Families Await Justice After Gas Tragedy: ୧୩ ଜୁଆଙ୍ଗ ଝିଅଙ୍କ ମୃତ୍ୟୁକୁ ପୂରିଲା ୧୦ ଦିନ; ଗାଁରେ ଶୁଦ୍ଧି ହେଉଛନ୍ତି ଜୁଆଙ୍ଗ ପରିବାର

କୁଆଡ଼େ ଗଲା କେନ୍ଦୁଝର ତେଲକୋଇର ଦାଦନ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ? ୧୩ ଜୁଆଙ୍ଗ ଝିଅଙ୍କ ଜୀବନ ଯିବା ପରେ ବି ଏଯାଏଁ ଶ୍ରୀକାନ୍ତକୁ ଧରିପାରିନି ପୋଲିସ । ଏପଟେ ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ଯୁବତୀଙ୍କ ମୃତ୍ୟୁକୁ ପୂରିଛି ୧୦ ଦିନ। କିନ୍ତୁ ଲୁହ ଶୁଖିନି...କମିନି କୋହ। ନ୍ୟାୟକୁ ଅପେକ୍ଷା କରି ବସିଛନ୍ତି ପରିବାର । କେନ୍ଦୁଝରର କୋଡିପଶା ଓ ରଙ୍ଗାମାଟିଆ ଜୁଆଙ୍ଗ ସାହିରେ ପହଞ୍ଚି ଲୁହଭିଜା କାହାଣୀକୁ ଅଙ୍ଗେ ନିଭାଇଛି ଓଟିଭି।
ନୀରବ ପାଲଟିଯାଇଛି ପାହାଡ଼... ସ୍ତବ୍ଧ ହୋଇଯାଇଛି ଗଛପତ୍ର। ପବନରେ ଭାସି ଆସୁଛି କେବଳ ମା'ର କାନ୍ଦ। ଗୋଟିଏ ଗୋଟିଏ ଦୀର୍ଘଶ୍ୱାସରେ ଅଟକିଯାଇଛି କେତେ ସ୍ୱପ୍ନର କାହାଣୀ। ଲାଗୁଛି ଯେମିତି ଗାଁ ସହିତ ପ୍ରକୃତି ବି ଶୋକରେ ବୁଡ଼ିଯାଇଛି। ତାମିଲନାଡ଼ୁ ଗ୍ୟାସ ଟ୍ରାଜେଡିରେ ୧୩ ଜୁଆଙ୍ଗ ଝିଅଙ୍କ ମୃତ୍ୟୁକୁ ପୂରିଛି ୧୦ ଦିନ। ଜୁଆଙ୍ଗ ପରିବାରର ସେହି ଛାତିଫଟା ବେଦନାର କୋହ ଏବଂ ଦାଦନ ଦଲାଲର ସତ ଶୁଣିବାକୁ କେନ୍ଦୁଝରର କୋଡିପଶା ଓ ରଙ୍ଗାମାଟିଆରେ ପହଞ୍ଚିଥିଲା ଓଟିଭି।
ଯୁଆଡ଼େ ଆଖି ବୁଲାଇବେ ସବୁଆଡ଼େ ଖାଲି ନୀରବତା। ଖାଁ ଖାଁ ଗାଁ...ଶୂନଶାନ ଦାଣ୍ଡ...ଲୁହଭିଜା ଘର। ଇଏ ରଙ୍ଗାମାଟିଆର ମୃତ ଗୁମାନୀଙ୍କ ବୁଢୀ ମାଆ। ଗୁମୁରି ଗୁମୁରି କାନ୍ଦୁଛନ୍ତି। ଆଖିରୁ ଆଜିଯାଏ ଲୁହ ଶୁଖିନି। ଯେଉଁ ନାତୁଣିକୁ ବାହା କରିବାର ସ୍ବପ୍ନ ଦେଖିଥିଲେ ସେଇ ନାତୁଣୀ ପାଇଁ ଆଜି ଶୁଦ୍ଧି ହେଉଛନ୍ତି । ସେହି ଗାଁର ମୃତ ଜାମିନୀଙ୍କ ପରିବାରର ଅବସ୍ଥା ବି ସମାନ। ଝିଅର ଫଟୋକୁ ଧରି ମା' କାନ୍ଦୁଛି, ବାପା ନିରବରେ ଲୁହ ପିଉଛନ୍ତି। ଯେଉଁ ଘରେ ଝିଅର ହସରେ ସକାଳ ହେଉଥିଲା, ସେଠାରେ ଆଜି କେବଳ କାନ୍ଦ ଆଉ କୋହର ସ୍ୱର।
ସମାନ କୋହରେ କାନ୍ଦୁଛି କେନ୍ଦୁଝରର କୋଡିପଶା। ଗାଁର ଅଲିଅଳି ସାଜିଥିବା ଫୁଲମଣି ଓ ସୁଜନୀ ଜୁଆଙ୍ଗଙ୍କର ଶୁଦ୍ଧିକ୍ରିୟା ପାଇଁ ଏଠି ଚାଲିଛି ଘର ଲିପାପୋଛା। ଅସହ୍ୟ ବେଦନାକୁ ଛାତିତଳେ ଚାପିଧରି ପାରମ୍ପରିକ ରୀତିନୀତି ଅନୁସାରେ କ୍ରିୟାକର୍ମ କରୁଛନ୍ତି ପରିବାର ଲୋକେ । ହେଲେ ଝିଅମାନଙ୍କ ସ୍ମୃତି ଅସହ୍ୟ କରିପକାଉଛି। ଛାତିଫାଟି ଆପେ ଆପେ ଲୁହ ଝରିଆସୁଛି। ବଢିଲା ରୋଜଗାରିଆ ଝିଅମାନଙ୍କୁ ହରାଇ ସତେଯେମିତି ଶ୍ମଶାନ ପାଲଟିଯାଇଛି ଘର ଅଗଣା ।
ଝିଅମାନଙ୍କୁ ହରାଇ ହତବାକ ଜୁଆଙ୍ଗ ସମାଜ। ଏଭଳି ସ୍ଥିତିରେ କୁଆଡ଼େ ଗଲା ଦାଦନ ଦଲାଲ୍ ? ଜୁଆଙ୍ଗ ଝିଅଙ୍କୁ ଦାଦନ ସଜାଇଥିବା ଶ୍ରୀକାନ୍ତ ଜୁଆଙ୍ଗ ଏବେ କେଉଁଠି ? ଅଭିଯୋଗ ଅନୁସାରେ, ତେଲକୋଇ ବ୍ଲକରୁ ୧୧ ନାବାଳିକା ସମେତ ୨୪ ଜଣଙ୍କୁ ତାମିଲନାଡ଼ୁ ନେଇଥଇଲା ଶ୍ରୀକାନ୍ତ । ନାବାଳିକାଙ୍କ ନାଁରେ ଫେକ୍ ଆଧାରକାର୍ଡ କରି ସେମାନଙ୍କୁ ଦାଦନ ସଜେଇଥିଲା । ଶ୍ରୀକାନ୍ତ ନାଁରେ ଶ୍ରମ ବିଭାଗ ତେଲକୋଇ ଥାନାରେ ଏତଲା ଦେଇଛି। ହେଲେ ଏଯାଏଁ ତାକୁ ଧରିବକୁ ସଫଳ ହୋଇନି ।
ପାହାଡ଼ ତଳ ଗାଁରୁ ଦିନେ ପେଟର ଭୋକ ମେଣ୍ଟାଇବାକୁ ବାହାରିଥିଲେ କେତେ ନିରୀହ ଝିଅ। ଘରର ଦୁଃଖ ଦୂର କରିବେ ବୋଲି ଘରୁ ଗୋଡ଼ ବାହାର କରି ଯାଇଥିଲେ। କିନ୍ତୁ ଭାଗ୍ୟ ସେମାନଙ୍କ ପାଇଁ ଲେଖିଥିଲା ଅନ୍ୟ କାହାଣୀ। ଏବେ ଅପେକ୍ଷା, କେବେ ନ୍ୟାୟ ମିଳିବ ଏହି ନୀରିହ ଜୁଆଙ୍ଗଙ୍କୁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।