Farmer Anger Over AgriStack Rules: ଆଗ୍ରିଷ୍ଟାକ୍ ଆଇଡିକୁ ନେଇ ତାତିଲେ ଚାଷୀ, ଜେଲଭରୋ ଆନ୍ଦୋଳନ ପରେ ନରମିଲେ ସରକାର
ଖରିଫ୍ ଧାନ ବିକ୍ରି ପାଇଁ ପଞ୍ଜୀକରଣରେ ଆଗ୍ରିଷ୍ଟାକ୍ ବ୍ୟବସ୍ଥାକୁ ନେଇ ସାରା ରାଜ୍ୟରେ ତେଜୁଛି ଚାଷୀ ଅସନ୍ତୋଷ। ପଶ୍ଚିମ ଓଡ଼ିଶାର ବରଗଡ଼ ଓ ଟିଟିଲାଗଡ଼ରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ନିୟମ ବଦଳାଇ ସବୁ ଚାଷୀଙ୍କଠାରୁ ଧାନ କିଣିବାକୁ କରିଛନ୍ତି ଦାବି। ଏପଟେ ଚାଷୀଙ୍କ ଆକ୍ରୋଶ ପରେ ସ୍ପଷ୍ଟୀକରଣ ରଖି ରାଜ୍ୟ ସରକାର କହିଛନ୍ତି, ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍ ନମ୍ବର ବା କୃଷକ ରେଜିଷ୍ଟ୍ରି ସଂଖ୍ୟା ବାଧ୍ୟତାମୂଳକ ନୁହଁ।
ଖରିଫ୍ ଧାନ ପଞ୍ଜୀକରଣ ପାଇଁ ଆଗ୍ରିଷ୍ଟାକ୍ ଆଇଡିକୁ ନେଇ ଚାଷୀଙ୍କ ଭିତରେ ପ୍ରବଳ ଅସନ୍ତୋଷ। ବରଗଡ଼ରେ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଘେରି ଜେଲଭରୋ ଆନ୍ଦୋଳନ କରିଛି ସଂଯୁକ୍ତ କିଶାନ ମୋର୍ଚ୍ଚା। କେବଳ ବରଗଡ଼ ସଦର ମହକୁମା ନୁହଁ ଜିଲ୍ଲାର ପଦ୍ମପୁର ସହ ବିଭିନ୍ନ ସ୍ଥାନରେ ଚାଷୀମାନେ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଟିଟିଲାଗଡ଼ରେ ବି ସମାନ ସ୍ଥିତି। ଖରିଫ୍ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ବ୍ୟବସ୍ଥାରେ କେତକ ଜଟିଳ ନିୟମ ଏବଂ ଆଗ୍ରିଷ୍ଟାକ୍ ଭଳି ସର୍ତ୍ତାବଳିକୁ ନେଇ ତାତିଛନ୍ତି ଚାଷୀ।
ଖାସ୍ କରି ଭାଗଚାଷୀଙ୍କ ସହମତି ପତ୍ର, ଜମି କିସମ ଓ ଅନ୍ୟାନ୍ୟ କାଗଜପତ୍ର ସମସ୍ୟା ଯୋଗୁ ଜଣେ ଭାଗଚାଷୀ, ଧାନ ବିକ୍ରି କରିପାରିବାରେ ସମସ୍ୟା ଭୋଗିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଚାଷୀ ଅଭିଯୋଗ କରିଛନ୍ତି, ସରକାର କମ୍ଧାନ କିଣିବାକୁ ଚାହୁଁଥିବାରୁ ଜାଣିଶୁଣି ଏଭଳି ନିୟମ କରିଛନ୍ତି। ଏହି ନିୟମରେ ପରିବର୍ତ୍ତନ କରି ସବୁ ଚାଷୀଙ୍କଠାରୁ ଧାନ କିଣିବାକୁ ଦାବି କରିଛି ସଂଯୁକ୍ତ କିଶାନ ମୋର୍ଚ୍ଚା।
ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ତୀବ୍ର ହେଉଥିବା ଦେଖି ନରମିଛନ୍ତି ସରକାର। ଏନେଇ ଆଜି ଲୋକସେବା ଭବନରେ କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକ। ଯେଉଁଥିରେ ସମବାୟ, ଖାଦ୍ୟ ଯୋଗାଣ, ରାଜସ୍ବ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ସାମିଲ ହୋଇଥିଲେ।
ବୈଠକ ପରେ ସ୍ପଷ୍ଟୀକରଣ ରଖି ରାଜ୍ୟ ସରକାର କହିଛନ୍ତି, ଖରିଫ୍ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍ ନମ୍ବର ବା କୃଷକ ରେଜିଷ୍ଟ୍ରି ସଂଖ୍ୟା ବାଧ୍ୟତାମୂଳକ ନୁହେଁ। ଆଗ୍ରିଷ୍ଟାକ୍ ଆଇଡି ନଥିଲେ ବି ଜଣେ ଚାଷୀ ତାର ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିପାରିବ। ଚାଷୀମାନେ ପାକ୍ସ, କମନ୍ ସର୍ଭିସ ସେଣ୍ଟର ଓ ସହାୟକ କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ। ଯେଉଁ ଚାଷୀ ସମବାୟ ସଂସ୍ଥା ଆସିପାରିବେନି, ସେମାନଙ୍କ ପାଖକୁ ଅଧିକାରୀ ଯିବେ।
ଜମି ମାଲିକ ବିଦେଶରେ ଥିଲେ ବି ଭିସି ମାଧ୍ୟମରେ ଆଗ୍ରିଷ୍ଟାକ୍ ରେଜିଷ୍ଟ୍ରେସନ ହୋଇପାରିବ। ସେହିଭଳି ଭାଗଚାଷୀଙ୍କ ପାଇଁ ସରକାର ସ୍ବତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରୁଛନ୍ତି। ଆଗ୍ରିଷ୍ଟାକ୍ ହେଉଛି ଏକ ସମନ୍ବିତ କୃଷକ ପ୍ଲାଟଫର୍ମ। ଯେଉଁଥିରେ ଚାଷୀ ସରକାରଙ୍କ ସମସ୍ତ ସୁବିଧା ପାଇପାରିବେ। କିଛି ଲୋକ ଜାଣିଶୁଣି ସରକାରଙ୍କୁ ବଦନାମ କରିବା ପାଇଁ ଏଭଳି ଅପପ୍ରଚାର କରୁଥିବା ସମବାୟ ମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ମୋଟ୍ ୪୮ ଲକ୍ଷ ଚାଷୀ ଥିବା ବେଳେ ସେମାନଙ୍କ ଭିତରୁ ପ୍ରାୟ ୨୦ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥାନ୍ତି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ଚାଷୀ ଆଗ୍ରିଷ୍ଟାକ୍ ଅଧିନରେ ନାଁ ପଞ୍ଜୀକରଣ କରିସାରିଲେଣି। ସେହିପରି ୯୪ ହଜାର ୬୫୭ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିସାରିଛନ୍ତି। କୌଣସି ଚାଷି ଯେପରି ଧାନ ବିକ୍ରି କରିବାରୁ ବଞ୍ଚିତ ନହେବେ ସେଥିପାଇଁ ଦରକାର ପଡ଼ିଲେ ପଞ୍ଜୀକରଣ ପ୍ରକ୍ରିୟା ବଢିବ ବୋଲି କହିଛନ୍ତି ସରକାର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।