Farmer: ସରକାରୀ ବ୍ୟବସ୍ଥା ଉପରୁ ଚାଷୀଙ୍କ ଭରସା ତୁଟୁଛି: ମଣ୍ତି ଖୋଲିବା ପୂର୍ବରୁ ମାତିଲେଣି ଦଲାଲ

Nov 09, 2026 - 04:52
Farmer: ସରକାରୀ ବ୍ୟବସ୍ଥା ଉପରୁ ଚାଷୀଙ୍କ ଭରସା ତୁଟୁଛି: ମଣ୍ତି ଖୋଲିବା ପୂର୍ବରୁ ମାତିଲେଣି ଦଲାଲ

ଦଶପଲ୍ଲା: ଗତ କିଛିଦିନ ତଳେ ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ହୋଇଥିବା ଲଗାଣ ବର୍ଷାକୁ ନେଇ ଚାଷୀଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି।

ଏଯାଏ ଏକର ଏକର ଧାନ ଫସଲ ପାଣି କାଦୁଅରେ ମୁହଁମାଡ଼ି ପଡ଼ିରହିଛି।

ଗାଁଗାଁରେ କାଁ ଭାଁ ଧାନ ଅମଳ ଆରମ୍ଭ ହୋଇଥିବା ବେଳେ ମାତିଲେଣି ଦଲାଲ୍।

ଅନ୍ୟପାର୍ଶ୍ବରେ ସରକାର ଏଫ୍ଏକ୍ୟୁ ମାନର ଧାନ କ୍ବିଣ୍ଟାଲ୍‌ ପ୍ରତି ୩୧୦୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଚା‌ଷୀ ଏହାର ସୁଫଳ ପାଇପାରୁ ନାହାନ୍ତି।

କେଉଁଠି ଟାର୍ଗେଟ ହୋଇଯିବା କହି ଚାଷୀଙ୍କ ଧାନ ଉଠା ଯାଉନି ତ ପୁଣି କେଉଁଠି ଦଲାଲ୍ ଓ ପ୍ୟାକ୍ସ ସମ୍ପାଦକଙ୍କ ସଲାସୁତରା ପାଇଁ ବିଚରା ଚାଷୀମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇ ନିରାଶ ହୋଇ ଫେରିବାକୁ ପଡ଼ୁଛି।

ଏଭଳି ସମସ୍ୟା ପାଇଁ ଧାନ ଅମଳ ପୂର୍ବରୁ ଚା‌ଷୀଙ୍କ ମଣ୍ଡି ପ୍ରତି ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ୁଛି।

ଯାହାର ଫାଇଦା ଉଠାଉଛନ୍ତି ଏହି ଅସାଧୁ ବ୍ୟବସାୟୀ।

ଏହି ବ୍ୟବସାୟ ପଛରେ ମଧ୍ୟ କିଛି ସମ୍ପାଦକଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହେଉଛି।

ଯାହାକି ଏସବୁ ବ୍ୟବସାୟୀମାନେ ଏବେ ଧାନ ଅମଳ ଆରମ୍ଭ ହେଉ ହେଉ ଗାଁ ଗାଁରେ ବୁଲି ଶାଗମାଛ ଦରରେ ଧାନ କ୍ରୟ କରିବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି।

ହେଲେ ପ୍ରଶାସନ ପକ୍ଷରୁ ଏଥିପ୍ରତି କୌଣସି ନିଘା ନାହିଁ।

Advertisment ଅବାଧ ଧାନ ଚାଲାଣ ପ୍ରତି ନା କୌଣସି ଅଙ୍କୁଶ ଲାଗୁଛି ନା ଅସାଧୁ ବ୍ୟବସାୟୀଙ୍କ ପ୍ରତି କୈାଣସି ଧରପଗଡ଼ ହେଉଛି।

ଫଳରେ ନିର୍ଦ୍ଦୋନ୍ଦରେ ବ୍ୟବସାୟୀ ମାନେ ଗାଁ ଗହଳିରୁ ଧାନକିଣି ଜିଲ୍ଲାରୁ ଜିଲ୍ଲା ଡ଼େଇଁ ରାଜ୍ୟ ବାହାରକୁ ଚାଲାଣ କରିବାରେ ସକ୍ଷମ ହେଉଛନ୍ତି।

ଅନ୍ୟପାର୍ଶ୍ବରେ ମଣ୍ତି ଖୋଲିବାରେ ବିଳମ୍ବ ହେଉଥିବା‌ ହେତୁ ବ୍ୟବସାୟୀଙ୍କୁ ଏସବୁ ଧାନ ବିକ୍ରୟ କରିବାକୁ ବାଧ୍ୟ ହେଉଥିବା କହିଛନ୍ତି।

ବ୍ୟବସାୟୀମାନେ ପ୍ରଥମେ ଧାନ କିଣି ନିଜ ଗୋଦାମରେ ମହଜୁଦ୍‌ କରି ରଖିବା ପରେ ସଞ୍ଜ ଗଡ଼ିବା ପରେ ଜିଲ୍ଲା ବାହାରକୁ ଚାଲାଣ କରୁଛନ୍ତି।

ବୈାଦ୍ଧ ଓ ଗଞ୍ଜାମ ଜିଲ୍ଲା ଡେଇଁ ଦୈନିକ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି।

ବଡ଼କଥା ହେଉଛି ପ୍ରତିବର୍ଷ ପାକ୍ସରେ ଧାନ ବିକ୍ରୟ କରିବା ସମୟରେ ଚାଷୀଙ୍କୁ ନାନା ସମସ୍ୟା ଭୋଗିବାକୁ ପଡ଼ୁଛି।

ଧାନ ବିକ୍ରୟ କରିବା ପାଇଁ ଦିନଦିନ ଧରି ପାକ୍ସ ସମ୍ମୁଖରେ ଅପେକ୍ଷା କରିବାକୁ ପଡ଼ୁଛି।

ଚାଷୀଙ୍କ ନିକଟକୁ ଟୋକନ୍ ଆସୁଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ଧାନ ଦେବାରୁ ବଞ୍ଚିତ ହେଉଛନ୍ତି।

ସେହିଭଳି ଚାଷୀ ପଞ୍ଜୀକରଣ କରିଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କ ନାମକୁ କାଟି ଦିଆଯାଉଛି।

ଅନେକ ସ୍ଥାନରେ ମିଲର୍ ଏବଂ ସମ୍ପାଦକଙ୍କ ମଧୁଚନ୍ଦ୍ରିକା ପାଇଁ ଚାଷୀ ନାନା ସମସ୍ୟା ଭୋଗୁଥିବା ହେତୁ ସରକାରୀ ମଣ୍ତି ଉପରୁ ଚାଷୀ ଭରସା ତୁଟାଉଥିବା ପ୍ରକାଶ କରିଛନ୍ତି।

ଏଭଳି ସମସ୍ୟା ହେତୁ ବାଧ୍ୟହୋଇ ଦଲାଲଙ୍କ ହାତକୁ ଧାନ ଟେକି ଦେବାକୁ ବାଧ୍ୟ ହେଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ଦଶପଲ୍ଲା ଅଞ୍ଚଳରୁ ଦୈନିକ ଶହଶହ କ୍ବିଣ୍ଟାଲ ଧାନ ବାହାରକୁ ଚାଲାଣ ହେଉଥିବା ବେଳେ ଯୋଗାଣ ବିଭାଗ ସବୁ ଜାଣି ମଧ୍ୟ ହାତବାନ୍ଧି ବସିଛି।

ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।