Fertilizer Black Marketing: ଚାଷବାସ ବେଳେ ସାର ସଙ୍କଟ, ନିଅଣ୍ଟିଆ ସ୍ଥିତି ଭିତରେ ଚଢା ଦର; ମନ୍ତ୍ରୀ କହିଲେ ‘ସାର ମହଜୁଦ ଅଛି’
କେଉଁଠି ମିଳୁନି, କେଉଁଠି ଚଢାଦର ଆଉ କେଉଁଠି ନକଲି। ଧାନ ରୁଆ ସମୟରେ ସାରକୁ ନେଇ ଏବେ ସାରା ରାଜ୍ୟରେ ଅଭାବନୀୟ ସ୍ଥିତି। ସେପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ଅଭିଯୋଗ ପରେ ଆକ୍ସନ ମୋଡକୁ ଆସି ରେଡ୍ କରୁଛି କୃଷି ବିଭାଗର ଏନଫୋର୍ସମେଣ୍ଟ ଟିମ୍। ଏପଟେ ରାଜ୍ୟରେ ଯଥେଷ୍ଟ ସାର ମହଜୁଦ ଥିବା ନେଇ ସମବାୟ ମନ୍ତ୍ରୀ ସ୍ପଷ୍ଟ କରିଥିବା ବେଳେ କଳାବଜାରୀଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି।
ଚାଷୀଙ୍କୁ ଯେତିକି ଦରକାର ସେତିକି ମିଳୁନି ସାର। ଯଦି ମିଳୁଛି, ତାହାଲେ ଦର ଚଢା। ଆଉ କେଉଁଠି କେଉଁଠି ମୂଲ୍ୟ ପାଖାପାଖି ଡବଲ। ରାଜ୍ୟରେ ଏବେ ଧାନ ରୁଆ ସମୟରେ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ସାର ଚଡ଼କ। ସାରା ରାଜ୍ୟରୁ ଆସୁଛି ସାର ସଙ୍କଟ ଓ ଚଢାଦରରେ ବିକ୍ରିର ମାଳ ମାଳ ଅଭିଯୋଗ
ସେହିପରି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଚାଷୀଙ୍କ ଅଭିଯୋଗ ଲ୍ୟାମ୍ପଗୁଡିକରେ ସାର ମିଳୁନି। ଫଳରେ ଚାଷୀ ବାଧ୍ୟ ହୋଇ ଖୋଲା ବଜାରରୁ ଚଢ଼ା ମୂଲ୍ୟରେ କିଣୁଛନ୍ତି। ରାଜ୍ୟ ସରକାର ୟୁରିଆର ପ୍ୟାକେଟ୍ ମୂଲ୍ୟ ୨୬୬ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ବ୍ୟବସାୟୀ ଏଠାରେ ଚାଷୀଙ୍କଠୁ ନେଉଛନ୍ତି ୪ ଶହ ଟଙ୍କା। ସେହିଭଳି ଗ୍ରୋମର ୨୩୦୦ ବଦଳରେ ୨,୮୦୦ ଟଙ୍କାରେ ବିକ୍ରି ହେଉଛି।
ସେପଟେ ଖରିଫ ଚାଷ ଆରମ୍ଭରୁ ସାର ଅଭାବକୁ ନେଇ ଅତିଷ୍ଠ ଗଞ୍ଜାମ ଜିଲ୍ଲାର ଚାଷୀ। ସାର କଳାବଜାରୀ ରୋକିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ରେଟ୍ ଚାର୍ଟ। ଏହାସତ୍ତ୍ବେ ଏବେ ଚାହିଦାକୁ ଦେଖାଇ ଘରୋଇ ଡିଲର୍ ମନଇଚ୍ଛା କଷୁଛନ୍ତି ରେଟ୍।
ଏପଟେ ବାଲେଶ୍ବର ଜିଲ୍ଲା ନୀଳଗିରିରୁ ଆସିଛି ନକଲି ସାର ଯୋଗାଣର ଅଭିଯୋଗ। ତା ପୁଣି ସରକାରୀ ବ୍ୟବସ୍ଥାରେ ଯୋଗାଇ ଦିଆଯାଇଥିବା ସାରକୁ ନେଇ। କିଛିଦିନ ପୂର୍ବରୁ ବେଗୁନିଆ ଓ ମଛୁଆ ପଞ୍ଚାୟତର ଚାଷୀଙ୍କୁ ଓରମାସ ପକ୍ଷରୁ APO ଓ କୃଷିମିତ୍ରଙ୍କ ଜରିଆରେ ସାର ଯୋଗାଇ ଦିଆଯାଇଥିଲା।
କିନ୍ତୁ ପରେ ଏହା ନକଲି ଜାଣିପାରି କୃଷି ଅଧିକାରୀଙ୍କୁ ଜଣାଇଥିଲେ ସ୍ଥାନୀୟ ଚାଷୀ। କିନ୍ତୁ ବ୍ଲକ୍ କୃଷି ଅଧିକାରୀ ଅଭିଯୋଗ ନଶୁଣିବାରୁ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଚାଷୀମାନେ ତାଙ୍କ ନିକଟକୁ ସାର ଆଣି ସିଧା ବ୍ଲକ୍ କୃଷି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ବାଢ଼ିଥିଲେ । ଆଉ ସାରକୁ ପାଣିରେ ପକାଇ ଏହା ନକଲି ବୋଲି ଅଧିକାରୀମାନଙ୍କ ଆଗରେ ପରୀକ୍ଷା କରାଇଥିଲେ।
ଏପଟେ ରାଜ୍ୟରେ ସାରାର ଅଭାବ ନଥିବା ଓ ଯଥେଷ୍ଟ ପରିମାଣର ସାର ମହଜୁଦ ଥିବା ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ। ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ପରେ ସାର କଳାବଜାରୀଙ୍କ ବିରୋଧରେ କଡ଼ା ଆକ୍ସନର ଚେତାବନୀ ଦେଇଛନ୍ତି। ସେପଟେ ବଲାଙ୍ଗିର ଜିଲ୍ଲାରେ କୃଷି ବିଭାଗର ଏନଫୋର୍ସମେଣ୍ଟ ଟିମ୍ ୫୩୦ଟି ସାର ବିକ୍ରୟ କେନ୍ଦ୍ରରେ ଯାଞ୍ଚ କରି ଅନିୟମିତା ପାଇବା ପରେ ୧୧୧ ଡିଲରଙ୍କୁ ସୋ' କଜ୍ ନୋଟିସ୍ କରଛି। ସେହିଭଳି ୩ ଜଣଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି କରିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।