Father Throws Daughter Into Yamuna: ବାପା ନାଁରେ କଳଙ୍କ! ସେଲ୍ଫି ବାହାନାରେ ୧ ବର୍ଷର ଝିଅକୁ ଯମୁନାରେ ଫିଙ୍ଗିଦେଲା ବାପା

Aug 17, 2026 - 15:10
Father Throws Daughter Into Yamuna: ବାପା ନାଁରେ କଳଙ୍କ! ସେଲ୍ଫି ବାହାନାରେ ୧ ବର୍ଷର ଝିଅକୁ ଯମୁନାରେ ଫିଙ୍ଗିଦେଲା ବାପା

ବର୍ଷକର ଝିଅକୁ ନଦୀରେ ଫିଙ୍ଗିଦେଲା ବାପା। ଯମୁନା ନଦୀରେ ଭାସିଗଲା ବର୍ଷକର କୁନିଝିଅ। ସ୍ତ୍ରୀ ସହ କଳହ ପରେ ସ୍ବାମୀର ଚରମ ନିଷ୍ପତ୍ତି। ବାଇକରେ ଭଉୟ ସ୍ବାମୀ-ସ୍ତ୍ରୀ କୁନି ଝିଅକୁ ଧରି ଯାଉଥିଲେ। ରାସ୍ତାରେ କୌଣସି କାରଣକୁ ନେଇ ଦଂପତିଙ୍କ ମଧ୍ୟରେ କଳହ ହୋଇଥିଲା। ହେଲେ ମାତ୍ର କିଛି ସମୟ ଯିବା ପରେ ସେଲ୍ଫି ବାହାନାରେ ମା’ ପାଖରୁ ବର୍ଷକର ଝିଅକୁ ଆଣି ଯମୁନା ନଦୀକୁ ଫିଙ୍ଗିଦେଲା ବାପା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଆଗ୍ରାରେ ଘଟିଛି। ସିକନ୍ଦରା ଥାନା ଅଧୀନ ଆକବରା ଯମୁନା ସେତୁ ଉପରୁ ଝିଅକୁ ପାଣିକୁ ଫିଙ୍ଗିଦେଇଛି ବାପା। ଏନେଇ ଖବର ପାଇବା ପରେ ଶିଶୁଟିକୁ ଉଦ୍ଧାର ପାଇଁ ଡାଇଭରମାନେ ନଦୀରେ ତଲାସୀ ଚଳାଇଛନ୍ତି।

ସୂଚନା ଅନୁସାରେ, ରିଙ୍କୁ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଓ ଝିଅକୁ ନେଇ ବାଇକରେ ଆଗ୍ରା ସହର ବୁଲିବାକୁ ବାହାରିଥିଲେ। ଆଉ ରାସ୍ତାରେ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହେବାରୁ ଏମିତି ଘଟିଛି। ଲକ୍ଷ୍ମୀଙ୍କ ଅଭିଯୋଗ ଅନୁସାରେ, ରିଙ୍କୁ ହଠାତ୍‌  ବାଇକ୍  ଅଟକାଇ ଝିଅ ସହ ସେଲଫି ନେବାକୁ କହିଥିଲେ। ପରେ ଝିଅକୁ ନେଇ ଫଟୋ ଉଠାଇବା ସହ ଯମୁନା ନଦୀକୁ ଫିଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି। ତା’ ସହ ଝିଅକୁ ନଦୀକୁ ଫିଙ୍ଗିବା ସମୟରେ ସେ ଅଟକାଇବାରୁ ରିଙ୍କୁ ତାଙ୍କୁ ମଧ୍ୟ ନଦୀକୁ ଠେଲିଦେବାକୁ ଚେଷ୍ଟା କରିଥିବା ସେ ପୋଲିସକୁ କହିଛନ୍ତି। 

ସେହି ସମୟରେ ଲକ୍ଷ୍ମୀଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକମାନେ ସେଠାରେ ଏକାଠି ହୋଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଲୋକମାନେ ରିଙ୍କୁକୁ କାବୁ କରି ମାଡ଼ ମାରିବା ସହ ପୋଲିସକୁ ଦେଇଥିଲେ। ଏନେଇ ସୂଚନା ପାଇବା ପରେ ପିଏସି ଡାଇଭରମାନେ ଯମୁନାରେ ଶିଶୁଟିକୁ ଖୋଜିବା ଆରମ୍ଭ କରିଛନ୍ତି। ହେଲେ ଏବେ ସୁଦ୍ଧା ଶିଶୁଟିର କୌଣସି ସନ୍ଧାନ ମିଳିନାହିଁ। ସିକନ୍ଦରା ଥାନା ପୋଲିସ ଘଟଣାରେ ମାମଲା ରୁଜୁ କରି ରିଙ୍କୁଙ୍କୁ ପଚରାଉଚରା କରୁଛି। ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ନେଇ ପୋଲିସ ତଦନ୍ତ ଜାରି ରଖିଛି। ଶିଶୁଟିକୁ ଶୀଘ୍ର ଉଦ୍ଧାର କରିବା ପାଇଁ ନଦୀରେ ସନ୍ଧାନ ଅଭିଯାନ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।