ବିକ୍ରମ ପଣ୍ଡାଙ୍କୁ ସର୍ତ୍ତ ମୂଳକ ଜାମିନ
ବ୍ରହ୍ମପୁର : ବହୁଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ । ମାନ୍ୟବର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୨୦୨୫ ଅକ୍ଟୋବର ୨୨ ତାରିଖରେ ଗିରଫ ହୋଇଥିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଏହାପୂର୍ବରୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ପରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ପରେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିବା ବେଳେ କୋର୍ଟ ନିର୍ଦ୍ଧାରିତ ସମସ୍ତ ସର୍ତ୍ତ ପାଳନ କରିବାକୁ କହିଛନ୍ତି।
ସୂଚନାନୁସାରେ, ଗତ ୨୦୨୫ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣମୀ ରାତିରେ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟା ମାମଲାରେ ପୋଲିସ ଶେଷ ୩୯୬ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଥିଲା । ତେବେ ଚୂଡ଼ାନ୍ତ ଚାର୍ଜସିଟ୍ରେ ବିକ୍ରମ ପଣ୍ଡାଙ୍କ ସମେତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫା ବାଦ୍ ଦିଆଯାଇଛି । ହତ୍ୟା ପାଇଁ ଧାରା ବିଏନଏସ ୧୦୩ ଅନ୍ତର୍ଗତ କେବଳ ଗୁଳିକାଣ୍ଡ ଘଟାଇଥିବା ଦୁଇ ଜଣ ଅଭିଯୁକ୍ତ କୁରୁପତି ଭୂୟାଁ ଏବଂ ଚିଣ୍ଟୁ ପ୍ରଧାନଙ୍କ ଅଭିଯୁକ୍ତ ଦର୍ଶା ଯାଇଛି । ପୋଲିସ ସ୍ପଷ୍ଟ କରିଛି ଯେ ବିକ୍ରମ ପଣ୍ଡା ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଅଭିଯୋଗ ଦୃଢ଼ ରହିଥିଲେ ମଧ୍ୟ, ପ୍ରତ୍ୟକ୍ଷ ହତ୍ୟା ଅଭିଯୋଗ କେବଳ ଅପରାଧ ଘଟାଉଥିବା ଲୋକଙ୍କ ପାଇଁ ସୀମିତ। ବିକ୍ରମ ପଣ୍ଡାଙ୍କ ବିରୁଦ୍ଧରେ ସିଧାସଳଖ ହତ୍ୟା ଅଭିଯୋଗ ପ୍ରତ୍ୟାହାର କରାଯାଇଥିଲା, ଏବଂ ତାଙ୍କୁ ସଂଗଠିତ ଅପରାଧିକ ଷଡ଼ଯନ୍ତ୍ର ପାଇଁ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୧୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।