False Election Affidavit: ‘ମିଥ୍ୟା ନିର୍ବାଚନୀ ସତ୍ୟପାଠ ବିରୋଧରେ ଯେ କେହି କରିପାରିବେ ଅଭିଯୋଗ’
ନୂଆଦିଲ୍ଲୀ: ନିର୍ବାଚନୀ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେବା କିମ୍ବା ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲୁଚାଇବା ପାଇଁ ନିର୍ବାଚିତ ପ୍ରାର୍ଥୀଙ୍କ ବିରୋଧରେ ସାଧାରଣ ନାଗରିକ ମଧ୍ୟ ଆପରାଧିକ ଅଭିଯୋଗ ଦାଖଲ କରିପାରିବେ। ଶୁକ୍ରବାର ସୁପ୍ରିମ୍କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ଶୀଲ ନାଗୁଙ୍କ ଖଣ୍ଡପୀଠ କହିଛନ୍ତି, ଲୋକପ୍ରତିନିଧିତ୍ବ ଆଇନର ଧାରା ୧୨୫ଏ ଅନୁଯାୟୀ ଏପରି ଅଭିଯୋଗ ଦାଖଲ କରିବା ପାଇଁ ନାଗରିକଙ୍କୁ ଆଇନଗତ ବାଧା ନାହିଁ।
ଏହି ମାମଲାରେ ଅଭିଯୋଗ ଦାଖଲ ପାଇଁ ନିର୍ବାଚନ ଆୟୋଗ କିମ୍ବା ଅନ୍ୟ କୌଣସି ଅଧିକୃତ ସରକାରୀ ଅଧିକାରୀଙ୍କ ଅନୁମତି ଆବଶ୍ୟକ ନାହିଁ। ତେବେ ମିଥ୍ୟା ଅଭିଯୋଗ ଆଣି ନିର୍ବାଚିତ ପ୍ରତିନିଧିଙ୍କୁ ହଇରାଣ କରିବାର ଆଶଙ୍କାକୁ ମଧ୍ୟ କୋର୍ଟ ଅଣଦେଖା କରିନାହାନ୍ତି। ଏପରି ଅଭିଯୋଗ ତଥ୍ୟହୀନ କିମ୍ବା ଉଦ୍ଦେଶ୍ୟପ୍ରଣୋଦିତ ହୋଇଥିଲେ, ଆଇନ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନେବାକୁ କ୍ଷମତାପ୍ରାପ୍ତ ମାଜିଷ୍ଟ୍ରେଟଙ୍କ ପାଖରେ କ୍ଷମତା ରହିଛି ବୋଲି ଖଣ୍ଡପୀଠ କହିଛନ୍ତି।
College union election: ସୁକିନ୍ଦା କଲେଜ ନିର୍ବାଚନ ବନ୍ଦ୍ ପଛରେ ଛାତ୍ରନେତାଙ୍କ ଉଦାସୀନତା
କର୍ଣ୍ଣାଟକର ବିଦର ବିଧାନସଭା ଆସନର ନିର୍ବାଚିତ ସଦସ୍ୟ ଶୈଳେନ୍ଦ୍ର ବେଲଦାଲେଙ୍କ ବିରୋଧରେ ରାଜକୁମାର ମାଡ୍କି ଏହି ଅଭିଯୋଗ ଆଣିଥିଲେ। ୨୦୨୩ ବିଧାନସଭା ନିର୍ବାଚନରେ ନାମାଙ୍କନପତ୍ର ସହ ଦାଖଲ ସତ୍ୟପାଠରେ ବେଲଦାଲେ ନିଜ ବାସସ୍ଥାନ ସମ୍ପର୍କରେ ମିଥ୍ୟା ତଥ୍ୟ ଦେଇଥିବା ମାଡ୍କି ଅଭିଯୋଗ କରିଥିଲେ। ସେ ବେଙ୍ଗାଲୁରୁର ଅତିରିକ୍ତ ମୁଖ୍ୟ ମହାନଗର ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। କର୍ଣ୍ଣାଟକ ହାଇକୋର୍ଟ ୨୦୨୫ ମାର୍ଚ୍ଚ ୭ରେ ଏହି ଅଭିଯୋଗକୁ ଖାରଜ କରିଥିଲେ। କେବଳ ନିର୍ବାଚନ ଆୟୋଗ ଏପରି ମାମଲା କରିପାରିବ ବୋଲି ହାଇକୋର୍ଟ କହିଥିଲେ। କିନ୍ତୁ ସୁପ୍ରିମ୍କୋର୍ଟ ଏହି ଆଇନଗତ ବ୍ୟାଖ୍ୟାକୁ ଗ୍ରହଣ କରିନାହାନ୍ତି। ତେବେ ସାଧାରଣ ନାଗରିକମାନେ ଏପରି ଅଭିଯୋଗ ଦାଖଲ କରିପାରିବେ ବୋଲି ରାୟ ସତ୍ତ୍ୱେ ସୁପ୍ରିମ୍କୋର୍ଟ ବେଲଦାଲେଙ୍କ ବିରୋଧରେ ଆପରାଧିକ ମାମଲା ପୁଣି ଖୋଲିବାକୁ ମନା କରିଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।