03 OCTOBER 2026

Welcome!

Unlock your personalized experience.
Sign Up

Farming: ଘାସମରା ଔଷଧ ପକାଇ ଫସଲ ନଷ୍ଟ କଲେ ଦୁର୍ବୃତ୍ତ: ଧାନ ଫସଲରେ ‘ବିଷ ଖେଳ’

Oct 03, 2026 - 10:02
Farming: ଘାସମରା ଔଷଧ ପକାଇ ଫସଲ ନଷ୍ଟ କଲେ ଦୁର୍ବୃତ୍ତ: ଧାନ ଫସଲରେ ‘ବିଷ ଖେଳ’

କାମାକ୍ଷାନଗର: ଧାନକ୍ଷେତରେ ହସୁଥିଲା ସୁନାର ଫସଲ। ଆଉ କିଛି ଦିନ ପରେ ଅମଳ ହୋଇଥା’ନ୍ତା। ବର୍ଷକ ପରିଶ୍ରମର ଫଳ ପାଇବାକୁ ଆଶା ରଖିଥିଲେ ଚାଷର। ହେଲେ, ରାତିର ଅନ୍ଧାରରେ କେହି ଦୁର୍ବୃତ୍ତ ଖେଳିଲା ‘ବିଷ ଖେଳ’।  ଧାନ ଜମିରେ ଘାସମରା ଔଷଧ ପକାଇ ପାଚିବାକୁ ଥିବା ଧାନ ଶୁଖାଇ ଦିଆଯାଇଛି। ପ୍ରାୟ ୬ ଏକର ଜମିର ଫସଲ ନଷ୍ଟ ହୋଇଯିବା ପରେ ଏବେ ଚାଷୀଙ୍କ ଆଖିରେ ଲୁହ ଭରିଯାଇଛି। ଏଭଳି ଅଭିଯୋଗ ଆସିଛି କାମାକ୍ଷାନଗର ଥାନା ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ କାଦବସନ୍ତ ଗାଁର ଘୁଣ୍ଟୁଣୀପଶି ଅଞ୍ଚଳରୁ। ଚାଷୀଙ୍କ କହିବା ଅନୁଯାୟୀ, ଗୁରୁବାର ରାତିରେ କେହି ଦୁର୍ବୃତ୍ତ ଧାନ ଜମିରେ ଘାସମରା ଔଷଧ ପକାଇ ଦେଇଥିଲା। ପରଦିନ ଜମିକୁ ଯାଇ ଧାନଗଛର ଅବସ୍ଥା ଦେଖି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା।

Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା

ଧାନ ଫସଲରେ ‘ବିଷ ଖେଳ’
ଅମଳ ପୂର୍ବରୁ ଉଜୁଡ଼ିଲା ଚାଷୀଙ୍କ ସ୍ୱପ୍ନ

ଧାନଗଛ ଶୁଖିଯାଇଥିବାବେଳେ ବ୍ୟାପକ ଅଞ୍ଚଳର ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଚାଷୀଙ୍କ ପାଇଁ ଧାନ କେବଳ ଏକ ଫସଲ ନୁହେଁ, ବରଂ ଏହା ସେମାନଙ୍କ ବର୍ଷକର ଆୟ ଓ ପରିବାର ଚଳାଇବାର ମୁଖ୍ୟ ଆଶା। ଜମି ପ୍ରସ୍ତୁତିଠାରୁ ଧାନ ରୋଇବା, ସାର ଓ ଔଷଧ ପକାଇବା ପର୍ଯ୍ୟନ୍ତ ହଜାର ହଜାର ଟଙ୍କା ସେମାନେ ସେଥିରେ  ଖର୍ଚ୍ଚ କରିଥିଲେ।  ହେଲେ, ଅମଳ ପୂର୍ବରୁ ଫସଲ ନଷ୍ଟ ହୋଇଯିବାରୁ ଏବେ ସେମାନଙ୍କ ଉପରେ ଦୁଇଗୁଣ ଆର୍ଥିକ ଚାପ ପଡ଼ିଛି। ଏହି ଘଟଣାରେ ହଗୁରୁ ଦେହୁରୀ, ଭଞ୍ଜ ଦେହୁରୀ, କଷ୍ଟୁ ବେହେରା, ଆନନ୍ଦ ବେହେରା, ସୁବଳ ଦେହୁରୀ, ବାବୁଲି ଦେହୁରୀ, ପୀତାମ୍ବର ଦେହୁରୀ, ଭମ୍ବର ଦେହୁରୀ, ଦୁଃଖିଆ ଦେହୁରୀ ଓ ପଦ୍ମନାଭ ଦେହୁରୀଙ୍କ ସମେତ ଅନ୍ୟ ଚାଷୀଙ୍କ ଧାନ ଫସଲ ପ୍ରଭାବିତ ହୋଇଛି। ଫସଲ ନଷ୍ଟ ହେବା ପରେ ଚାଷୀମାନେ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। କିଏ ଓ କାହିଁକି ଧାନ ଜମିରେ ଘାସମରା ଔଷଧ ପକାଇଲା, ତାହା ଚିହ୍ନଟ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏଥିସହ ନଷ୍ଟ ହୋଇଥିବା ଫସଲର ତୁରନ୍ତ ଆକଳନ କରି ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦେବାକୁ ମଧ୍ୟ ଦାବି ହୋଇଛି।

Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।