Ex-IAS Officer, Son Arrested: ପୂର୍ବତନ ଆଇଏଏସ ଅଫିସରଙ୍କ ଚାପୁଡାରେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ, ଓକିଲ ପୁଅ ବି ଗଲା ଜେଲ୍
ଦିଲ୍ଲୀ ମେଟ୍ରୋରେ ସିନିୟର ସିଟିଜେନ୍ ବା ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍କୁ ନେଇ ତୁମୁଳକାଣ୍ଡ। ହତ୍ୟା ଅଭିଯୋଗରେ ଜେଲ୍ ଗଲେ ପୂର୍ବତନ ଆଇଏଏସ ଅଫିସର। ଦିଲ୍ଲୀ ମେଟ୍ରୋ ଟ୍ରେନ ଭିତରେ ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପବନ ଶର୍ମା। ଏହି ଘଟଣାରେ ଉକ୍ତ ପୂର୍ବତନ ଅଧିକାରୀ ଓ ତାଙ୍କ ପୁଅଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ, ଅକ୍ଟୋବର ୮ ତାରିଖରେ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନରେ ଏହି ଘଟଣା ଘଟିଥିଲା। ସିନିୟର ସିଟିଜେନ୍ଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍କୁ ନେଇ ପବନ ଶର୍ମାଙ୍କ ସହ ପୂର୍ବତନ ଆଇଏଏସ ଅଫିସର ସଞ୍ଜୟ ପ୍ରତାପ ସିଂହ ଓ ତାଙ୍କ ପୁଅ ସିଦ୍ଧାର୍ଥ ସିଂହଙ୍କର ବଚସା ହୋଇଥିଲା। ଏହି ସମୟରେ ପବନଙ୍କୁ ଚାପୁଡ଼ା ମାରିବା ସହ ଧକ୍କା ଦେଇଥିଲେ ପୂର୍ବତନ ଅଧିକାରୀ ଓ ତାଙ୍କ ପୁଅ। ଫଳରେ ସେ ତଳେ ପଡ଼ିଯାଇ ମୁଣ୍ଡରେ ଆଘାତ ଲାଗିଥିଲା। ମେଟ୍ରୋ କର୍ମଚାରୀମାନେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲୋକନାୟକ ଜୟପ୍ରକାଶ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପବନଙ୍କ ମା’ ଦୁର୍ଗା ଶର୍ମାଙ୍କ ଅଭିଯୋଗ ଆଧାରରେ ଅକ୍ଟୋବର ୯ ତାରିଖରେ ପୁଲିସ ମାମଲା ରୁଜୁ କରିଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୧୦୫ ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ସୂତ୍ର ଅନୁସାରେ, ସଞ୍ଜୟ ପ୍ରତାପ ସିଂହ ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ। ପୂର୍ବରୁ ଏକ ଲାଞ୍ଚ ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ତାଙ୍କ ପୁଅ ସିଦ୍ଧାର୍ଥ ସୁପ୍ରିମକୋର୍ଟରେ ଓକିଲାତି କରୁଛନ୍ତି। ଘଟଣାର ପ୍ରକୃତ କାରଣ ଏବଂ ପବନଙ୍କ ମୃତ୍ୟୁର ପରିସ୍ଥିତି ନେଇ ପୁଲିସ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।