Family Welcomes Baby Girl After 200 Years: ୨୦୦ ବର୍ଷ ପରେ ଜନ୍ମ ହେଲା ଝିଅ, ବାଜା ବାଣ ରୋଷଣୀରେ ପାଛୋଟି ନେଲେ ପରିବାର

Sep 02, 2026 - 14:39
Family Welcomes Baby Girl After 200 Years: ୨୦୦ ବର୍ଷ ପରେ ଜନ୍ମ ହେଲା ଝିଅ, ବାଜା ବାଣ ରୋଷଣୀରେ ପାଛୋଟି ନେଲେ ପରିବାର

୨୦୦ ବର୍ଷର ଅପେକ୍ଷାର ଅନ୍ତ। ପରିବାରକୁ ଆସିଲା ନୂଆ ଅତିଥି। ଚାରି ପିଢ଼ି ପରେ ଜନ୍ମ ନେଲା କନ୍ୟା ସନ୍ତାନ। ଆଉ ଝିଅର ଆଗମନକୁ ନେଇ ଉତ୍ସବମୁଖର ହୋଇଉଠିଲା ପୂରା ପରିବାର। ମହାରାଷ୍ଟ୍ରର ବୀଡ୍‌ରେ ଏଭଳି ଏକ ନିଆରା ଘଟଣା ଏବେ ଚର୍ଚ୍ଚାରେ। ନବଜାତ ଶିଶୁକୁ ଫୁଲରେ ସଜାଯାଇଥିବା ରଥରେ ବସାଇ ବାଜାବାଣ ସହ ଘରକୁ ପାଛୋଟି ନେଇଛନ୍ତି ପରିବାର।

ବୀଡ୍‌ ଜିଲ୍ଲା ପର୍ଲି ଅଞ୍ଚଳର ଦହିଫଲେ ପରିବାରରେ ଦୀର୍ଘ ପ୍ରାୟ ୨୦୦ ବର୍ଷ ପରେ ଜନ୍ମ ନେଇଛି ଜଣେ କନ୍ୟା ସନ୍ତାନ। ପରିବାରର କହିବା ଅନୁସାରେ, ଚାରି ପିଢ଼ି ଧରି ପରିବାରରେ କୌଣସି ଝିଅ ଜନ୍ମ ହୋଇନଥିଲେ। ପଞ୍ଚମ ପିଢ଼ିରେ ଝିଅ ଜନ୍ମ ନେବା ପରେ ଏହି ଖୁସିକୁ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରିଛନ୍ତି ପରିବାର ଲୋକେ। ହସ୍ପିଟାଲରୁ ନବଜାତ ଶିଶୁ ଓ ତାଙ୍କ ମାଆଙ୍କୁ ଘରକୁ ଆଣିବା ପାଇଁ ହୋଇଥିଲା ବିଶେଷ ଆୟୋଜନ। ଫୁଲରେ ସଜାଯାଇଥିଲା ରଥ। ରଥରେ କୁନି ଝିଅକୁ ବସାଇ ଘରକୁ ନିଆଯାଇଥିଲା।

ନାତୁଣୀର ଜନ୍ମକୁ ନେଇ ଭାବବିହ୍ୱଳ ହୋଇପଡ଼ିଥିଲେ ଜେଜେବାପା ଓ ଜେଜେମାଆ। ଦୀର୍ଘ ବର୍ଷ ପରେ ପରିବାରରେ ଝିଅ ଆସିଥିବାରୁ ତାଙ୍କ ଖୁସିର ସୀମା ନଥିଲା। ତାଙ୍କ ପାଇଁ ଏହି କୁନି ଅତିଥି ଘରକୁ ଲକ୍ଷ୍ମୀ ଆସିବା ଭଳି। ନାତୁଣୀର ଆଗମନକୁ ସେ ପରିବାର ପାଇଁ ଏକ ବିଶେଷ ମୁହୂର୍ତ୍ତ ବୋଲି କହିଛନ୍ତି। 

ନବଜାତ ଶିଶୁର ନାମ ରଖାଯାଇଛି ଗାର୍ଗୀ। ବାପା ଋଷିକେଶ ଦହିଫଲେ ମଧ୍ୟ ଝିଅର ଜନ୍ମକୁ ନେଇ ଖୁସି ପ୍ରକାଶ କରିଛନ୍ତି। ଝିଅକୁ ଫୁଲ ଭଳି ଅତି ଯତ୍ନରେ ବଢ଼ାଇବେ ବୋଲି କହିଛନ୍ତି।

ଆଜି ବି ସମାଜର ଅନେକ ସ୍ଥାନରେ କନ୍ୟା ସନ୍ତାନକୁ ନେଇ ଭିନ୍ନ ମାନସିକତା ଦେଖିବାକୁ ମିଳେ। କିନ୍ତୁ ଦହିଫଲେ ପରିବାରର ଏହି ନିଆରା ଉତ୍ସବ ଏକ ସକରାତ୍ମକ ବାର୍ତ୍ତା ଦେଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।