'fake AI video': ଭ୍ରାମକ ଭିଡିଓ ପ୍ରସାରଣ ନେଇ କଂଗ୍ରେସ କ୍ଷମା ମାଗିବାକୁ ଦାବି କଲା ବିଜେପି
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ରେ ଚୀନ୍ ଭାରତୀୟ ଅଞ୍ଚଳ ଦଖଲ କରିଥିବା ଏବଂ ଭାରତୀୟ ସେନାକୁ ଆବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରାଯାଇଥିବା ଦାବି କରି ସୋସିଆଲ୍ ମିଡିଆ ରେ ଭ୍ରମାତ୍ମକ ଭିଡିଓ ପ୍ରସାରଣକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି।
ଭାରତୀୟ ସେନା ଏହି ଭିଡିଓଗୁଡ଼ିକର ସତ୍ୟତା ଯାଞ୍ଚ କରି ଗୋଟିଏ ଭିଡିଓକୁ ଭୁଲ୍ ତଥ୍ୟ ସହ ପ୍ରସାରିତ ଦୃଶ୍ୟ ଏବଂ ଅନ୍ୟଟିକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ ନକଲି ଭିଡିଓ ବୋଲି ସ୍ପଷ୍ଟ କରିଛି।
ଏହାପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସକୁ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ କହିଛନ୍ତି।
Advertisment ଅକ୍ଟୋବର ୨୭ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବିହାରର କଂଗ୍ରେସ ମୁଖପାତ୍ର ଋତୁ ଚୌଧୁରୀଙ୍କ ସମେତ କିଛି ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏହି ଭିଡିଓଗୁଡ଼ିକ ପ୍ରସାର କରିଥିଲେ।
ସେଥିରୁ ଗୋଟିଏ ଭିଡିଓରେ ଚୀନ୍ର ଯାନ ଭାରତୀୟ ଅଞ୍ଚଳକୁ ପ୍ରବେଶ କରିଥିବା ଦାବି କରାଯାଇଥିବାବେଳେ ଅନ୍ୟଟିରେ ଚୀନ୍ ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳ ଦଖଲ କରିଥିବା ଦର୍ଶାଯାଇଥିଲା।
ସେନାର ତଥ୍ୟ ଯାଞ୍ଚରୁ ଜଣାପଡ଼ିଛି ଯେ ପ୍ରଥମ ଭିଡିଓଟି ସିକ୍କିମ୍ର ନାଥୁଲା ଗିରିପଥର।
ଏହା ଭାରତ ଓ ଚୀନ୍ ମଧ୍ୟରେ ଅନୁମୋଦିତ ସୀମାପାର ବାଣିଜ୍ୟ କେନ୍ଦ୍ର।
ଏଠାରେ ଚୀନ୍ର ବାଣିଜ୍ୟିକ ଯାନ ଚଳାଚଳକୁ ଅନଧିକୃତ ସାମରିକ ଅନୁପ୍ରବେଶ ଭାବେ ଉପସ୍ଥାପନ କରାଯାଇଛି।
ଏହି ବାଣିଜ୍ୟ ନିର୍ଦ୍ଧାରିତ ଦ୍ୱିପାକ୍ଷିକ ଚୁକ୍ତି ଓ ନିୟମ ଅନୁସାରେ ହୋଇଥାଏ ବୋଲି ସେନା ସ୍ପଷ୍ଟ କରିଛି।
ଦ୍ୱିତୀୟ ଭିଡିଓରେ ସେନାର ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍ ଗିରିଶ କାଲିଆ ଅରୁଣାଚଳ ପ୍ରଦେଶର ଅସାଫିଲା, ଲୋଙ୍ଗଜୁ ଓ ତାକ୍ସିଂ ଅଞ୍ଚଳ ଚୀନ୍ ଦଖଲ କରିଥିବା କହୁଥିବା ଦେଖାଯାଇଥିଲା।
ଏଥିସହ ସେନାକୁ ଆବଶ୍ୟକ ସାମଗ୍ରୀ ମିଳୁନଥିବା ଦାବି ମଧ୍ୟ ରହିଥିଲା।
କିନ୍ତୁ ସେନା କହିଛି ଯେ ଏହା ଏକ ଡିପ୍ଫେକ୍ ଭିଡିଓ।
ଏହାର ମୂଳ ଦୃଶ୍ୟ ୨୦୨୩ ଅକ୍ଟୋବର ୨୭ରେ ଜମ୍ମୁ-କାଶ୍ମୀରର କୁପୱାଡ଼ାଠାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀର।
ସେତେବେଳେ ଅଧିକାରୀ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ ସୂଚନା ଦେଇଥିଲେ।
ସେ ଅରୁଣାଚଳ ପ୍ରଦେଶ ସମ୍ପର୍କରେ ଏପରି କୌଣସି ମନ୍ତବ୍ୟ ଦେଇନଥିଲେ।
ଅରୁଣାଚଳ ସମ୍ପର୍କିତ ଭିଡିଓ ଡିପ୍ଫେକ୍ ବୋଲି ସେନାର ସ୍ପଷ୍ଟୀକରଣ ଏହି ଘଟଣାରେ ରିଜିଜୁ କହିଛନ୍ତି ଯେ ଭାରତୀୟ ସେନାର ଭାବମୂର୍ତ୍ତି କ୍ଷୁଣ୍ଣ କରିବା ପାଇଁ ନକଲି ଏଆଇ ଭିଡିଓ ପ୍ରସାରଣ କରିଥିବାରୁ କଂଗ୍ରେସ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ।
ଏହା ଶତ୍ରୁ ଦେଶର କାର୍ଯ୍ୟକଳାପ ସହ ସମାନ ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ, ନ୍ୟାସନାଲ୍ ଷ୍ଟୁଡେଣ୍ଟସ୍ ୟୁନିୟନ୍ ଅଫ୍ ଇଣ୍ଡିଆ (ଏନ୍ଏସ୍ୟୁଆଇ) ମୁଖ୍ୟ ବିନୋଦ ଝାଖର କହିଛନ୍ତି ଯେ ଭିଡିଓଟିରେ କିଛି ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଏଥିରେ ଉଠାଯାଇଥିବା ପ୍ରସଙ୍ଗ ଭୁଲ୍ ନୁହେଁ।
ଅରୁଣାଚଳରେ ଚୀନ୍ର ଗତିବିଧି ନେଇ ସରକାରଙ୍କୁ ପ୍ରଶ୍ନ କରିବା ଜାରି ରହିବ ବୋଲି ସେ କହିଛନ୍ତି।
ଏହାକୁ ନେଇ ବିଜେପି ମଧ୍ୟ କଂଗ୍ରେସକୁ ସମାଲୋଚନା କରିଛି।
ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ୮ ଜିଲ୍ଲାର ୪୬୬ଟି ଆଶ୍ରୟସ୍ଥଳୀ, ୪୮ହଜାର ସ୍ଥାନାନ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।