Farmer face Registration Problem: ଚାଷୀଙ୍କ ମୁଣ୍ଡରେ ଧାନ ବିକ୍ରି ଚଡ଼କ, ସରକାରଙ୍କ ନୂଆ ନିମୟ ପାଇଁ ଅସନ୍ତୋଷର ନିଆଁ

Aug 08, 2026 - 20:01
Farmer face Registration Problem: ଚାଷୀଙ୍କ ମୁଣ୍ଡରେ ଧାନ ବିକ୍ରି ଚଡ଼କ, ସରକାରଙ୍କ ନୂଆ ନିମୟ ପାଇଁ ଅସନ୍ତୋଷର ନିଆଁ

ଖରିଫ ଋତୁ ଆରମ୍ଭରୁ ଚାଷୀଙ୍କ ମୁଣ୍ଡରେ ଧାନ ବିକ୍ରି ଚଡ଼କ। ମଣ୍ଡିରେ ଧାନ ବିକିବେ...ଟଙ୍କା ପାଇବେ...ହେଲେ ତା'ପୂର୍ବରୁ ଚାଷୀଙ୍କ ଆଗରେ ଛିଡ଼ା ହୋଇଛି ପଞ୍ଜିକରଣର ଅଡୁଆ। ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହୋଇଛି ଚାଷୀ ପଞ୍ଜିକରଣ। ଆଉ ଏହି ପଞ୍ଜିକରଣରେ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ ହେବାକୁ ନେଇ ଉଠିଛି ପ୍ରଶ୍ନ। କାରଣ ଆଇଡି ପାଇଁ ଦରକାର ଜମି ପଟ୍ଟା, ଆଧାର, ବ୍ୟାଙ୍କ ଆକାଉଣ୍ଟ ଭଳି ଦସ୍ତାବିଜ। ସରକାରଙ୍କ ନୂଆ ନିମୟକୁ ନେଇ ଏବେ ଗାଁ ଗାଁରେ ଜଳୁଛି ଅସନ୍ତୋଷର ନିଆଁ। ଖଲ୍ଲିକୋଟରୁ ବରଗଡ଼ ଯାଏଁ ଚାଷୀଙ୍କ ମଧ୍ୟରେ ବଢିଛି ଅସନ୍ତୋଷ। ବରଗଡ଼ରେ ଏଗ୍ରିଷ୍ଟାକ୍ ବ୍ୟବସ୍ଥାରେ ଅନେକ ଚାଷୀ ସାମିଲ ହୋଇପାରିନଥିବା ଅଭିଯୋଗ କରିଛି ସଂଯୁକ୍ତ କୃଷକ ସଂଗଠନ। ଆନ୍ଦୋଳନ ତୀବ୍ର କରିବାକୁ ଆସନ୍ତା ୧୦ ତାରିଖରେ ଜେଲ୍ ଭରୋ ଆନ୍ଦୋଳନ ଡାକରା ଦେଇଛି। କେବଳ ଧାନ ବିକ୍ରି ନୁହେଁ, ଫସଲବୀମା ପଞ୍ଜିକରଣକୁ ନେଇ ବି ନାକେଦମ ହେଲେଣି ଚାଷୀ। ଅଫଲାଇନ୍ ପଞ୍ଜିକରଣ ଓ ବ୍ୟବସ୍ଥାର ସରଳୀକରଣ ଦାବିରେ କଳାହାଣ୍ଡି ଗୋଲାମୁଣ୍ଡାରେ ଜନସଂଗ୍ରାମ ସମିତି ୨୫ କିଲୋମିଟର ପଦଯାତ୍ରା କରିଛି। 

ଚାଷୀଙ୍କ ଆକୁଳ ନିବେଦନ ଭିତରେ ତେଜିଛି ରାଜନୀତି। କଂଗ୍ରେସ କହିଛି, ଧାନ ରଖିବାକୁ ଗୋଦାମ ଖାଲି ନାହିଁ। ଆଗ ଗୋଦାମ ସଫା କର, ପଞ୍ଜିକରଣ ପରେ କରିବ। ସେହିପରି ବିଜେଡି ଅଭିଯୋଗ କରିଛି, ଜମି ମାଲିକାନା ଜଟିଳତା ଯୋଗୁଁ ରାଜ୍ୟର ୫୦ ପ୍ରତିଶତ ଭାଗଚାଷୀ ଓ କ୍ଷୁଦ୍ରଚାଷୀ ସରକାରୀ ଧାନ ବିକ୍ରିରୁ ବଞ୍ଚିତ ହେବେ। ଅନ୍ୟପଟେ ବିରୋଧୀଙ୍କୁ କାଉଣ୍ଟର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିରୋଧୀ କେବଳ ରାଜନୀତି ନକରି ଗଠନମୂଳକ ପ୍ରସ୍ତାବ ଦିଅନ୍ତୁ। ଯଦି କୌଣସି ଜଟିଳତା ଅଛି, ତାହାକୁ ସରଳ କରାଯିବ। ଏଗ୍ରିଷ୍ଟାକ୍ ଆଇଡି ହେଉ କି ଜମି ମାଲିକାନା...ଫସଲ ବୀମା କି ଧାନ ପଞ୍ଜିକରଣ। ନିୟମ ଭିତରେ ଯେପରି ଅନ୍ନଦାତାଙ୍କ ପ୍ରାପ୍ୟ ହଜି ନଯାଉ, ସେମାନେ ପେଶି ନହୁଅନ୍ତୁ, ସରକାର ସେଭଳି ବ୍ୟବସ୍ଥା କରନ୍ତୁ ବୋଲି ଦାବି ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।