Every Indian Is Like God to Me: PM Modi: ପ୍ରତିଟି ଦେଶବାସୀ ମୋ ପାଇଁ ଭଗବାନଙ୍କ ସମାନ, ସେବା କରୁ କରୁ ୨୫ ବର୍ଷ ପୂରିଲା: ମୋଦି

Oct 07, 2026 - 13:40
Every Indian Is Like God to Me: PM Modi: ପ୍ରତିଟି ଦେଶବାସୀ ମୋ ପାଇଁ ଭଗବାନଙ୍କ ସମାନ, ସେବା କରୁ କରୁ ୨୫ ବର୍ଷ ପୂରିଲା: ମୋଦି

ସାର୍ବଜନୀନ ଜୀବନରେ ୨୫ ବର୍ଷର ସେବା ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ସରକାରୀ ପଦବୀରେ ଦାୟିତ୍ୱ ଗ୍ରହଣ କରିଥିବା ମୋଦି ଏହି ଦୀର୍ଘ ଯାତ୍ରାରେ ଗୁଜରାଟ ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ବର୍ତ୍ତମାନ ସେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି।

୨୫ ବର୍ଷର ଏହି ସେବା ଯାତ୍ରା ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ କରାଯାଉଛି। ଏହି ଅବସରରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ନିଜର ୨୫ ବର୍ଷର ସାର୍ବଜନୀନ ଜୀବନର ଅନୁଭୂତି, ଶିକ୍ଷା ଓ ଆଗାମୀ ଲକ୍ଷ୍ୟ ସମ୍ପର୍କରେ ମତ ରଖିଛନ୍ତି।

ସମ୍ବୋଧନରେ ମୋଦି କହିଛନ୍ତି, ଗୁଜରାଟରୁ ସେବା ଆରମ୍ଭ କରିଥିଲେ ଏବଂ ଏବେ ଦେଶର ସେବା କରିବାର ସୁଯୋଗ ପାଇଛନ୍ତି। ଦେଶବାସୀଙ୍କ ସେବା କରୁ କରୁ ତାଙ୍କର ୨୫ ବର୍ଷ ପୂରଣ ହୋଇଯାଇଛି। ଆଗକୁ ମଧ୍ୟ ଏଭଳି ଭାବେ ଦେଶର ସେବା କରିବା ପାଇଁ ଦେଶବାସୀ ତାଙ୍କୁ ସାହସ ଓ ଶକ୍ତି ଦିଅନ୍ତୁ।

ମୋଦି ଦେଶବାସୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି କହିଛନ୍ତି, ତାଙ୍କ ପାଇଁ ପ୍ରତିଟି ଦେଶବାସୀ ଜଣେ ଜଣେ ଭଗବାନଙ୍କ ସମାନ। ଦେଶର ସେବା କରିବା ପାଇଁ ଲୋକେ ତାଙ୍କୁ ବାଛିଛନ୍ତି। ତେଣୁ ଲୋକଙ୍କ ଭରସା ଓ ଆଶାକୁ ସମ୍ମାନ ଦେଇ ଦେଶ ପାଇଁ କାମ କରିବା ତାଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି।

ମୋଦି କହିଛନ୍ତି, ସେ ସବୁବେଳେ ନିଜକୁ ମାନବ ଧର୍ମର ଜଣେ ସେବକ ବୋଲି ଭାବି ଆସିଛନ୍ତି। ତାଙ୍କ ପାଇଁ ଲୋକଙ୍କ ସେବା ହିଁ ରାଜନୈତିକ ଜୀବନର ମୂଳ ଉଦ୍ଦେଶ୍ୟ। ଯାହା କହନ୍ତି, ତାହାକୁ କାର୍ଯ୍ୟରେ ପରିଣତ କରି ଦେଖାଇବା ତାଙ୍କର ପ୍ରୟାସ ବୋଲି ମଧ୍ୟ ସେ କହିଛନ୍ତି।

ମୋଦି କହିଛନ୍ତି, ସେ ଆମ୍ବିସନ ବା ବ୍ୟକ୍ତିଗତ ଆକାଂକ୍ଷା ପୂରଣ କରିବା ଶିଖିନାହାନ୍ତି। ବରଂ ଏକ ମିଶନକୁ ପୂରଣ କରିବା ହିଁ ତାଙ୍କର ଲକ୍ଷ୍ୟ। ‘କର୍ମ ହିଁ ମୋ ପାଇଁ ଧର୍ମ’ ବୋଲି କହି ସେ ଦେଶ ଓ ଦେଶବାସୀଙ୍କ ପାଇଁ ନିରନ୍ତର କର୍ମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।

ସେ କହିଛନ୍ତି, ପଦ ଓ ପ୍ରତିଷ୍ଠା ଅନ୍ୟ ସ୍ଥାନରେ ମିଳିପାରେ, କିନ୍ତୁ ପୁଣ୍ୟଭୂମି ଭାରତ ଭଳି ଦେଶ ଅନ୍ୟ କେଉଁଠି ମିଳିବ ନାହିଁ। ଭାରତର ସେବା କରିବାର ସୁଯୋଗକୁ ସେ ଏକ ବଡ଼ ସୌଭାଗ୍ୟ ଭାବେ ଦେଖୁଥିବା କହିଛନ୍ତି।

ନିଜର ଦୀର୍ଘ ରାଜନୈତିକ ଜୀବନ ସତ୍ତ୍ୱେ ମଧ୍ୟ ଶିଖିବାର ଆଗ୍ରହ ନିଜ ଭିତରେ ଏବେ ବି ରହିଛି। ପ୍ରତିଦିନ ନୂଆ କିଛି ଶିଖିବା ଏବଂ ଅନୁଭୂତିରୁ ଶିକ୍ଷା ନେବା ତାଙ୍କ ଜୀବନର ଏକ ଅଂଶ ହୋଇ ରହିଛି।

ସମ୍ବୋଧନ ସମୟରେ ଦେଶର ଅର୍ଥନୀତି ସମ୍ପର୍କରେ ମଧ୍ୟ ମୋଦି ନିଜ ମତ ରଖିଛନ୍ତି। ଦିନେ ସାରା ବିଶ୍ୱ ଭାରତୀୟ ଅର୍ଥନୀତିକୁ ତଳମୁହାଁ ବୋଲି କହୁଥିଲା। କିନ୍ତୁ ଆଜି ଅର୍ଥନୀତିକୁ ନେଇ ହେଉଥିବା ଅନେକ ଆକଳନ ଓ ପୂର୍ବାନୁମାନ ବଦଳିଯାଇଛି। 

ଶେଷରେ ମୋଦି ଦେଶବାସୀଙ୍କୁ ‘ୱି ୱିଲ ଡୁ ଇଟ୍’ ଅର୍ଥାତ୍‌ ‘ଆମେ କରିବୁ’ର ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ଦେଶର ଭବିଷ୍ୟତ ପାଇଁ ସମସ୍ତେ ଏକାଠି ହୋଇ ଆଗକୁ ବଢ଼ିବା ଏବଂ ବଡ଼ ଲକ୍ଷ୍ୟ ହାସଲ କରିବାର ଆତ୍ମବିଶ୍ୱାସ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।