Exercise for Heart Health ହାର୍ଟକୁ ରଖନ୍ତୁ ଫିଟ୍‌, ଘଣ୍ଟା ଘଣ୍ଟା ନୁହେଁ, କେବଳ ୩୦ ମିନିଟ୍‌ ଯଥେଷ୍ଟ!

Oct 06, 2026 - 15:19
Exercise for Heart Health ହାର୍ଟକୁ ରଖନ୍ତୁ ଫିଟ୍‌, ଘଣ୍ଟା ଘଣ୍ଟା ନୁହେଁ, କେବଳ ୩୦ ମିନିଟ୍‌ ଯଥେଷ୍ଟ!

ବଦଳୁଥିବା ଜୀବନଶୈଳୀ ସାଙ୍ଗକୁ ବଢ଼ୁଛି ହୃଦ୍‌ରୋଗର ଆଶଙ୍କା। ଅନିୟମିତ ଖାଦ୍ୟାଭ୍ୟାସ, ଅତ୍ୟଧିକ ଚାପ, ଦୀର୍ଘ ସମୟ ବସି ରହିବା ଏବଂ ଶାରୀରିକ ପରିଶ୍ରମର ଅଭାବ ହାର୍ଟ ଉପରେ ପ୍ରଭାବ ପକାଉଛି। କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ମଧ୍ୟ ହୃଦ୍‌ରୋଗର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ହାର୍ଟକୁ ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମ କେତେ ଜରୁରୀ ଏବଂ ଦିନକୁ କେତେ ସମୟ ବ୍ୟାୟାମ କରିବା ଉଚିତ, ତାହା ଜାଣିବା ମଧ୍ୟ ଆବଶ୍ୟକ।

ଦିନକୁ ୩୦ ମିନିଟ୍‌ ବ୍ୟାୟାମ, ହୃଦୟ ପାଇଁ ବଡ଼ ଫାଇଦା

ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି ସପ୍ତାହକୁ ଅତି କମ୍‌ରେ ୧୫୦ ମିନିଟ୍‌ ମଧ୍ୟମ ଧରଣର ବ୍ୟାୟାମ କରିବା ଉଚିତ। ଅର୍ଥାତ୍ ସପ୍ତାହର ୫ ଦିନ ପ୍ରତିଦିନ ପ୍ରାୟ ୩୦ ମିନିଟ୍‌ ଶାରୀରିକ ପରିଶ୍ରମ କରିବା ହାର୍ଟ ପାଇଁ ଲାଭଦାୟକ।

ଅଧିକ ସମୟ ମିଳିଲେ ସପ୍ତାହକୁ ୩୦୦ ମିନିଟ୍‌ ପର୍ଯ୍ୟନ୍ତ ଶାରୀରିକ କାର୍ଯ୍ୟକଳାପ କରିହେବ। ଏଥିପାଇଁ ଜିମ୍‌ ଯିବା ଜରୁରୀ ନୁହେଁ। ଦ୍ରୁତ ଗତିରେ ଚାଲିବା, ସାଇକେଲ୍ ଚଲାଇବା, ସନ୍ତରଣ, ଡ୍ୟାନ୍ସ କରିବା କିମ୍ବା ହାଲୁକା ଜଗିଂ ଭଳି କାର୍ଯ୍ୟକଳାପ ମଧ୍ୟ କରିପାରିବେ।

ବ୍ୟାୟାମ ଆରମ୍ଭ କରୁଥିଲେ ଏହା କରନ୍ତୁ

ଯେଉଁମାନେ ନିୟମିତ ବ୍ୟାୟାମ କରୁନାହାନ୍ତି, ସେମାନେ ହଠାତ୍ ଅଧିକ ପରିଶ୍ରମ ନକରି ପ୍ରତିଦିନ ୨୦ରୁ ୩୦ ମିନିଟ୍‌ ଦ୍ରୁତ ଗତିରେ ଚାଲିବାରୁ ଆରମ୍ଭ କରିପାରିବେ। ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ମଧ୍ୟ ଏଡ଼ାଇବା ଦରକାର। ମଝିରେ ମଝିରେ ଉଠି କିଛି ସମୟ ଚାଲିବା ମଧ୍ୟ ଶରୀର ପାଇଁ ଲାଭଦାୟକ।

ସପ୍ତାହକୁ ୨ ଦିନ ଷ୍ଟ୍ରେନ୍ଥ୍ ଟ୍ରେନିଂ

କେବଳ ୱାକିଂ କିମ୍ବା କାର୍ଡିଓ ନୁହେଁ, ସପ୍ତାହକୁ ପ୍ରାୟ ୨ ଦିନ ହାଲୁକା ଷ୍ଟ୍ରେନ୍ଥ୍ ଟ୍ରେନିଂ ମଧ୍ୟ କରିପାରିବେ। ଏହା ମାଂସପେଶୀକୁ ମଜବୁତ କରିବା ସହ ଶରୀରର ସାମଗ୍ରୀକ ଫିଟନେସ୍‌କୁ ଭଲ ରଖିବାରେ ସହାୟକ ହୁଏ।

ତେବେ ହୃଦ୍‌ରୋଗ, ମଧୁମେହ, ଉଚ୍ଚ ରକ୍ତଚାପ କିମ୍ବା ଅନ୍ୟ କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିଲେ ନିଜ ଇଚ୍ଛାରେ ବ୍ୟାୟାମ ଆରମ୍ଭ ନକରି ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।
ବ୍ୟାୟାମ ସମୟରେ ଏହି ଲକ୍ଷଣକୁ ଅଣଦେଖା କରନ୍ତୁନି ।

ବ୍ୟାୟାମ କରିବା ସମୟରେ ଛାତିରେ ଯନ୍ତ୍ରଣା, ଅସ୍ୱାଭାବିକ ଭାବେ ନିଶ୍ୱାସ ଫୁଲିବା, ମୁଣ୍ଡ ବୁଲାଇବା କିମ୍ବା ହଠାତ୍ ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ବ୍ୟାୟାମ ବନ୍ଦ କରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ଅଧିକ ବ୍ୟାୟାମ ନୁହେଁ, ନିୟମିତ ବ୍ୟାୟାମ ଜରୁରୀ

ହାର୍ଟକୁ ସୁସ୍ଥ ରଖିବା ପାଇଁ ଘଣ୍ଟା ଘଣ୍ଟା ଧରି ବ୍ୟାୟାମ କରିବା ଜରୁରୀ ନୁହେଁ। ନିୟମିତ ଭାବେ ସକ୍ରିୟ ରହିବା ହିଁ ସବୁଠାରୁ ବଡ଼ କଥା। ପ୍ରତିଦିନ ମାତ୍ର ୩୦ ମିନିଟ୍‌ ଦ୍ରୁତ ଗତିରେ ଚାଲିବା ଭଳି ସରଳ ଅଭ୍ୟାସ ମଧ୍ୟ ଦୀର୍ଘ ସମୟରେ ହାର୍ଟର ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।