29 OCTOBER 2026

Welcome!

Unlock your personalized experience.
Sign Up

Explosion: ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ: ଢାଙ୍କୁଣି ଉଡ଼ି ମୁଣ୍ଡରେ ବାଜିଲା, ଜଣେ ମୃତ

Oct 29, 2026 - 02:38
Explosion: ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ: ଢାଙ୍କୁଣି ଉଡ଼ି ମୁଣ୍ଡରେ ବାଜିଲା, ଜଣେ ମୃତ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଏନ୍‌ଏସି ଅଧୀନ ୭ ନମ୍ବର ୱାର୍ଡ ବାଳିଗୋହିରିସ୍ଥିତ ସତ୍ୟସାଇ ଫିଲିଂ ଷ୍ଟେସନ୍‌ (ପେଟ୍ରୋଲ୍‌ ପମ୍ପ)ରେ ଭୟଙ୍କର ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ଏକ ପୁରୁଣା ଟାଙ୍କିକୁ ସ୍କ୍ରାପ୍‌ ପାଇଁ ଗ୍ୟାସ୍‌ କଟର୍‌ରେ କାଟିବାବେଳେ ଏହି ଅଘଟଣ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଲୋକେ ରାଜପଥ ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପରେ ପରିସ୍ଥିତି ଶାନ୍ତ ପଡ଼ିଛି।

MLC Election: କର୍ଣ୍ଣାଟକ ଏମ୍‌ଏଲ୍‌ସି ନିର୍ବାଚନରେ ବିଜେପିର ବଡ଼ ବିଜୟ ପରେ ଡିକେ ଶିବକୁମାରଙ୍କୁ କଟାକ୍ଷ

ସୂଚନାଯୋଗ୍ୟ, ନୀଳଗିରି-ଶେରଗଡ଼ ମୁଖ୍ୟରାସ୍ତାକଡ଼ରେ ଦୀପ୍ତିକାନ୍ତ ମହାପାତ୍ରଙ୍କର ଏକ ପେଟ୍ରୋଲ୍‌ ପମ୍ପ ରହିଛି। ଏଠାରେ ଏକ ପୁରୁଣା ଟାଙ୍କିକୁ ସ୍କ୍ରାପ୍‌ ଭା‌ବେ ବିକ୍ରି ପାଇଁ ଆଜି ପୂର୍ବାହ୍ଣ ୯ଟା ସମୟରେ କଟକସ୍ଥିତ ଏକ ସଂସ୍ଥାର ୩ ଜଣ କର୍ମଚାରୀ ଗ୍ୟାସ୍‌ କଟର୍‌ରେ କାଟୁଥିଲେ। ଯେହେତୁ ପୂର୍ବରୁ ଏଥିରେ ଇନ୍ଧନ ରହିଥିଲା, ତେଣୁ କାଟିବା ସମୟରେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବାର ଥିଲା। ସେମାନେ ଟାଙ୍କିର ଗୋଟିଏ ମୁଣ୍ଡକୁ କାଟିବାବେଳେ ଗ୍ୟାସ୍‌ କଟରର ନିଆଁଝୁଲ ଭିତରକୁ ଯିବାରୁ ଟାଙ୍କିର ଅପରପାର୍ଶ୍ବରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ‌ଯେ ଟାଙ୍କିର ଢାଙ୍କୁଣି ଉଡ଼ିଯାଇ କିଛିଦୂରରେ କାମ କରୁଥିବା ପେଟ୍ରୋଲ ପମ୍ପ କର୍ମଚାରୀ ରେମୁଣା ବ୍ଲକ୍‌ ଅଧୀନ ବିମୁରିଆ ଗ୍ରାମର ବୀରେନ୍ଦ୍ର ସିଂହ (୬୨)ଙ୍କ ମୁଣ୍ଡରେ ବାଜିଥିଲା। ‌ଫଳରେ ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ। ବିସ୍ଫୋରଣ ଶବ୍ଦରେ ନିକଟସ୍ଥ ଏକ ଗାଡ଼ି ସୋ-ରୁମ୍‌ ଓ ହରମୋହନ ମହାପାତ୍ରଙ୍କ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା।

Mountaineering Training ୧୬,୫୦୦ ଫୁଟ୍ ଉଚ୍ଚତାରେ ପହଞ୍ଚିଲେ ମ୍ୟୁନିସିପାଲ କଲେଜ ଏନ୍‌ସିସି କ୍ୟାଡେଟ୍‌ ରୋଜାଲିନ୍‌

ଖବର ପାଇ ନୀଳଗିରି ପୁଲିସ ତୁରନ୍ତ ପମ୍ପ ମାଲିକଙ୍କ ସମେତ ମ୍ୟାନେଜର କମଳାଲୋଚନ ନାୟକ, ଟାଙ୍କି କାଟୁଥିବା ୨ କର୍ମଚାରୀଙ୍କୁ ଥାନାକୁ ଉଠାଇ ନେଇଥିଲା। ଏହି ଅଘଟଣ ପରେ ମୃତକଙ୍କ ପରିବାର, ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ପେଟ୍ରୋଲ୍‌ ପମ୍ପର ଅଫିସ ଭଙ୍ଗାରୁଜା କରିବା ସହ କ୍ଷତିପୂରଣ ଦାବିରେ ନୀଳଗିରି-ଶେରଗଡ଼ ୧୯ ନମ୍ୱର ରାଜ୍ୟ ରାଜପଥ ଉପରେ ଶବ ରଖି ଧାରଣାରେ ବସିଥିଲେ। ଭାରପ୍ରାପ୍ତ ତହସିଲଦାର ଶୁଭଶ୍ରୀ ଜେନା, ଅତିରିକ୍ତ ଏସ୍‌ପି ଦିବ୍ୟଜ୍ୟୋତି ଦାସ, ଏସ୍‌ଡିପିଓ ନିର୍ମଳା ଗୋଛାୟତ, ନୀଳଗିରି ଥାନା ଆଇଆଇସି ଗୋବର୍ଦ୍ଧନ ନାୟକ, ବରହମପୁର ଆଇଆଇସି ଜନ ପଟ୍ଟନାୟକ, ଖନ୍ତାପଡ଼ା ଥାନା ଆଇଆଇସି ଆଲୋକ କୁମାର ବେହେରା, ସଦର ଥାନା ଆଇଆଇସି ଅଜୟ ମୁର୍ମୁଙ୍କ ସହ ୧ ପ୍ଲାଟୁନ୍‌ ଫୋର୍ସ ପହଞ୍ଚି ବୁଝାସୁଝା କରିଥିଲେ। ହିନ୍ଦୁସ୍ଥାନ ପେଟ୍ରୋଲିୟମ କମ୍ପାନି ପକ୍ଷରୁ ୧୦ ଲକ୍ଷ ଏବଂ ପମ୍ପ ମାଲିକ ଶ୍ରୀ ମହାପାତ୍ର ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ‌ପେଟ୍ରୋଲ୍‌ ପମ୍ପ ମାଲିକଙ୍କୁ ପୁଲିସ ଛାଡ଼ି ଦେଇଛି। କେସ୍‌ ନମ୍ବର ୪୮୮/୨୬ରେ ଏକ ମାମଲା ରୁଜୁ କରି ମ୍ୟାନେଜର ଓ ଟାଙ୍କି କାଟୁଥିବା ୨ ଜଣଙ୍କୁ ପୁଲିସ ଅଟକ ରଖିଛି। ସନ୍ଧ୍ୟାରେ ବାଲେଶ୍ବରରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ ଚଳାଇଛି। ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପେଟ୍ରୋଲ୍‌ ପମ୍ପକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରି ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।