Fake IAS Wedding Scam: IAS ବୋହୂ ଆଣିବା ପଡ଼ିଲା ମହଙ୍ଗା! ସ୍ୱାମୀକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ପରେ ପୋଲିସ ହାତରେ ନକଲି ଅଫିସର

Jul 15, 2026 - 13:22
Fake IAS Wedding Scam: IAS ବୋହୂ ଆଣିବା ପଡ଼ିଲା ମହଙ୍ଗା! ସ୍ୱାମୀକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ପରେ ପୋଲିସ ହାତରେ ନକଲି ଅଫିସର

ଜଣେ ମହିଳା ନିଜକୁ ଆଇଏଏସ (IAS) ଅଫିସର ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କୁ ବିବାହ କରିବା ଏବଂ ପରେ ତାଙ୍କୁ ୪୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲାରେ।

ଘଟଣାଟି କ’ଣ?

ଗିରଫ ହୋଇଥିବା ମହିଳା ଜଣକ ହେଉଛନ୍ତି ସାଧନା, ଯିଏକି ବଦାୟୁଁ ଜିଲ୍ଲାର ବାସିନ୍ଦା। ସାଧନା ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମିଡିଆରେ ନକଲି ଫଟୋ ଏବଂ ଭିଡିଓ ଅପଲୋଡ୍ କରି ନିଜକୁ ଜଣେ IAS ଅଫିସର ଭାବେ ଦର୍ଶାଇଥିଲେ। ଏହାକୁ ସତ ଭାବି ଅଭିଷେକ ନାମକ ଜଣେ ବ୍ୟକ୍ତି ସାଧନାଙ୍କୁ ବିବାହ କରିଥିଲେ।

ବିବାହ ପରେ ବାହାରିଲା ସାଧନାଙ୍କ ଅସଲି ରୂପ

ଅଭିଷେକଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରେ ସାଧନାଙ୍କ ବ୍ୟବହାର ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ ଅଭିଷେକଙ୍କୁ ଶ୍ୱାସରୁଦ୍ଧ କରି ମାରିଦେବାକୁ ଚେଷ୍ଟା କରିବା ସହ ତାଙ୍କ ପରିବାରକୁ ଧମକଚମକ ଦେବା ଆରମ୍ଭ କରିଥିଲେ। ସାଧନା ତାଙ୍କୁ ୪୦ ଲକ୍ଷ ଟଙ୍କା ଦେବା ପାଇଁ ଚାପ ପକାଇଥିଲେ। ବଦାୟୁଁରେ ସାଧନାଙ୍କ ନାଁରେ ଥିବା ଏକ ପ୍ଲଟ୍‌ରେ ଡାକ୍ତରଖାନା ନିର୍ମାଣ କରିବା ପାଇଁ ଅଭିଷେକଙ୍କୁ ତାଙ୍କର ଚାଷ ଜମି ବିକ୍ରି କରିବାକୁ ସେ ବାଧ୍ୟ କରୁଥିଲେ।

ପୋଲିସର କାର୍ଯ୍ୟାନୁଷ୍ଠାନ

ଅଭିଷେକଙ୍କ ଅଭିଯୋଗ ଆଧାରରେ ବରେଲୀର ଫରିଦପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ବରେଲୀର ଏସପି (ସାଉଥ୍) ଅଂଶିକା ବର୍ମାଙ୍କ ସୂଚନା ଅନୁଯାୟୀ, ପୋଲିସ ଚଢ଼ାଉ କରି ଅଭିଯୁକ୍ତ ମହିଳା ସାଧନାଙ୍କୁ ଗିରଫ କରି ଜେଲ୍ ପଠାଇଛି।

ପୋଲିସ ଜେରା ବେଳେ ସାଧନା ନିଜର ଅପରାଧ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ସେ କେବଳ ଜଣେ B.Sc ଗ୍ରାଜୁଏଟ୍ ଏବଂ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କ ବାପା ଜଣେ ସାଧାରଣ ଚାଷୀ। ଅଭିଷେକଙ୍କ ପରିବାରର ବିଶ୍ୱାସ ଜିତିବା ପାଇଁ ସେ ନକଲି ଆଇଏଏସ ପ୍ରୋଫାଇଲ୍ ତିଆରି କରିଥିଲେ।

ଏହି ଠକେଇ ମାମଲାରେ କେବଳ ସାଧନା ନୁହଁନ୍ତି, ବରଂ ତାଙ୍କ ପରିବାର ଲୋକ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ପୋଲିସ ସାଧନାଙ୍କ ସମେତ ତାଙ୍କ ବାପା ନରେନ୍ଦ୍ର ପାଲ୍ ସିଂ, ଭାଇ ସୂର୍ଯ୍ୟ ପ୍ରତାପ ଏବଂ ମାମୁଁ ରାଜେନ୍ଦ୍ର ସିଂଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ଆଇଟି ଆକ୍ଟର ସେକ୍ସନ 66D ଅନୁଯାୟୀ ମାମଲା ରୁଜୁ କରିଛି। ଏହି ଘଟଣାରେ ଅନ୍ୟମାନଙ୍କ ଭୂମିକା ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।