Jatra Drama Turns Chaotic: ଅଭିନୟକୁ ସତ ଭାବି ଯାତ୍ରା ମଞ୍ଚରେ ଉତ୍ତେଜନା, ନାଟକ ମଂଚସ୍ଥ ବେଳେ ତାତିଲେ ଦର୍ଶକ
ନାଟକ ଚାଲିଥିଲା...ଦର୍ଶକ ଦେଖୁଥିଲେ...ହଠାତ୍ ମଞ୍ଚ ଉପରକୁ ଉଡ଼ିଲା ଚେୟାର। ତାଳି ବଦଳରେ ଶୁଭିଲା ଗାଳି, ପେଣ୍ଡାଲ ଉପରକୁ ଚଢ଼ିଗଲେ ଦର୍ଶକ। କିଛି ବୁଝିବା ଆଗରୁ ଅଭିନୟ କରୁଥିବା କଳାକାରଙ୍କ ଉପରେ ହେଲା ଆକ୍ରମଣ। ଅଭିନୟ ଏତେ ଜୀବନ୍ତ ଥିଲା ଯେ ନିଜ ରାଗ ଉପରେ ନିୟନ୍ତ୍ରଣ ହରାଇ ବସିଲେ ଦର୍ଶକ। ହିରୋଇନଙ୍କ ଉପରେ ନିର୍ଯାତନାକୁ ସହିପାରିଲେନି, ମନ ବୁଝିଲାନି। ଆଉ ତା’ପରେ କରିଥିଲେ ଚେୟାର ମାଡ଼। ହୋ-ହାଲ୍ଲା...ପାଟିତୁଣ୍ଡ ଆଉ ବିଶୃଙ୍ଖଳା ପାଇଁ କିଛି ସମୟ ଅଟକିଗଲା ନାଟକ ପରିବେଷଣ। ଯାଜପୁର ରୋଡ୍ ଥାନା ଅଧୀନ ଚାନ୍ଦମା କାଳୀପଡ଼ିଆରେ ଅପେରା ଯାଜ୍ଞସେନୀର ନାଟକ ‘ସନାତନୀ’ ମଞ୍ଚସ୍ଥ ବେଳେ ଏମିତି ଘଟଣା ଦେଖିବାକୁ ମିଳିଥିଲା। ଚେୟାର ମାଡ଼ରେ ସାମାନ୍ୟ ଆହତ ହୋଇଛନ୍ତି ଲିଡ୍ ହିରୋଇନ୍ ତମଶା ମିଶ୍ର। ତାଙ୍କ ହାତରେ ଆଘାତ ଲାଗିଛି। ସାଥି କଳାକାରଙ୍କ ଉପରେ ବି ଆକ୍ରମଣ ହୋଇଥିଲା।
କ’ଣ ଏମିତି ଦୃଶ୍ୟ ଦେଖାଗଲା ନାଟକରେ ? ଯାହାକୁ ଦେଖି ଦର୍ଶକଙ୍କ ରାଗ ଏତେ ବଢ଼ିଗଲା ? ଅରୁଣ ନାୟକଙ୍କ ରଚନା ଓ ମହେଶ ହାଜରାଙ୍କ ନିର୍ଦ୍ଦେଶିତ ନାଟକ ‘ସନାତନୀ’। କାହାଣୀରେ ଧର୍ମାନ୍ତୀରଣ ଓ ହିନ୍ଦୁ ଝିଅଙ୍କୁ ନେଇ କିଛି ସମ୍ବେଦନଶୀଳ ଘଟଣାକୁ ନାଟକୀୟ ଢଙ୍ଗରେ ଦେଖାଯାଇଥିଲା। ଗୋରୁ ମାଂସ ଖୁଆଇ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିବାର ଦୃଶ୍ୟ ପରିବେଷିତ ହେଉଥିଲା। ମଞ୍ଚ ଉପରେ ଅଭିନୟରେ କଳାକାର ନିଜକୁ ହଜେଇ ଦେଇଥିବା ବେଳେ ସିନଟି ଏମିତି ହୋଇଥିଲା ଯେ ମଞ୍ଚ ତଳେ ବସିଥିବା ଦର୍ଶକଙ୍କ ରକ୍ତ ଗରମ ହୋଇ ଉଠିଥିଲା। ତାପରେ ମଞ୍ଚ ଉପରକୁ ଫିଙ୍ଗିଥିଲେ ଚେୟାର। ଯାତ୍ରା କମିଟି ସଦସ୍ୟ ଓ କଳାକାରମାନେ ଦର୍ଶକଙ୍କୁ ବୁଝାସୁଝା କରିଥିଲେ। ପରେ ପୁଣି ମଞ୍ଚସ୍ଥ ହୋଇଥିଲା ନାଟକ। ସକାଳ ସାଢ଼େ ୮ଟା ଯାଏଁ ଚାଲିଥିଲା।
ସନାତନୀରେ ଏହି ହାଇଡ୍ରାମାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। ସତରେ କ’ଣ ଏହା ଦର୍ଶକଙ୍କ ରୋଷ ଥିଲା ? ନା ନାଟକକୁ ହିଟ୍ କରିବାକୁ ଚେୟାର ମାଡ଼ ଥିଲା ପ୍ଲାନଡ୍ ପବ୍ଲିସିଟି ଷ୍ଟଣ୍ଟ ? ଆଜି ଦ୍ୱିତୀୟ ରଜନୀରେ ପୁଣି ଥରେ ମଞ୍ଚସ୍ଥ ହେବ ନାଟକ ସନାତନୀ। ଏଥିପାଇଁ ପୋଲିସ ସୁରକ୍ଷା ପାଇଁ ଅନୁରୋଧ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।