Five Important Changes From September: ସେପ୍ଟେମ୍ବର ୧ରୁ ବଦଳିବ ଏସବୁ ନିୟମ, ପକେଟ୍‌ ଉପରେ ପଡ଼ିପାରେ ପ୍ରଭାବ

Aug 31, 2026 - 16:38
Five Important Changes From September: ସେପ୍ଟେମ୍ବର ୧ରୁ ବଦଳିବ ଏସବୁ ନିୟମ, ପକେଟ୍‌ ଉପରେ ପଡ଼ିପାରେ ପ୍ରଭାବ

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସେପ୍ଟେମ୍ବର ମାସ। ନୂଆ ମାସ ସହ ଦେଶରେ ଆସୁଛି କିଛି ଆର୍ଥିକ ପରିବର୍ତ୍ତନ। କ୍ଷୀର ଦାମ ବୃଦ୍ଧିଠାରୁ ଆରମ୍ଭ କରି ଟ୍ୟାକ୍ସ ଡେଡଲାଇନ୍, ଏଲ୍‌ପିଜି ଦାମ ଏବଂ ବିଦେଶ ଯାତ୍ରା ନିୟମ ପର୍ଯ୍ୟନ୍ତ, ସେପ୍ଟେମ୍ବର ୧ରୁ କିଛି ପରିବର୍ତ୍ତନ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଓ ମାସିକ ବଜେଟ୍‌କୁ ପ୍ରଭାବିତ କରିପାରେ। 

ବଢ଼ିବ କ୍ଷୀର ଦାମ 

ମୁମ୍ବାଇରେ ତାଜା ଟବେଲା କ୍ଷୀର କିଣୁଥିବା ଲୋକଙ୍କ ପାଇଁ ବଢ଼ିବ ଖର୍ଚ୍ଚ। ସେପ୍ଟେମ୍ବର ୧, ୨୦୨୬ରୁ ଟବେଲା କ୍ଷୀର ଦାମ ଲିଟର ପିଛା ୯ ଟଙ୍କା ବୃଦ୍ଧି କରିବାକୁ ସହରର କ୍ଷୀର ଉତ୍ପାଦକମାନେ ନିଷ୍ପତ୍ତି ନେଇଛନ୍ତି। ପାର୍ବଣ ଋତୁ ପୂର୍ବରୁ ହୋଇଥିବା ଏହି ଦରବୃଦ୍ଧି ନିୟମିତ ଭାବେ ତାଜା କ୍ଷୀର କିଣୁଥିବା ପରିବାରଙ୍କ ମାସିକ ବଜେଟ୍‌ ଉପରେ ଅତିରିକ୍ତ ବୋଝ ପକାଇପାରେ। 

ବଦଳିପାରେ ଏଲ୍‌ପିଜି ଦାମ 

ସେପ୍ଟେମ୍ବର ଆରମ୍ଭରେ ଏଲ୍‌ପିଜି ଗ୍ୟାସ୍‌ ଦାମରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ତେଲ କମ୍ପାନିଗୁଡ଼ିକ ସମୟ ସମୟରେ ଘରୋଇ ଏଲ୍‌ପିଜି ଦାମର ସମୀକ୍ଷା କରିଥାନ୍ତି। ତେବେ ନୂଆ ଦାମ ସମ୍ପର୍କରେ କମ୍ପାନିଗୁଡ଼ିକର ଆଧିକାରିକ ଘୋଷଣା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ଏହାସହ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ଏଟିଏଫ୍‌ ଦାମରେ ମଧ୍ୟ ମାସିକ ସଂଶୋଧନ ହୋଇପାରେ। ଗ୍ୟାସ୍‌ କିମ୍ବା ଇନ୍ଧନ ଦାମରେ ସାମାନ୍ୟ ବୃଦ୍ଧି ମଧ୍ୟ ଘରର ମାସିକ ବଜେଟ୍‌କୁ ପ୍ରଭାବିତ କରିଥାଏ। 

ସେପ୍ଟେମ୍ବରରେ ରହିଛି ଗୁରୁତ୍ୱପୂର୍ଣ୍ଣ ଟ୍ୟାକ୍ସ ଡେଡଲାଇନ୍ 

ଟିକସଦାତା ଓ ବ୍ୟବସାୟୀଙ୍କ ପାଇଁ ସେପ୍ଟେମ୍ବର ମାସ ବେଶ ଗୁରୁତ୍ୱପୂର୍ଣ୍ଣ। ଅଗଷ୍ଟ ମାସର ଟିଡିଏସ୍‌ ଓ ଟିସିଏସ୍‌ ପେମେଣ୍ଟ ପାଇଁ ସେପ୍ଟେମ୍ବର ୭ ତାରିଖ ଶେଷ ଦିନ ରହିଛି। ସେପ୍ଟେମ୍ବର ୧୧ ସୁଦ୍ଧା ଯୋଗ୍ୟ ଟିକସଦାତାଙ୍କୁ ଜିଏସ୍‌ଟିଆର୍‌-୧ ଦାଖଲ କରିବାକୁ ପଡ଼ିବ। ସେହିପରି ଅଗ୍ରୀମ ଟିକସର ଦ୍ୱିତୀୟ କିସ୍ତି ଦେବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୫। 

ଜିଏସ୍‌ଟିଆର୍‌-୩ବି ଦାଖଲ ପାଇଁ ସେପ୍ଟେମ୍ବର ୨୦ ଶେଷ ତାରିଖ ରହିଥିବା ବେଳେ, ସେପ୍ଟେମ୍ବର ୩୦ରେ ମଧ୍ୟ ଟ୍ୟାକ୍ସ ଅଡିଟ୍‌ ଓ ଅନ୍ୟାନ୍ୟ କମ୍ପ୍ଲାଏନ୍ସ ସମ୍ପର୍କିତ ଅନେକ ଡେଡଲାଇନ୍‌ ରହିଛି। ତେଣୁ ଜରିମାନା ଏଡ଼ାଇବା ପାଇଁ ଟିକସଦାତା ଓ ବ୍ୟବସାୟୀମାନେ ଏହି ତାରିଖଗୁଡ଼ିକୁ ମନେ ରଖିବା ଆବଶ୍ୟକ। 

ସେପ୍ଟେମ୍ବର ୧ରୁ ଲାଗୁ ହେବନି ନୂଆ ଏଫ୍‌ଡି ନିୟମ 

ସେପ୍ଟେମ୍ବର ୧ରୁ ଫିକ୍ସଡ୍‌ ଡିପୋଜିଟ୍‌ ବା ଏଫ୍‌ଡି ନିୟମ ବଦଳୁଛି ବୋଲି ଯେଉଁ ଖବର ପ୍ରଚାର ହେଉଛି, ସେଥିରେ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ। ଆରବିଆଇର ବ୍ୟାଙ୍କ ଜମା ଉପରେ ସୁଧ ହାର ସମ୍ପର୍କିତ ସଂଶୋଧିତ ନିୟମ ସେପ୍ଟେମ୍ବର ୧ରୁ ନୁହେଁ, ବରଂ ଅକ୍ଟୋବର ୧, ୨୦୨୬ରୁ ଲାଗୁ ହେବ। 

ନୂଆ ନିୟମରେ ୩ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବଲ୍କ ଡିପୋଜିଟ୍‌ ସମ୍ପର୍କରେ ବ୍ୟବସ୍ଥା ରହିଛି। ଏହି ଜମା ଉପରେ ଲାଗୁ ହେଉଥିବା ସୁଧ ହାର ବ୍ୟାଙ୍କଗୁଡ଼ିକୁ କାର୍ଯ୍ୟଦିବସରେ ସକାଳ ୧୦ଟା ୧୦ ସୁଦ୍ଧା ନିଜ ୱେବସାଇଟ୍‌ରେ ପ୍ରକାଶ କରିବାକୁ ପଡ଼ିବ। ତେବେ ସାଧାରଣ ଏଫ୍‌ଡି ନିବେଶକଙ୍କ ପାଇଁ ସେପ୍ଟେମ୍ବର ୧ରୁ କୌଣସି ନୂଆ ଆରବିଆଇ ନିୟମ ଲାଗୁ ହେଉନାହିଁ। 

ବିଦେଶ ଯାତ୍ରୀଙ୍କ ପାଇଁ ସହଜ ହେବ ବିମାନବନ୍ଦର ପ୍ରକ୍ରିୟା 

ସେପ୍ଟେମ୍ବର ୧ରୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆସୁଛି। ଭାରତରୁ ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଆଉ ଇମିଗ୍ରେସନ୍‌ କାଉଣ୍ଟରରେ ବୋର୍ଡିଂ ପାସ୍‌ରେ ଷ୍ଟାମ୍ପ ନେବାକୁ ପଡ଼ିବ ନାହିଁ। ଯାତ୍ରୀମାନେ ଇମିଗ୍ରେସନ୍‌ କ୍ଲିୟରାନ୍ସ ପାଇଁ ନିଜ ମୋବାଇଲରେ ଇ-ବୋର୍ଡିଂ ପାସ୍‌ ଦେଖାଇପାରିବେ। ଯେଉଁମାନେ ପ୍ରିଣ୍ଟ ହୋଇଥିବା ବୋର୍ଡିଂ ପାସ୍‌ ନେଇ ଯିବେ, ସେମାନେ ମଧ୍ୟ ତାହା ବ୍ୟବହାର କରିପାରିବେ। କିନ୍ତୁ ଇମିଗ୍ରେସନ୍‌ ଅଧିକାରୀ ଆଉ ବୋର୍ଡିଂ ପାସ୍‌ରେ ଷ୍ଟାମ୍ପ ଲଗାଇବେ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।