Entertainment ‘ଦଇବ ଦଉଡ଼ି’ରୁ ‘କପାଳ ଲିଖନ’
"ଅକ୍ଟୋବର ୧୨ରେ ଓଡ଼ିଶାର ଦୁଇ ଦିଗ୍ଗଜ କଳାକାର ଅକ୍ଷୟ ମହାନ୍ତି ଓ ହର ପଟ୍ଟନାୟକଙ୍କ ଜନ୍ମ।
ଦୁହେଁ ନିଜ ନିଜ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ।
ଯୋଗଜନ୍ମା ଅକ୍ଷୟ ଥିଲେ ଏକାଧାରରେ ଗାୟକ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ଓ ସାହିତ୍ୟିକ।
ସେହିପରି ହର ପଟ୍ଟନାୟକ ଥିଲେ ସୁଅଭିନେତା ଓ ଦକ୍ଷ ନିର୍ଦ୍ଦେଶକ।
୧୯୯୦ ଦଶକରେ ଅକ୍ଷୟ ଓ ହରଙ୍କ ଯୋଡ଼ି ଓଡ଼ିଆ ଦର୍ଶକଙ୍କୁ ତିନିଟି ମନଛୁଆଁ ଛବି ଉପହାର ଦେଇଥିଲେ।Advertisment ଶିବଶଙ୍କର ଓଝା ନିର୍ଦ୍ଦେଶକ ଭାବେ ହର ପଟ୍ଟନାୟକଙ୍କ ପ୍ରଥମ ଓଡ଼ିଆ ଛବି ଥିଲା ୧୯୯୦ରେ ମୁକ୍ତି ପ୍ରାପ୍ତ "ଦଇବ ଦଉଡ଼ି"।
ସୁରେନ୍ଦ୍ର ରାଉତଙ୍କ ପ୍ରଯୋଜିତ ଏହି ସିନେମାରେ ଉତ୍ତମ ମହାନ୍ତି, ରେଖା ରାଓ, ବ୍ରଜ, ବାଙ୍କୁ, ଜୟୀ, ପ୍ରଦ୍ୟୁମ୍ନ ଲେଙ୍କା, ଦେବୁ ବୋଷ ଓ ନିଜେ ହର ପଟ୍ଟନାୟକ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।
ଖୋକାଭାଇ ଓରଫ ଅକ୍ଷୟ ମହାନ୍ତିଙ୍କୁ ହିଁ "ଦଇବ ଦଉଡ଼ି"ର ସଙ୍ଗୀତ ନିର୍ଦ୍ଦେଶନା ଦେବାକୁ ଅନୁରୋଧ କରିଥିଲେ ହର।
ଅକ୍ଷୟ ବି ରାଜି ହୋଇଥିଲେ।
ଅକ୍ଷୟ ମହାନ୍ତି ଓ ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏହାର ଗୀତଗୁଡ଼ିକ ରଚନା କରିଥିଲେ।
ଆଉ ହର-ଅକ୍ଷୟ ଯୋଡ଼ିର ପ୍ରଥମ ସିନେମା ବି ମ୍ୟୁଜିକାଲ୍ ହିଟ୍ ସାବ୍ୟସ୍ତ ହୋଇଥିଲା।
ଏହାର "ଢେଉ ପରେ ଢେଉ...", "ବଗିଚାର ନାଆଁ ତିନିକୋଣିଆ...", "ସମୟର ଚକ ଯାଏ ଘୁରିଘୁରିକା...", "ଯଦି ମରିବା ତେବେ ପ୍ରେମ କରି..." ଆଦି ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା। "ସମୟର ଚକ ଯାଏ..." ଗୀତ ପାଇଁ କଣ୍ଠଶିଳ୍ପୀ ସୁବାସ ଦାଶଙ୍କୁ ମିଳିଥିଲା ଶ୍ରେଷ୍ଠ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର।
ଏହି ସିନେମାରେ ଅକ୍ଷୟ ମହାନ୍ତି, ବିବୁ ଦାସ ଓ ଗୀତା ଦାଶ ପ୍ରମୁଖ କଣ୍ଠଦାନ କରିଥିଲେ।
ଏହାପରେ ହରଙ୍କ ନିର୍ଦ୍ଦେଶିତ ଦ୍ବିତୀୟ ଓଡ଼ିଆ ସିନେମାରେ ବି ସ୍ବର ସଂଯୋଜନା କରିଥିଲେ ଅକ୍ଷୟ।
ସିନେମା ଥିଲା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ନିବେଦିତ ତଥା ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ "ଚକାଡୋଳା କରୁଛି ଲୀଳା" (୧୯୯୦)।
ଅକ୍ଷୟ ମହାନ୍ତି ଓ ଶୀର୍ଷାନନ୍ଦ ଥିଲେ ଏହାର ଗୀତିକାର।
ଫିଲ୍ମର ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି, ବିବୁ ଦାସ, ସୁରଜିତ ଦାସ ଓ କବିତା କ୍ରିଷ୍ଣମୂର୍ତ୍ତୀ।
ଏଥିରେ ଥିବା "ଭଲ ହେଲା ଭଲପାଇ...", "ତାକ୍ଧିନ୍ ତାକ୍ଧିନ୍ ଥେଇ..." ଓ "ଚକାଡୋଳା କରୁଛି ଲୀଳା..." ଆଦି ଗୀତ ଶ୍ରୁତିମଧୁର ଏବଂ ସିକ୍ବେନ୍ସ ଉପଯୋଗୀ ହୋଇଥିଲା।
ଏଥିରେ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ରେଖା ରାଓ, ନବାଗତା ଅନୁରାଧା, ଦୁଃଖୀରାମ ସ୍ବାଇଁ, ରାଇମୋହନ, ଜୟୀ, ସୁଜାତା ଆନନ୍ଦ, ଦେବୁ ବୋଷ, ମିହିର ଦାସ ଓ ହର ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।
Neglect: ଦୁଲାମରେ ପଲିଥିନ ପକାଇ ରହୁଛନ୍ତି ଡୁମର-ବୁଧାଇ ହର-ଅକ୍ଷୟ ଯୋଡ଼ିଙ୍କର ଅନ୍ତିମ ସିନେମା ହେଲା "କପାଳ ଲିଖନ" (୧୯୯୧)।
ଏହି ସିନେମାରେ ଅକ୍ଷୟ ମହାନ୍ତିଙ୍କ ସହ ହ୍ୟାଟ୍ରିକ୍ କରିଥିଲେ ହର।
ଏହାର "ସାଥୀ ମୋ ଜୀବନସାଥୀ...", "ଗୀତା ଆଇ ଲଭ ୟୁ...", "ଆଜି ଖୁସିରେ ହେବି ମୁଁ ପାଗଳ...", "କାଳିଆ ସୁନାରେ କାଳିଆ ସୁନା...", "ଆରେ ଜହ୍ନ ଆ...", "ବଡ଼ ନିରିମମ କପାଳ ଲିଖନ..." ଓ "ଯୋଡ଼ିରେ ଯୋଡ଼ି ହୁକୁହୁକୁ ହାଏ ହାଏ..." ଆଦି ଗୀତ ଶ୍ରୋତାଙ୍କ ମନକୁ ଛୁଇଁଥିଲା।
ଏଥିରେ କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି, ସୁରେଶ ୱାଡେକର, ସୁଦେଶ ଭୋଁସଲେ, କବିତା କ୍ରିଷ୍ଣମୂର୍ତ୍ତୀ ଓ ସାଧନା ସରଗମ୍।
ଗୀତ ରଚନା କରିଥିଲେ ଅକ୍ଷୟ ମହାନ୍ତି, ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଏବଂ ଡାକ୍ତର ସୁବୋଧ ପଟ୍ଟନାୟକ। "କପାଳ ଲିଖନ"ର ପ୍ରଯୋଜନା କରିଥିଲେ ଶୈଳବାଳା ଲେଙ୍କା।
ଏଥିରେ ଉତ୍ତମ ମହାନ୍ତି, ଅଜିତ ଦାସ, ରେଖା ରାଓ, ଅପରାଜିତା, ଦୁଃଖୀରାମ ସ୍ବାଇଁ, ଜୟୀ, ନରି, ବାଙ୍କୁ, ରୁନୁ, ବିଜୟ ମହାନ୍ତି ଓ ହର ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। "କପାଳ ଲିଖନ" ପରେ ହର ପଟ୍ଟନାୟକ ତାଙ୍କ ନିର୍ଦ୍ଦେଶିତ କୌଣସି ସିନେମାରେ ଅକ୍ଷୟ ମହାନ୍ତିଙ୍କ ସହ କାମ କରିନଥିଲେ।
ପରେ ସେ ବିକାଶ ଦାସ, ସୁବାସ ରାମ, ମନ୍ମଥ ମିଶ୍ର, ଶିବୁ ଜେନା ଓ ସ୍ବରୂପ ନାୟକ ପ୍ରମୁଖ ସଙ୍ଗୀତକାରଙ୍କ ସହ ଯୋଡ଼ି ହୋଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।