ହଟିଲା କଟକଣା, ମନ୍ଦିର ଭିତରକୁ ଫୋନ୍ ନେଇପାରିବେ ଭକ୍ତ
ନନ୍ଦିଘୋଷ ବ୍ୟୁରୋ: ହଟିଲା କଟକଣା । ଏଣିକି ତାମିଲନାଡୁ ମନ୍ଦିର ଭିତରକୁ ମୋବାଇଲ ନେଇପାରିବେ ଭକ୍ତ । ପୂର୍ବରୁ, ସରକାର ରାଜ୍ୟର ୫୨ଟି ମନ୍ଦିରରେ ମୋବାଇଲ ପ୍ରବେଶ ଉପରେ କଟକଣା ଲଗାଇଥିଲେ। ବର୍ତ୍ତମାନ ‘ରିଲିଜିୟସ୍ ଆଣ୍ତ ଚାରିଟେବୁଲ ଏନଣ୍ତୋମେଣ୍ଟସ୍ ଡ଼ିପାର୍ଟମେଣ୍ଟ’ ପକ୍ଷରୁ ଏହି ପ୍ରତିବନ୍ଧକକୁ ହଟାଇ ଯାଇଥିବା ନେଇ କୁହାଯାଇଛି । ଏନେଇ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏବେ ବି ମନ୍ଦିରରେ ଫଟୋ ଉଠାଇବା କିମ୍ବା ଭିଡିଓ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧ ଅଟେ। ଏଥିରେ କୌଣସି ଛାଡ଼ ଦିଆଯିବ ନାହିଁ।
ପ୍ରକାଶ ଥାଉ ଯେ, ମୁଖ୍ୟମନ୍ତ୍ରୀ ବିଜୟ କ୍ଷମତାକୁ ଆସିବା ପରେ, ଧାର୍ମିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ କରିଥିଲେ । ଏହି ପରିପ୍ରେକ୍ଷୀରେ, ୨୦୨୬ ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟର ୫୨ଟି ମନ୍ଦିରରେ ମୋବାଇଲ ଫୋନ୍ ପ୍ରବେଶ ନିଷେଧ କରାଯାଇଥିଲା। ମନ୍ଦିର ଭିତରକୁ ମୋବାଇଲ ନେବା ଦ୍ୱାରା ମନ୍ଦିରର କାର୍ଯ୍ୟ ପ୍ରଭାବିତ ହେଉଥିବା କୁହାଯାଇଥିଲା । ତେବେ ଏହି ନିଷ୍ପତ୍ତିକୁ ନେଇ ଜନସାଧାରଣ ତୀବ୍ର ବିରୋଧ କରିବା ପରେ ସରକାର ନିଷ୍ପତ୍ତିରେ ସଂଶୋଧନ କରିବାକୁ ବାଧ୍ୟ ହୋଇଛନ୍ତି।
ଏହି ନିୟମ ଲାଗୁ କରିବା ସମୟରେ ତାମିଲନାଡୁ ସରକାର କହିଥିଲେ ଯେ, ପୂଜାସ୍ଥଳର ପବିତ୍ରତା ଓ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଉଛି। ‘ରିଲିଜିୟସ୍ ଆଣ୍ତ ଚାରିଟେବୁଲ ଏନଣ୍ତୋମେଣ୍ଟସ୍ ଡ଼ିପାର୍ଟମେଣ୍ଟ’ ମନ୍ତ୍ରୀ ରମେଶଙ୍କ କହିବା ଅନୁଯାୟୀ, ଏହି ଆଦେଶରେ ମନ୍ଦିର ଭିତରେ ଫଟୋଗ୍ରାଫି, ଭିଡିଓ ରେକର୍ଡିଂ ଓ ରିଲ୍ ସୁଟିଂ ଭଳି କାର୍ଯ୍ୟକଳାପକୁ ନିଷେଧ କରାଯାଇଛି । ତାସହ ମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତମାନେ ବାହାରେ ଥିବା ସୁରକ୍ଷା କେନ୍ଦ୍ରରେ ନିଜ ଫୋନ୍ ଜମା କରିବେ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ସରକାର ଏହି ନିଷ୍ପତ୍ତିରେ ସଂଶୋଧନ କରିଛନ୍ତି। କିନ୍ତୁ ମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କୁ ଫୋନ୍ ସ୍ବିଚ୍ ଅଫ କରିବାକୁ ପଡ଼ିବ। ମନ୍ଦିର ଭିତରେ ଫଟୋଗ୍ରାଫି, ଭିଡିଓଓ ରିଲ୍ ତିଆରି ଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ସେ ଚେତାବନୀ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।