ଓଡିଶାରେ ସାଇବର ଅପରାଧରେ ଲାଗିବ ଲଗାମ !

Oct 14, 2026 - 19:36
ଓଡିଶାରେ ସାଇବର ଅପରାଧରେ ଲାଗିବ ଲଗାମ !

ନନ୍ଦିଘୋେଷ ବ୍ୟୁରୋ: ଓଡ଼ିଶାରେ ପ୍ରତ୍ୟେକ ୨ ମିନିଟରେ ସାଇବର ଠକେଇର ଶିକାର ହେଉଛନ୍ତି ୨ ଜଣ । କିଏ ଅଜଣା ଲିଙ୍କରେ କ୍ଲିକ କରି ଟଙ୍କା ହରାଇଲାଣି ତ ଆଉ କିଏ ନ୍ୟୁଡ଼ କଲରେ ସର୍ବସ୍ବ ସାରି ଦେଲାଣି । ଛୋଟ ସାଇବର ଠକେଇ ଠାରୁ ଆରମ୍ଭ କରି ଡାର୍କ ୱେବ, କ୍ରିପ୍ଟୋ କରେନ୍ସି , ଡିପ୍ ଫେକ୍ ଫଟୋ ଭଳି ସାଙ୍ଘାତିକ ସାଇବର ଠକେଇର ଶିକାର ହୋଇ ସାହାଯ୍ୟ ମାଗୁଛନ୍ତି ଲୋକେ । ଆଉ ଆଗ ଭଳି ଗୋଲ୍ଡେନ ଆୱାର ପାଇଁ ଅଧିକ ସମୟ ମିଳୁନି । ଠକେଇର ୫ ମିନିଟ ମଧ୍ୟରେ ୧୯୩୦ କୁ କଲ କରି ଅଭିଯୋଗ ପଞ୍ଜିକରଣ ନକଲେ ଠକେଇ ଟଙ୍କା ମିଳିବା ଆଶା କ୍ଷୀଣ । ଗତ ୯ ମାସରେ ସାଇବର ଲୁଟେରାଙ୍କ ବିରୋଧରେ ୪୦ ହଜାରରୁ ଅଧିକ ଅଭିଯୋଗ ହୋଇଛି ।। ଚଳିତ ବର୍ଷ ୨୮୩ କୋଟି ଟଙ୍କା ଠକି ନେଇଛନ୍ତି ଠକ। ଯେଉଁଠି ଅନଲାଇନରେ ରୁଜୁ ହୋଇଛି ୪୦ ହଜାର ୫ଶହ ୬୯ ମାମଲା ।  ଠକେଇର ଶିକାର ନେଇ ୧୯୩୦ କୁ କଲ କରିଛନ୍ତି ପ୍ରାୟ ୬୨ ହଜାର ଲୋକ । ଠକେଇ ଟଙ୍କାରୁ ପାଖାପାଖି ୭ କୋଟି ଟଙ୍କା ପୋଲିସ ଫେରାଇ ଆଣିବାକୁ ସକ୍ଷମ ହୋଇଥିବା ବେଳେ ୬୦ କୋଟି ଟଙ୍କା ଫ୍ରିଜ କରିପାରିଛି  । ଏଭଳି ସ୍ଥିତିରେ ସାଇବର ଠକଙ୍କୁ ମାତ୍ ଦେବା ପାଇଁ ୨୪୯ କୋଟି ବ୍ୟୟ ବରାଦରେ ଆରମ୍ଭ ହେବକୁ ଯାଉଛି ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର ।

ବଢୁଥିବା ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ସାରା ରାଜ୍ୟରେ କାମ କରୁଛି ୩୫ ଟି ସାଇବର ଥାନା । ଏସବୁକୁ ମନିଟର କରିବା ସହ ଓଡିଶା ପୋଲିସ ଆରମ୍ଭ କରିବାକୁ ଯାଉଛି ଓଡିଶା ସାଇବର କମାଣ୍ଡ ସେଣ୍ଟର। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ୨୪୯ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ୨୨୪ ଜଣ ଦକ୍ଷ ଓ ଅଭିଜ୍ଞ ଅଫିସର ଏଥିରେ କାମ କରିବେ। ଠକେଇରୁ ବର୍ତ୍ତିବା ପାଇଁ ଏହିଠାରେ ସଫ୍ଟୱେର ଓ ହାର୍ଡୱେର ସାହାଯ୍ୟରେ ଅପଡେଟ ଟେକ୍ନୋଲୋଜି ବ୍ୟବହାର ହେବ। ଠକର ବ୍ୟବହୃତ ନମ୍ବର, ଆଇପି ଆଡ୍ରେସ, ଲୋକେସନକୁ ତୁରନ୍ତ ଟ୍ରେସ କରାଯାଇପାରିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାରଙ୍କ ତତ୍ୱାବଧାନ ଓ ଡିଜିପିଙ୍କ ସିଧାସଳଖ ମନିଟରିଂ ଜରିଆରେ ଏହି କାମ ଆଗେଇ ଚାଲିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି।

ଆଜିର ଦିନରେ ଫିଜିକାଲ କ୍ରାଇମ କମୁଥିବା ବେଳେ ଦ୍ରୁତ ଗତିରେ ବଢୁଛି ସାଇବର ବା ଡିଜିଟାଲ କ୍ରାଇମ । ଏଭଳି ସମୟରେ ଆମେ ମଧ୍ୟ ନିଜେ ସଚେତନ ହେବାର ଆବଶ୍ୟକତା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।