Expensive New Home In Mumbai : ବଦଳିଲା ‘ରେହମନ ଡକୈତ’ଙ୍କ ଠିକଣା; ଏବେ ଏଇଠି ମିଳିବେ, ଚର୍ଚ୍ଚାରେ ନୂଆ ଘର
ଦମଦାର ଅଭିନୟ ପାଇଁ ପରିଚିତ ଅକ୍ଷୟ ଖନ୍ନା ଏବେ ନିଜର ନୂଆ ପ୍ରପର୍ଟିକୁ ନେଇ ଚର୍ଚ୍ଚାରେ। ମୁମ୍ବାଇର ଅତ୍ୟନ୍ତ ଦାମୀ ଅଞ୍ଚଳ ମାଲାବାର ହିଲ୍ରେ ଅଭିନେତା ୩୩.୨୬ କୋଟି ଟଙ୍କାର ଏକ ଲଗ୍ଜୁରୀ ଆପାର୍ଟମେଣ୍ଟ କିଣିଛନ୍ତି।
ସ୍କ୍ୱାୟାର ୟାର୍ଡସ୍ ପକ୍ଷରୁ ମହାରାଷ୍ଟ୍ରର ଇନ୍ସପେକ୍ଟର ଜେନେରାଲ୍ ଅଫ୍ ରେଜିଷ୍ଟ୍ରେସନ୍ ବା IGR ୱେବ୍ସାଇଟ୍ରେ ଉପଲବ୍ଧ ପ୍ରପର୍ଟି ରେଜିଷ୍ଟ୍ରେସନ୍ ଦସ୍ତାବିଜ ଯାଞ୍ଚ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ପ୍ରପର୍ଟି ଡିଲ୍ ସେପ୍ଟେମ୍ବର ୨୦୨୬ରେ ରେଜିଷ୍ଟର ହୋଇଥିବା କୁହାଯାଇଛି।
କେତେ ବଡ଼ ଅକ୍ଷୟଙ୍କ ନୂଆ ଘର?
ମୁମ୍ବାଇର ମାଲାବାର ହିଲ୍ ରୋଡ୍ରେ ଥିବା ୩୦ ଲିଟିଲ୍ ଗିବ୍ସରେ ଏହି ପ୍ରପର୍ଟି ରହିଛି। ଆପାର୍ଟମେଣ୍ଟର କାର୍ପେଟ୍ ଏରିଆ ୨,୩୪୧.୩୯ ବର୍ଗଫୁଟ୍ ବା ୨୧୭.୫୨ ବର୍ଗମିଟର। ଏହାସହ ପ୍ରାୟ ୧୭୫.୪୫ ବର୍ଗଫୁଟ୍ର ବାଲକୋନି ମଧ୍ୟ ରହିଛି। ଫଳରେ ସମ୍ପୂର୍ଣ୍ଣ ପ୍ରପର୍ଟିର ଆକାର ପ୍ରାୟ ୨,୫୧୬.୮୪ ବର୍ଗଫୁଟ୍। ଘର ସହିତ ତିନୋଟି ପାର୍କିଂ ୟୁନିଟ୍ ମଧ୍ୟ ମିଳିଛି।
ଏହି ଡିଲ୍ ପାଇଁ ଅକ୍ଷୟ ଖନ୍ନା ପ୍ରାୟ ୧.୯୯ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ଏବଂ ୩୦ ହଜାର ଟଙ୍କା ରେଜିଷ୍ଟ୍ରେସନ୍ ଫି ଦେଇଥିବା ରିପୋର୍ଟରେ କୁହାଯାଇଛି।
ମୁମ୍ବାଇର ସବୁଠାରୁ ଦାମୀ ଅଞ୍ଚଳ ମଧ୍ୟରେ ମାଲାବାର ହିଲ୍
ମାଲାବାର ହିଲ୍ ଦକ୍ଷିଣ ମୁମ୍ବାଇର ସବୁଠାରୁ ପ୍ରତିଷ୍ଠିତ ଓ ଦାମୀ ଆବାସିକ ଅଞ୍ଚଳ ମଧ୍ୟରେ ଗଣାଯାଏ। ଆରବ ସାଗର କୂଳରେ ଥିବା ଏହି ଅଞ୍ଚଳ ଲଗ୍ଜୁରୀ ଆପାର୍ଟମେଣ୍ଟ, ଦାମୀ ଘର ଓ ଶାନ୍ତ ପରିବେଶ ପାଇଁ ବେଶ୍ ପରିଚିତ।
ନେପିଆନ୍ ସି ରୋଡ୍, ୱାକେଶ୍ୱର ରୋଡ୍ ଓ ପେଡର ରୋଡ୍ ମାଧ୍ୟମରେ ଏଠାରୁ ସହରର ବିଭିନ୍ନ ପ୍ରମୁଖ ସ୍ଥାନକୁ ସହଜରେ ଯାତାୟାତ କରିହେବ। ମେରିନ୍ ଡ୍ରାଇଭ୍, ନରିମନ୍ ପଏଣ୍ଟ ଓ କୋଲାବା ମଧ୍ୟ ଏଠାରୁ ଅଧିକ ଦୂର ନୁହେଁ।
ଏହି ଅଞ୍ଚଳରେ ନାମୀ ସ୍କୁଲ୍, ହସ୍ପିଟାଲ୍, ପ୍ରିମିୟମ୍ ରେଷ୍ଟୁରାଣ୍ଟ ଏବଂ ସପିଂ ଡେଷ୍ଟିନେସନ୍ର ସୁବିଧା ରହିଛି। ହ୍ୟାଙ୍ଗିଂ ଗାର୍ଡେନ୍, କମଲା ନେହରୁ ପାର୍କ, ବାଣଗଙ୍ଗା ଟ୍ୟାଙ୍କ ଓ ୱାକେଶ୍ୱର ମନ୍ଦିର ଭଳି ପ୍ରସିଦ୍ଧ ସ୍ଥାନ ମଧ୍ୟ ମାଲାବାର ହିଲ୍ର ଆକର୍ଷଣ ବଢ଼ାଇଥାଏ।
ଆଗକୁ କେଉଁ ଫିଲ୍ମରେ ନଜର ଆସିବେ ଅକ୍ଷୟ?
ଦିବଙ୍ଗତ ଅଭିନେତା ବିନୋଦ ଖନ୍ନାଙ୍କ ପୁଅ ଅକ୍ଷୟ ଖନ୍ନା ହିନ୍ଦୀ ସିନେମାରେ ନିଜର ଭିନ୍ନ ଅଭିନୟ ଶୈଳୀ ପାଇଁ ପରିଚିତ। ‘ଦିଲ୍ ଚାହତା ହୈ’, ‘ହଲଚଲ’, ‘ରେସ୍’, ‘ଗାନ୍ଧୀ ମାଇ ଫାଦର’, ‘ଦୃଶ୍ୟମ’ ଏବଂ ‘ଧୁରନ୍ଧର’ ଭଳି ଚର୍ଚ୍ଚିତ ଫିଲ୍ମରେ ସେ କାମ କରିଛନ୍ତି। ଏବେ ଅକ୍ଷୟ ଖନ୍ନାଙ୍କୁ ଆଗାମୀ ଫିଲ୍ମ ‘ମହାକାଳୀ’ରେ ଦେଖିବାକୁ ମିଳିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।