Five-Day Bank Agitation: ଦେଶବ୍ୟାପୀ ୫ ଦିନିଆ ବ୍ୟାଙ୍କ୍ ଧର୍ମଘଟ; ଆନ୍ଦୋଳନରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ
୪ ଦଫା ଦାବିରେ ଆଜିଠୁ ଦେଶବ୍ୟାପୀ ବ୍ୟାଙ୍କ୍ ଧର୍ମଘଟ। ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ମୁଖ୍ୟ ଦାବି ସହ ୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ। ଆନ୍ଦୋଳନରେ ସାମିଲ ହୋଇଛନ୍ତି ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ। ଫଳରେ ଆଜିଠୁ ଠପ୍ ହୋଇଛି ସବୁ ପ୍ରକାର ବ୍ୟାଙ୍କ ସେବା। ଆଗକୁ ପାର୍ବଣ ଋତୁ ଆରମ୍ଭ ଆଉ ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଖାଇ ଆଗରୁ ବ୍ୟାଙ୍କ କର୍ମଚାରୀଙ୍କ ଏ ଲମ୍ବା ଆନ୍ଦୋଳନ ପାଇଁ ଅଡୁଆରେ ପଡ଼ିଛନ୍ତି ଲକ୍ଷ ଲକ୍ଷ ଗ୍ରାହକ।
ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ। ସବୁଠି ବନ୍ଦ, ସବୁଆଡ଼େ ହରତାଳ। ୪ ଦଫା ଦାବି ନେଇ ୫ ଦିନ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ବଡ଼ ଆନ୍ଦୋଳନ। ଫଳରେ ଆଜିଠୁ ପୁରା ଦେଶ୍ୟବ୍ୟାପୀ ଠ୍ପ ହୋଇଛି ବ୍ୟାଙ୍କ୍ ସେବା। ଇଏ ରାଜଧାନୀ ଭୁବନେଶ୍ବରର ଚିତ୍ର। 1 ନମ୍ବର ସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ଆଗରେ ନାରାବାଜି କରୁଛନ୍ତି ବ୍ୟାଙ୍କ୍ ଅଧିକାରୀ ଓ କର୍ମଚାରୀ। ମୁଖ୍ୟ ଫାଟକରେ ତାଲା ପକାଇ ସରକାରଙ୍କ ବିରୋଧରେ ଝାଡ଼ିଛନ୍ତି ଅସନ୍ତୋଷ। ସେହିଭଳି ଇଏ ବାଲେଶ୍ବରର ଦୃଶ୍ୟ। ଆଜି ସକାଳୁ ବ୍ୟାଙ୍କ ଆସି କାର୍ଯ୍ୟ ବନ୍ଦ୍ ହରତାଳରେ ବସିଛନ୍ତି ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀ।
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ ଡାକରାରେ ଫକୀମୋହନ ଗୋଲେଇରେ ଏକାଠି ହୋଇଥିଲେ ସବୁ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀ। ଏପଟେ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ଷ୍ଟୀଲ ସିଟି ରାଉରକେଲାରେ ଠପ୍ ହୋଇପଡ଼ିଛି ବ୍ୟାଙ୍କିଂଙ୍କ୍ ସେବା। ବିର୍ସା ମୁଣ୍ଡା ଛକରେ ଥିବା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ସମସ୍ତେ ଏକାଠି ହୋଇଥିଲେ ଅଫିସର ଓ କର୍ମଚାରୀ।
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନର ୪ ଦଫା ଦାବି ମଧ୍ୟରେ ରହିଛି ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଓ ଦୁଇ ଦିନ ଛୁଟି ଲାଗୁ ଭଳି ମୁଖ୍ୟ ଦାବି। ସେହିଭଳି ପରଫରମାନ୍ସ ଲିଙ୍କଡ୍ ଇନସେଣ୍ଟିଭରେ ସମାନତା, ଭେଦଭାବପୂର୍ଣ୍ଣ PLI ସ୍କିମ୍ ଉଚ୍ଛେଦ ଦାବି ଦୀର୍ଘ ବର୍ଷ ଧରି ପୂରଣ ହେଉନଥିବା କହିଛି ସଂଘ। 2024ରେ ସରକାର ଏସବୁ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବି ନିୟମ ଲାଗୁ କରାଯାଉନି।
ଯାହା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ୁଥିବା ସଂଘର ନେତା କହିଛନ୍ତି। ଅନ୍ୟପଟେ ସରକାର ଯଦି ଏଇ 5 ଦିନିଆ ଆନ୍ଦୋଳନରୁ କିଛି ନଶିଖନ୍ତି, ତେବେ ଆଗକୁ ସେପଟେମ୍ବର ୨୮ରୁ ୩୦ତିନି ଦିନ ଏବଂ ପରେ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂଘ ଧର୍ମଘଟକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।
ଏପଟେ ଆଗକୁ ପାର୍ବଣ ଋତୁ ଆରମ୍ଭରୁ ବ୍ୟାଙ୍କ କର୍ମଚାରୀଙ୍କ ଲମ୍ବା ଆନ୍ଦୋଳନକୁ ଅଡୁଆରେ ପଡ଼ିଛନ୍ତି ଗ୍ରାହକ। ବିଶେଷକରି ଗଣପର୍ବ ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କୁ ଅଧିକ ପ୍ରଭାବିତ କରିଛି 5 ଦିନିଆ ବ୍ୟାଙ୍କ ଆନ୍ଦୋଳନ। ଆଗକୁ ଶନି, ରବିବାର ଛୁଟି ଦିନ ଥିବା ବେଳେ ସୋମବାର ଗଣେଷ ପୂଜା ଓ ମଙ୍ଗଳବାର ନୂଆଖାଇଁ ପର୍ବ। ଏଥିପାଇଁ ଲଗାତର 4 ଦିନ ଛୁଟି ଆଗରୁ ଆଜି ଶୁକ୍ରବାରଠୁ ଆନ୍ଦୋଳନ ଆରମ୍ଭ ହୋଇଥିବାରୁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।