ ମଧ୍ୟ ଯାଞ୍ଚ କରାଯିବ। ଏହା ସହିତ ଓଭରହାଲ୍ ଡିପୋ ଓ ପରୀକ୍ଷଣ ୟାର୍ଡରେ ମଧ୍ୟ ଯାଞ୍ଚ ବ୍ୟବସ୍ଥାକୁ ମଜବୁତ କରାଯିବ।

ନୂଆ ନିୟମ ଅନୁସାରେ କୌଣସି ପାର୍ଟର ମାର୍କିଂ ଅନୁପସ୍ଥିତ, ଭୁଲ, ଅସମ୍ପୂର୍ଣ୍ଣ କିମ୍ବା ଅସ୍ପଷ୍ଟ ଥିଲେ ରେଳବାଇ ସେହି କମ୍ପାନୀର ସମ୍ପୂର୍ଣ୍ଣ ଲଟକୁ ପ୍ରତ୍ୟାଖ୍ୟାନ କରିପାରିବ। ଏପରି ସ୍ଥିତିରେ ନିର୍ମାତା କିମ୍ବା ବିକ୍ରେତାଙ୍କୁ ୱାରେଣ୍ଟି ନିୟମ ଅନୁସାରେ ତ୍ରୁଟିପୂର୍ଣ୍ଣ ସାମଗ୍ରୀ ବଦଳାଇବାକୁ ପଡ଼ିବ। କିଛି ଶ୍ରେଣୀରେ ଏହି ବଦଳ ପାଇଁ କମ୍ପାନୀକୁ କୌଣସି ଅତିରିକ୍ତ ଅର୍ଥ ମିଳିବ ନାହିଁ। ପ୍ରତ୍ୟାଖ୍ୟାନ ହୋଇଥିବା ପାର୍ଟ ଫେରାଇବା ଏବଂ ନୂଆ ପାର୍ଟ ଆଣିବାର ପରିବହନ ଖର୍ଚ୍ଚ ମଧ୍ୟ ସମ୍ପୃକ୍ତ କମ୍ପାନୀକୁ ବହନ କରିବାକୁ ପଡ଼ିବ।

ରେଳବାଇର ଉଦ୍ଦେଶ୍ୟ କ’ଣ?

ଏହି କଡ଼ା ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟ୍ରେନ୍‌ରେ ବ୍ୟବହୃତ ପାର୍ଟସର ଗୁଣବତ୍ତା ନିଶ୍ଚିତ କରିବା ଏବଂ କୌଣସି ତ୍ରୁଟି ହେଲେ ତୁରନ୍ତ ଦାୟୀ ନିର୍ମାତାଙ୍କୁ ଚିହ୍ନଟ କରିବା। ଗୁଣବତ୍ତା ନିଶ୍ଚିତତା ନିର୍ଦ୍ଦେଶାଳୟ ଏବଂ ତୃତୀୟପକ୍ଷ ଯାଞ୍ଚ ସଂସ୍ଥାଗୁଡ଼ିକୁ ମଧ୍ୟ ଯାଞ୍ଚ ସମୟରେ ଏହି ନିୟମକୁ କଡ଼ାକଡ଼ିରେ ଲାଗୁ କରିବାକୁ କୁହାଯାଇଛି। ଫଳରେ ରେଳ ପାର୍ଟସ ଯୋଗାଣ କରୁଥିବା କମ୍ପାନୀଗୁଡ଼ିକ ଏବେ ଗୁଣବତ୍ତା ଓ ମାର୍କିଂ ନିୟମକୁ ଅଧିକ ଗୁରୁତ୍ୱ ଦେବାକୁ ବାଧ୍ୟ ହେବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।