Festive Food Safety Alert: ପାର୍ବଣରେ ଖାଦ୍ୟ ସୁରକ୍ଷାକୁ ନେଇ FSSAIର କଡ଼ା ନିର୍ଦ୍ଦେଶ, ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ
ପାର୍ବଣ ଋତୁରେ ମିଠା, ପନିର, ମାଂସ ଓ ମାଛ ଭଳି ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ିଥାଏ। ଏହି ସମୟରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷାକୁ ନେଇ କଡ଼ା ପଦକ୍ଷେପ ନେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ଶୀଘ୍ର ନଷ୍ଟ ହେଉଥିବା ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବା, ପ୍ୟାକିଂ ଓ ପରିବହନକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହାକୁ ଅଣଦେଖା କଲେ ଖାଦ୍ୟ ସାମଗ୍ରୀ ଜବତ ଓ ନଷ୍ଟ କରିବା ସହ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।
କେଉଁ ଖାଦ୍ୟ ସାମଗ୍ରୀ ଉପରେ ଅଧିକ ନଜର?
FSSAI ଅନୁସାରେ, ଖୁଆ, ପନିର, ମାଂସ ଓ ମାଛ ଭଳି ଶୀଘ୍ର ନଷ୍ଟ ହେଉଥିବା ଖାଦ୍ୟ ସାମଗ୍ରୀକୁ ଉପଯୁକ୍ତ ତାପମାତ୍ରାରେ ରଖାଯାଉନଥିବା ନେଇ ଅଭିଯୋଗ ଆସିଛି। ଏପରି ପରିସ୍ଥିତିରେ ଖାଦ୍ୟରେ ଜୀବାଣୁ ବୃଦ୍ଧି ପାଇବା ସହ ଏହା ଖାଇବା ଅନୁପଯୋଗୀ ହୋଇପାରେ। ତେଣୁ ଉତ୍ପାଦନଠାରୁ ଆରମ୍ଭ କରି ପ୍ୟାକିଂ, ଗଚ୍ଛିତ ରଖିବା, ପରିବହନ, ବଣ୍ଟନ ଓ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ଖାଦ୍ୟ ସୁରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି।
ନିୟମରେ କ’ଣ ରହିଛି?
- ସଫା ଗାଡ଼ି ବାଧ୍ୟତାମୂଳକ: ଖାଦ୍ୟ ସାମଗ୍ରୀକୁ ସଫା, ଆବୃତ ଓ ସ୍ୱାସ୍ଥ୍ୟକର ଯାନରେ ପରିବହନ କରିବାକୁ ହେବ।
- ତାପମାତ୍ରା ଉପରେ ନଜର: ଗଚ୍ଛିତ ରଖିବା ଓ ପରିବହନ ସମୟରେ ନିର୍ଦ୍ଧାରିତ ତାପମାତ୍ରା ବଜାୟ ରଖିବାକୁ ହେବ।
- ପ୍ୟାକିଂରେ ସତର୍କତା: କେବଳ ଖାଦ୍ୟ ପାଇଁ ଉପଯୁକ୍ତ (Food-grade) ପ୍ୟାକିଂ ସାମଗ୍ରୀ ବ୍ୟବହାର କରିବାକୁ ହେବ। ଅଖା କିମ୍ବା ଅନୁପଯୁକ୍ତ ସାମଗ୍ରୀରେ ଖାଦ୍ୟ ପ୍ୟାକିଂକୁ ଏଡ଼ାଇବାକୁ କୁହାଯାଇଛି।
- ପ୍ରଦୂଷଣରୁ ସୁରକ୍ଷା: ଧୂଳି, ଆର୍ଦ୍ରତା, କୀଟପତଙ୍ଗ, ଶାରୀରିକ କ୍ଷତି ଓ ଅନ୍ୟ ଖାଦ୍ୟରୁ ମଇଳା ହେବା ଆଶଙ୍କାରୁ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପଡ଼ିବ।
- ରେକର୍ଡ ରଖିବା ଜରୁରୀ: ଖାଦ୍ୟ ସାମଗ୍ରୀ ପରିବହନ ଓ ଯୋଗାଣ ସମ୍ପର୍କିତ ରେକର୍ଡ, ବିଲ୍ ଏବଂ ଅନ୍ୟ ଦସ୍ତାବିଜ ଆବଶ୍ୟକ ସମୟରେ ଦେଖାଇବାକୁ ହେବ।
ନିୟମ ଭାଙ୍ଗିଲେ କ’ଣ ହେବ?
FSSAI ସ୍ପଷ୍ଟ କରିଛି ଯେ ନିୟମ ଉଲ୍ଲଂଘନ ହେଲେ ଖାଦ୍ୟ ସାମଗ୍ରୀ ଜବତ କରିବା ଏବଂ ନଷ୍ଟ କରିବା ସହ ଉପଯୁକ୍ତ ଆଇନଗତ ପଦକ୍ଷେପ ନିଆଯାଇପାରେ। ରାଜ୍ୟ ସରକାର, ଭାରତୀୟ ରେଳବାଇ ଓ ସମ୍ପୃକ୍ତ ଆଞ୍ଚଳିକ ଅଧିକାରୀଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ପାଳନ ସୁନିଶ୍ଚିତ କରିବାକୁ କୁହାଯାଇଛି।
ଏହା ସହ ହୋଟେଲ, ରେଷ୍ଟୁରାଣ୍ଟ ଓ ଖାଦ୍ୟ ଦୋକାନଗୁଡ଼ିକରେ ଅପରିଷ୍କାର ପରିବେଶ ଏବଂ ଖାଦ୍ୟ ସୁରକ୍ଷା ନିୟମର ଉଲ୍ଲଂଘନ ବିରୋଧରେ ମଧ୍ୟ ଯାଞ୍ଚ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।