Fever Recovery: ଜ୍ୱର ଛାଡ଼ିଲା ପରେ କାହିଁକି ରହୁଛି ଦୁର୍ବଳତା? ଜାଣନ୍ତୁ ଶରୀରକୁ ଫିଟ୍ ରଖିବାର ଟିପ୍ସ
ମୌସୁମୀ ଋତୁରେ ଡେଙ୍ଗୁ, ଟାଇଫଏଡ୍ ଓ ଭାଇରାଲ୍ ଜ୍ୱର ଭଳି ସଂକ୍ରମଣ ବଢ଼ିଥାଏ। ଅନେକ ସମୟରେ ଜ୍ୱର କିଛି ଦିନ ମଧ୍ୟରେ ଭଲ ହୋଇଯାଏ, କିନ୍ତୁ ଶରୀରରୁ ଦୁର୍ବଳତା ଯିବାକୁ ଲାଗିଯାଏ ଅଧିକ ସମୟ। ଜ୍ୱର ଛାଡ଼ିବା ପରେ ମଧ୍ୟ ଥକାପଣ, ମାଂସପେଶୀରେ ଯନ୍ତ୍ରଣା, ଶକ୍ତିହୀନତା ସମସ୍ୟା ରହିପାରେ।
ଡାକ୍ତରଙ୍କ ମତରେ, ଏହାକୁ ପୋଷ୍ଟ-ଇନଫେକ୍ସିଅସ୍ ଫାଟିଗ୍ (Post-Infectious Fatigue) କୁହାଯାଏ। ଅର୍ଥାତ୍ ସଂକ୍ରମଣ ଠିକ୍ ହୋଇଯିବା ପରେ ମଧ୍ୟ ଶରୀରକୁ ସମ୍ପୂର୍ଣ୍ଣ ଭାବେ ରିକଭରୀ କରିବା ପାଇଁ କିଛି ସମୟ ଲାଗେ।
ଜ୍ୱର ଛାଡ଼ିବା ପରେ କାହିଁକି ରହେ ଦୁର୍ବଳତା?
ଜ୍ୱର କମିଗଲା ବୋଲି ଶରୀର ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା ବୋଲି ଧରିନେବା ଠିକ୍ ନୁହେଁ। ସଂକ୍ରମଣ ସହ ଲଢ଼ିବା ସମୟରେ ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀ ଅଧିକ ସକ୍ରିୟ ହୋଇଥାଏ। ଜ୍ୱର ଛାଡିଯିବା ପରେ ମଧ୍ୟ ଏହି ପ୍ରକ୍ରିୟା ସାଧାରଣ ହେବାକୁ କିଛି ସମୟ ଲାଗିପାରେ।
ଅନ୍ୟପକ୍ଷରେ, ଅସୁସ୍ଥ ସମୟରେ ଭୋକ କମିଯିବା ଯୋଗୁଁ ଶରୀରକୁ ଆବଶ୍ୟକ ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ ଓ କ୍ୟାଲୋରୀ ପର୍ଯ୍ୟାପ୍ତ ପରିମାଣରେ ମିଳିନଥାଏ। ଫଳରେ ଶରୀରର ଏନର୍ଜି ଷ୍ଟୋର୍ କମିଯାଏ ଏବଂ ରିକଭରି ପାଇଁ ସମୟ ଲାଗେ।
କେତେ ଦିନ ରହିପାରେ ଏହି ଦୁର୍ବଳତା?
ସମସ୍ତଙ୍କ ଶରୀର ଏକାଭଳି ଭାବରେ ରିକଭରୀ କରେ ନାହିଁ। କେତେକ ଲୋକଙ୍କଠାରେ ଦୁର୍ବଳତା କିଛି ଦିନରେ କମିଯାଏ, ଆଉ କେତେକଙ୍କଠାରେ ଏହା ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିପାରେ। ବୟସ୍କ ବ୍ୟକ୍ତି କିମ୍ବା ପୂର୍ବରୁ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଅଧିକ ସମୟ ମଧ୍ୟ ଲାଗିପାରେ।
ରିକଭରୀ ପାଇଁ ଆପଣାନ୍ତୁ ଏହି ଟିପ୍ସ
୧. ପାଣି ପିଇବାରେ ଅବହେଳା କରନ୍ତୁ ନାହିଁ
ଜ୍ୱର ପରେ ଶରୀରରେ ପାଣିର ଅଭାବ ହୋଇପାରେ। ତେଣୁ ପର୍ଯ୍ୟାପ୍ତ ପାଣି ପିଅନ୍ତୁ। ଆବଶ୍ୟକତା ଅନୁସାରେ ତରଳ ଖାଦ୍ୟ ମଧ୍ୟ ଖାଆନ୍ତୁ।
୨. ଖାଦ୍ୟରେ ପ୍ରୋଟିନ୍ ବଢ଼ାନ୍ତୁ
ରିକଭରୀ ସମୟରେ ଶରୀରକୁ ପୋଷଣ ଦେବା ଅତ୍ୟନ୍ତ ଜରୁରୀ। ଡାଲି, ଡିମ୍, ମାଛ, ଚିକେନ୍, କ୍ଷୀର ଓ ଅନ୍ୟ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇପାରନ୍ତି। ସାଙ୍ଗରେ ତାଜା ଫଳ ଓ ପନିପରିବା ମଧ୍ୟ ଖାଆନ୍ତୁ।
୩. ଶରୀରକୁ ପର୍ଯ୍ୟାପ୍ତ ବିଶ୍ରାମ ଦିଅନ୍ତୁ
ଜ୍ୱର ଭଲ ହେବା ମାତ୍ରେ ପୂର୍ବଭଳି ଅତ୍ୟଧିକ କାମ କିମ୍ବା ବ୍ୟାୟାମ ଆରମ୍ଭ କରନ୍ତୁ ନାହିଁ। ଶରୀରକୁ ଧୀରେ ଧୀରେ ସାଧାରଣ ରୁଟିନ୍କୁ ଫେରିବାର ସୁଯୋଗ ଦିଅନ୍ତୁ।
୪. ଲକ୍ଷଣ ଦୀର୍ଘ ସମୟ ରହିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
ଦୁର୍ବଳତା ଦୀର୍ଘ ସମୟ ଧରି ରହିଲେ, ପୁଣି ଜ୍ୱର ଆସିଲେ, ଶ୍ୱାସକଷ୍ଟ, ଅତ୍ୟଧିକ ମୁଣ୍ଡ ବୁଲାଇବା, ରକ୍ତସ୍ରାବ କିମ୍ବା ଅନ୍ୟ କୌଣସି ଗୁରୁତର ଲକ୍ଷଣ ଦେଖାଦେଲେ ନିଜେ ଔଷଧ ନ ଖାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ମନେ ରଖନ୍ତୁ-
ଜ୍ୱର ଛାଡ଼ିବା ହେଉଛି ରିକଭରୀର ଶେଷ ନୁହେଁ, ବରଂ ଶରୀରର ସମ୍ପୂର୍ଣ୍ଣ ସୁସ୍ଥ ହେବାର ଆରମ୍ଭ। ପର୍ଯ୍ୟାପ୍ତ ପାଣି, ପୌଷ୍ଟିକ ଖାଦ୍ୟ, ଭଲ ନିଦ ଓ ଆବଶ୍ୟକ ବିଶ୍ରାମ ଦେଲେ ଶରୀର ଧୀରେ ଧୀରେ ନିଜର ଶକ୍ତି ଫେରାଇପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।