Fake Court Job Scam: କୋର୍ଟରେ ଚାକିରି ଦେବାକୁ କହି ଚୂନ ଲଗାଇଲେ! ପୁଅର ଚାକିରି ଆଶାରେ ବାପା ଦେଲେ ୨୬ ଲକ୍ଷ

Oct 27, 2026 - 10:21
Fake Court Job Scam: କୋର୍ଟରେ ଚାକିରି ଦେବାକୁ କହି ଚୂନ ଲଗାଇଲେ! ପୁଅର ଚାକିରି ଆଶାରେ ବାପା ଦେଲେ ୨୬ ଲକ୍ଷ

ଚାକିରି ନକଲି !

ଇଣ୍ଟରଭ୍ୟୁ ନକଲି !

ଜଏନିଂ ଲେଟର ବି ନକଲି !

ହେଲେ ଚାକିରି କରାଇଦେବା ନାଁରେ ଟଙ୍କା ନେବା ଥିଲା ଅସଲି !

କୋର୍ଟରେ ଷ୍ଟେନୋଗ୍ରାଫର ଚାକିରି କରାଇଦେବାର ମିଛ ପ୍ରତିଶ୍ରୁତି ଦେଇ ଜଣେ ଯୁବକଙ୍କ ପରିବାରଠାରୁ ପ୍ରାୟ ୨୬ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି ।

ସମ୍ବଲପୁରର ଏହି ଘଟଣାରେ ଅପହରଣ ଅଭିଯୋଗ ପରେ ଖୋଲିଛି ଚାକିରି ଠକେଇର ଗୁମର ।

ଧନୁପାଲି ଥାନା ଭତ୍ରା ଗାଁର ଦେବାଶିଷ ବାଗ, ପ୍ରଦୀପ ଭୋଇଙ୍କ ପୁଅ ବିକାଶ ଭୋଇଙ୍କୁ କୋର୍ଟରେ ଚାକିରି କରାଇଦେବାକୁ କହିଥିଲେ ।

ଏଥି ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨୬ ଲକ୍ଷ ଟଙ୍କା ନେଇଥିବା ପ୍ରଦୀପ ଅଭିଯୋଗ କରିଛନ୍ତି ।

୨୦୨୫ର ଏହି ଘଟଣା ।

ନଗଦ ଓ ଅନଲାଇନ୍ ମାଧ୍ୟମରେ ପ୍ରଦୀପ ପ୍ରାୟ ୨୬ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି ।

ପ୍ରଦୀପଙ୍କ କହିବା ଅନୁସାରେ, ଦେବାଶିଷ ବାଗ ନାମକ ଜଣେ ଯୁବକ ତାଙ୍କ ପୁଅ ବିକାଶଙ୍କୁ କୋର୍ଟରେ ଚାକିରି କରାଇଦେବେ ବୋଲି କହିଥିଲେ ।

ଏଥିପାଇଁ ପରୀକ୍ଷା, ଇଣ୍ଟରଭ୍ୟୁ ଓ ଚାକିରି ସମ୍ପର୍କିତ ବିଭିନ୍ନ ପ୍ରକ୍ରିୟାର କଥା କହି ବାରମ୍ବାର ଟଙ୍କା ନେଇଥିଲେ ।

ଫୋନ୍ ପେ' ଜରିଆରେ ପ୍ରାୟ ୪୦ ଥର ଟଙ୍କା ଦିଆଯାଇଥିଲା ।

ହେଲେ ଟଙ୍କା ଫେରସ୍ତ ନମିଳିବାରୁ ପରିବାର ଦେବାଶିଷଙ୍କ ଘରେ ପହଞ୍ଚିଥିଲେ ।

ହେଲେ ଦେବାଶିଷ ନିଜ ବାପା ଶିବଶଙ୍କର ବାଗଙ୍କୁ ଅପହରଣ କରାଯାଇଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ ।

ଏମିତିକି ଅପହରଣ ସମୟର ସିସିଟିଭି ଫୁଟେଜ୍ ମଧ୍ୟ ପୋଲିସକୁ ଦେଇଥଇଲେ ।

ହେଲେ ତଦନ୍ତ କରି ପୋଲିସ ଶିବଶଙ୍କରଙ୍କୁ ଉଦ୍ଧାର କରିବା ପରେ ଏହି ଘଟଣାର ସତ ସାମ୍ନାକୁ ଆଣିଛି ।

ସେପଟେ ପ୍ରଦୀପ ଭୋଇ କ୍ୟାନ୍ସରରେ ପୀଡ଼ିତ ଥିବା ବେଳେ ପୁଅର ଚାକିରି ଆଶାରେ ଧାରକରଜ କରି ଟଙ୍କା ଦେଇଥିବା କହିଛନ୍ତି ।

ଏହି ଘଟଣାରେ ପୋଲିସ ଉଭୟ ପକ୍ଷର ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି ।

ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ପୂରା ସତ ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।