Ex-CBI chief M Nageshwar Rao Enters Politics: ରାଜନୀତିରେ ଏଣ୍ଟ୍ରି କଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ, SSPର ମଙ୍ଗ ଧରିଲେ ନାଗେଶ୍ୱର ରାଓ

Oct 04, 2026 - 12:34
Ex-CBI chief M Nageshwar Rao Enters Politics: ରାଜନୀତିରେ ଏଣ୍ଟ୍ରି କଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ, SSPର ମଙ୍ଗ ଧରିଲେ ନାଗେଶ୍ୱର ରାଓ

ରାଜନୀତିରେ ପ୍ରବେଶ କଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍. ନାଗେଶ୍ୱର ରାଓ। ଶନିବାର ବାରାଣସୀର କାଶୀରେ ସେ ସର୍ବଜନ ସନାତନ ପାର୍ଟି (SSP)ର ଜାତୀୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ ୪ ଦଶନ୍ଧି ଧରି ସୁରକ୍ଷା, ଆଇନଶୃଙ୍ଖଳା ଓ ପ୍ରଶାସନିକ କ୍ଷେତ୍ରରେ କାମ କରିବା ପରେ ନାଗେଶ୍ୱର ରାଓଙ୍କ ଏହି ନୂଆ ରାଜନୈତିକ ଅଧ୍ୟାୟ ଆରମ୍ଭ ହୋଇଛି।

ନିଜର ନୂଆ ଦାୟିତ୍ୱ ଘୋଷଣା କରି ରାଓ କହିଛନ୍ତି ଯେ, ପ୍ରଶାସନିକ ଅଭିଜ୍ଞତା ତାଙ୍କୁ ଏହା ବୁଝାଇଛି ଯେ ଭାରତର ପୁନର୍ନିର୍ମାଣ କେବଳ ପ୍ରଶାସନିକ ସଂସ୍କାର ମଧ୍ୟରେ ସୀମିତ ରହିପାରିବ ନାହିଁ। ଦେଶର ବିକାଶ ଆଧୁନିକତା ସହ ଆଗକୁ ବଢ଼ିବା ସହିତ ନିଜର ସଭ୍ୟତା ଓ ସାଂସ୍କୃତିକ ମୂଳ ସହ ଯୋଡ଼ି ରହିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ରାଓଙ୍କ ଅନୁସାରେ, SSP ପାଇଁ ‘ସନାତନ’ କେବଳ ଏକ ପୂଜାପଦ୍ଧତି ନୁହେଁ। ଏହା ସତ୍ୟ, ଧର୍ମ, କର୍ତ୍ତବ୍ୟ, କରୁଣା, ନ୍ୟାୟ, ଆତ୍ମସଂଯମ, ପ୍ରକୃତି, ପରିବାର, ସମାଜ ଓ ଲୋକକଲ୍ୟାଣ ଭଳି ମୂଲ୍ୟବୋଧ ଉପରେ ଆଧାରିତ ଜୀବନଶୈଳୀ।

ଦଳ ନିଜର ରାଜନୈତିକ ଦୃଷ୍ଟିକୋଣକୁ ଚାରିଟି ମୁଖ୍ୟ ସ୍ତମ୍ଭ ଉପରେ ରଖିଛି। ସେଗୁଡ଼ିକ ହେଲା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ସଭ୍ୟତା ସହ ପୁନଃସଂଯୋଗ। ଶିକ୍ଷା କ୍ଷେତ୍ରରେ ଭାରତୀୟ ସଭ୍ୟତା, ଇତିହାସ ଓ ପାରମ୍ପରିକ ଜ୍ଞାନକୁ ଆଧୁନିକ ଏବଂ ବିଶ୍ୱସ୍ତରୀୟ ଶିକ୍ଷା ସହ ଯୋଡ଼ିବା ଉପରେ ଦଳ ଗୁରୁତ୍ୱ ଦେବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଓ ସୁଲଭ ଚିକିତ୍ସା ବ୍ୟବସ୍ଥା ସହ ଆଧୁନିକ ଚିକିତ୍ସା ପଦ୍ଧତି ଓ ଭାରତୀୟ ସ୍ୱାସ୍ଥ୍ୟ ପରମ୍ପରାକୁ ସମନ୍ୱୟ କରିବା ଦଳର ଲକ୍ଷ୍ୟ। ଯୁବକ, ଚାଷୀ, କାରିଗର, ଶ୍ରମିକ, ଛୋଟ ବ୍ୟବସାୟୀ ଓ ଉଦ୍ୟୋଗୀଙ୍କ ପାଇଁ ସମ୍ମାନଜନକ ଜୀବିକା ସୁଯୋଗ ସୃଷ୍ଟିକୁ ମଧ୍ୟ ଦଳ ଗୁରୁତ୍ୱ ଦେଇଛି। ଚତୁର୍ଥ ସ୍ତମ୍ଭ ଭାବେ ଭାରତୀୟ ଭାଷା, କଳା, ମନ୍ଦିର, ତୀର୍ଥସ୍ଥଳ, ପର୍ବପର୍ବାଣୀ, ଜ୍ଞାନ ପରମ୍ପରା, ପରିବାର ଓ ସାଂସ୍କୃତିକ ଅନୁଷ୍ଠାନକୁ ଜାତୀୟ ଶକ୍ତିର ଉତ୍ସ ଭାବେ ଦେଖିବାକୁ ଦଳ ପ୍ରାଥମିକତା ଦେଇଛି।

ନାଗେଶ୍ୱର ରାଓ ସ୍ପଷ୍ଟ କରିଛନ୍ତି ଯେ, ଦଳର ଲକ୍ଷ୍ୟ ଅତୀତକୁ ଫେରିଯିବା ନୁହେଁ। ବରଂ ସଭ୍ୟତାଗତ ଐତିହ୍ୟର ମୂଳ ସହ ଯୋଡ଼ି ରହି ଏକ ଆଧୁନିକ ଭାରତ ଗଠନ କରିବା ଦଳର ଉଦ୍ଦେଶ୍ୟ।  ମନ୍ଦିର ଓ ତୀର୍ଥସ୍ଥଳକୁ କେବଳ ପୂଜାସ୍ଥଳ ଭାବେ ନଦେଖି ଭାରତୀୟ ସଭ୍ୟତାର ଜୀବନ୍ତ ଅନୁଷ୍ଠାନ ଭାବେ ସଂରକ୍ଷଣ କରିବା ଉପରେ ମଧ୍ୟ ରାଓ ଗୁରୁତ୍ୱ ଦେଇଛନ୍ତି। ଏହାର ପରିଚାଳନାରେ ସମ୍ମାନ, ସ୍ୱଚ୍ଛତା ଓ ଅର୍ଥପୂର୍ଣ୍ଣ ଜନସହଭାଗିତା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେହିପରି ସନାତନର ଧାରଣା କୌଣସି ନିର୍ଦ୍ଦିଷ୍ଟ ଜାତି କିମ୍ବା ସମ୍ପ୍ରଦାୟ ବିରୋଧୀ ନୁହେଁ। ଦଳ ସମାଜରେ ବିଭେଦ ସୃଷ୍ଟି ନକରି ସମସ୍ତଙ୍କ ପାଇଁ କାମ କରିବାକୁ ଚାହୁଁଥିବା ସେ ସ୍ପଷ୍ଟ କରିଛନ୍ତି। କାଶୀକୁ ନିଜର ରାଜନୈତିକ ଯାତ୍ରାର ଆରମ୍ଭସ୍ଥଳ ଭାବେ ବର୍ଣ୍ଣନା କରି ରାଓ କହିଛନ୍ତି ଯେ, ଭାରତ ପାଇଁ ଆଧୁନିକତା ଓ ସଭ୍ୟତାଗତ ମୂଳ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ହିଁ ମୁଖ୍ୟ ଲକ୍ଷ୍ୟ ହେବ। ଏହି ଅବସରରେ SSPର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।